ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୨୫ କୁଇଣ୍ଟାଲ ମହୁଲ ବୋଝେଇ ଏକ ପିକଅପ୍ ଭ୍ୟାନକୁ ଜବତ କରାଯାଇଥିବା ବେଳେ ଏନେଇ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ବ୍ଲକର ଲିଲିଙ୍ଗପଦର ଗ୍ରାମରୁ ଏକ ପିକଅପ୍ ଭ୍ୟାନ (OD 08 M 6498) ଯୋଗେ ବିପୁଳ ପରିମାଣର ମହୁଲ ଜୁନାଗଡ଼ ଅଞ୍ଚଳକୁ ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଥୁଆମୂଳ ରାମପୁର ଅବକାରୀ ବିଭାଗ କର୍ଲାପାଟ ଅଞ୍ଚଳରେ ଚଢ଼ାଉ କରି ଗାଡ଼ିଟିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୨୫ କୁଇଣ୍ଟାଲ ମହୁଲ ମିଳିଥିଲା, ଯାହାକୁ ଅବୈଧ ଭାବେ ମଦ ପ୍ରସ୍ତୁତି ପାଇଁ ନିଆଯାଉଥିବା ସନ୍ଦେହ କରାଯାଉଛି। ଜବତ ମହୁଲକୁ ପରବର୍ତ୍ତୀ ସମୟରେ ଲାଠିଆଗୁଡ଼ା ମଦ ଭାଟିରେ ଜିମା ଦିଆଯାଇଛି।

ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୧୦/୨୬ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଭାରପ୍ରାପ୍ତ ଅବକାରୀ ଅଧିକାରୀ (OIC) ସରୋଜ କୁମାର କାଟ୍ଟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହା ଏକ ଜାମିନ ଯୋଗ୍ୟ (Bailable) ଘଟଣା ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇ ନାହିଁ । ଓଡ଼ିଶା ଅବକାରୀ ଆଇନର ଧାରା ୫୨ (ii) ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧାରା ୩୫ ଅନୁଯାୟୀ ନୋଟିସ୍ ପ୍ରଦାନ କରି ଛାଡ଼ି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୬ ତାରିଖରେ ମଧ୍ୟ କର୍ଲାପାଟ ଥାନା ଅଞ୍ଚଳରୁ ୭ କୁଇଣ୍ଟାଲ ମହୁଲ ସହ ଏକ ସ୍ୱରାଜ ଟ୍ରାକ୍ଟର ଜବତ କରାଯାଇଥିଲା। ସେହି ସମୟରେ ବିଭାଗ ପକ୍ଷରୁ ଟ୍ରାକ୍ଟର ମାଲିକ ଓ ଡ୍ରାଇଭରଙ୍କୁ କାବୁ କରାଯାଇ ୨୬ ନମ୍ବର କେସ ରୁଜୁ ହୋଇଥିଲା।

ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ଓ ମହୁଲ ଚାଲାଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବିଭିନ୍ନ ବାଇକ୍, ବୋଲେରୋ ଓ ଭେନ୍ ଯୋଗେ ଖୁଲମଖୁଲା ମଦ ଚାଲାଣ ହେଉଥିଲେ ହେଁ ଅବକାରୀ ବିଭାଗ କେବଳ ଛୋଟ ଛୋଟ ଘଟଣାକୁ ଧରି ନିଜର ବାଃ ବାଃ ନେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ମଦ ମାଫିଆଙ୍କ କବଜାରେ ବିଭାଗ ରହିଥିବା ଅଭିଯୋଗ କରି ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily