ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ ଭରତପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଥିବାବେଳେ ବିଡିଏ ପୁନର୍ବାର ଉକ୍ତ ସରକାରୀ ଜମିକୁ ନିଜ ଦଖଲକୁ ନେଇଛି।
ଅଗଷ୍ଟ ପହିଲାରେ ଶଙ୍କରପୁରବାସୀଙ୍କ ଅଭିଯୋଗ ଅନୁଯାୟୀ, ଶଙ୍କରପୁର ମୌଜାର ଖାତା ନଂ-୨୦୭୭ ଅନ୍ତର୍ଗତ ପ୍ଲଟ୍ ନଂ-୧୬୦୦ ଏବଂ ଖାତା ନଂ-୨୦୭୫ ଅନ୍ତର୍ଗତ ପ୍ଲଟ୍ ନଂ-୧୬୦୧ ଓ ୧୬୦୨ରେ ଜବରଦଖଲ ଥିବା ସରକାରୀ ଜମିକୁ ବିଡିଏ ଉଚ୍ଛେଦକରି ନିଜ ହାତକୁ ନେଇଥିଲା। ମାତ୍ର କିଛିଦିନ ପରେ ଉକ୍ତ ଜମିରୁ କିଛି ଜବରଦଖଲକାରୀ ବିଡିଏର ନିର୍ମାଣ ଭାଙ୍ଗି ପୁନର୍ବାର ନିଜ ଅକ୍ତିଆରକୁ ନେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଡିଏ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ବିଡିଏ ଏକ ମାମଲା ରୁଜୁ କରିଥିବାବେଳେ ଶଙ୍କର ନାୟକ ନାମକ ଜଣେ ବ୍ୟକ୍ତି ଭରତପୁର ଥାନାରେ ଜବରଦଖଲକାରୀଙ୍କ ବିରୋଧରେ ୧୭ ଲକ୍ଷ ଟଙ୍କାର ଠକେଇ ନେଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ଭରତପୁର ଥାନା ପୋଲିସ ଅଗଷ୍ଟ ୨୦ରେ ପ୍ରିୟବ୍ରତ ପଟ୍ଟନାୟକଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ବିଡିଏ ପକ୍ଷରୁ ଉକ୍ତ ସରକାରୀ ଜମିରେ ପୁନର୍ବାର ପାଚେରି କରାଯାଇ ନିଜ ଦଖଲକୁ ନିଆଯାଇଛି। ତେବେ ଉକ୍ତ ସରକାରୀ ଜମିର କିଭଳି ପଟ୍ଟା କରାଗଲା ତାହା ଏବେ ତଦନ୍ତ ପରିସରଭୁକ୍ତ ରହିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନାୟକ ଦାବି କରିଛନ୍ତି।