ଆମ୍ବୁଲାନ୍ସରେ ମିଳିଲାନି ଅକ୍ସିଜେନ୍‌: ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ଆନନ୍ଦପୁର,୨୮। ୧୧(ସ୍ବ.ପ୍ର.)-ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ହେଲେ ଆମ୍ବୁଲାନ୍ସରେ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି ନନ୍ଦିପଦା ଥାନା ଖେତୁଆଳି ଗ୍ରାମରେ। ଏହାକୁ ନେଇ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘସିପୁରା ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଛି। ମା’ ଆଖି ଆଗରେ ଝିଅଟି ଛଟପଟ ହୋଇ ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ବସନ୍ତ ବେହେରାଙ୍କ ଝିଅ ଶ୍ୱାସଜନିତ ସମସ୍ୟାରେ ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିଲେ। ହେଲେ ବାଟରେ ଝିଅର ଶ୍ୱାସଜନିତ ରୋଗ ଅଧିକ ବଢିଯିବାରୁ ତାଙ୍କ ମା’ ଅକ୍ସିଜେନ୍‌ ଲଗାଇବାକୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବାରମ୍ବାର କହିଥିଲେ। ହେଲେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଶିଶୁ ଡାକ୍ତରଖାନାରେ ପହଞ୍ଚତ୍ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।