ବଟେଶ୍ୱର ପୀଠ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ବିଧାୟକଙ୍କ ହସ୍ତକ୍ଷେପ ପରେ ତଦନ୍ତ, ଶ୍ରାବଣ ସୁଦ୍ଧା…

ଗଞ୍ଜାମ, ୯।୫(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ବ୍ଲକର ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଶେଷରେ ପ୍ରଶାସନ ଓ ଜନପ୍ରତିନିଧି ତତ୍ପରତା ପ୍ରକାଶ କରିଛନ୍ତି। ବିଧାୟକଙ୍କ ହସ୍ତକ୍ଷେପ ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଆସନ୍ତା ଶ୍ରାବଣ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ଏହି ଐତିହାସିକ ପୀଠକୁ ଯିବା ପାଇଁ ରାଜପଥ-୧୬ ରୁ ସଂଯୋଗୀକରଣ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଦୀର୍ଘ ୪ ମାସ ହେଲା ରାସ୍ତା ପାର୍ଶ୍ୱ ଖୋଳାଯାଇ ପଡ଼ି ରହିଥିବାରୁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଥିଲା। ଏହି ରାସ୍ତା ଉପରେ ନିର୍ଭର କରୁଥିବା ୩ଟି ଗ୍ରାମର ବାସିନ୍ଦା, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏପରିକି ରାସ୍ତା ବିପର୍ଯ୍ୟସ୍ତ ଯୋଗୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ ହୋଇଥିଲା।
ସମ୍ବାଦପତ୍ରରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏଥିରେ ହସ୍ତକ୍ଷେପ କରିଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ବାଇଁ, ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସିଂହ ଏବଂ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା କୁମାରୀ ହାତୀ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ। ଅଧିକାରୀମାନେ ସେଠାରେ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅର୍ଥ ବ୍ୟୟ ବରାଦ ହୋଇଥିବା ଏହି ପ୍ରକଳ୍ପ ଜୁଲାଇ ୨୦୨୫ରୁ ଆରମ୍ଭ ହୋଇ ଜୁଲାଇ ୨୦୨୬ ସୁଦ୍ଧା ଶେଷ ହେବାର ସୂଚନା ବୋର୍ଡ ରହିଛି। ତେବେ ବର୍ତ୍ତମାନର ସମସ୍ୟାକୁ ଦୃଷ୍ଟିରେ ରଖି ଏବଂ ଆଗକୁ ଶ୍ରାବଣ ମାସରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିରେ ରଖି, ଆସନ୍ତା ଶ୍ରାବଣ ମାସ ସୁଦ୍ଧା ଯଥାଶୀଘ୍ର ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।
ଉକ୍ତ ରାସ୍ତା ନିର୍ମାଣ ଶେଷ ହେଲେ ଅଞ୍ଚଳବାସୀଙ୍କ ସମେତ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଉପକୃତ ହେବେ ବୋଲି ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟି ଆଶା ବ୍ୟକ୍ତ କରିଛି।
Dharitri – Odisha’s No.1 Odia Daily

Share