ରାଜ୍ୟର ୪ ପୋଲିସ ଅଧିକାରୀ ପାଇବେ ଉତ୍କର୍ଷ ସେବା ପଦକ

କଟକ ଅଫିସ,୧୩ା୮: ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦେଶର ୧୫୨ଜଣ ପୋଲିସ ଅଧିକାରୀଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବ। ଏଥିପାଇଁ ଓଡ଼ିଶା ପୋଲିସର ୪ ଅଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଡିଏସ୍‌ପି ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳ, ତୃପ୍ତିରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁ। ଏ ନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କଟକ ଜିଲା ସାଲେପୁର ଅଞ୍ଚଳର ୬ବର୍ଷର ଶିଶୁକୁ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରି ଦେବେନ୍ଦ୍ର ମଲ୍ଲିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ଘଟଣାରେ ଉଲ୍ଲେଖନୀୟ ତଦନ୍ତ କରିଥିବାରୁ ଦେବେନ୍ଦ୍ରଙ୍କୁ ଉକ୍ତ ପଦକ ପ୍ରଦାନ କରାଯିବ। ସେହିପରି ଭୁବନେଶ୍ୱରର ବହୁଚର୍ଚ୍ଚିତ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାର ସଫଳ ତଦନ୍ତ ନିମନ୍ତେ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କୁ ଏହି ପଦକ ପ୍ରଦାନ କରାଯିବ। ଏହି ଘଟଣାରେ କୌଣସି ପାରିପାର୍ଶ୍ୱିକ ପ୍ରମାଣ ନ ଥିବା ସତ୍ତ୍ୱେ ଦେବେନ୍ଦ୍ର ହତ୍ୟାକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେହିପରି କନ୍ଧମାଳ ଜିଲାରେ ହତ୍ୟା, ବଳାତ୍କାର, ଡକାୟତି ଆଦି ୪ଟି ଘଟଣାରେ ତଦନ୍ତ କରି ଦୋଷୀଙ୍କୁ ସଜା ଦେବା କ୍ଷେତ୍ରରେ ସଫଳତା ହାସଲ କରିଥିଲେ ତୃପ୍ତିରଞ୍ଜନ। ଇନ୍ସପେକ୍ଟର ଶ୍ରୀକାନ୍ତ କେନ୍ଦୁଝରର ୩ଟି ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ସଜା ଦେବାରେ ମୁଖ୍ୟ ଭୂମିକା ନିଭାଇଥିଲେ। ତୃପ୍ତିରଞ୍ଜନ ଓ ଶ୍ରୀକାନ୍ତ ୨୦୧୦ ମସିହାରେ ଓଡ଼ିଶା ପୋଲିସରେ ଏସ୍‌ଆଇ ଭାବେ ଯୋଗଦେଇଥିଲେ। ଏପର୍ଯ୍ୟନ୍ତ ସେମାନେ ଉତ୍ସର୍ଗୀକୃତ ଭାବେ କାମ କରିଆସୁଛନ୍ତି। ସମସ୍ତ ଅଧିକାରୀ ତଦନ୍ତବେଳେ ସାଇଣ୍ଟିଫିକ୍‌ ଓ ଫରେନ୍‌ସିକ କିଟ୍‌ ବ୍ୟବହାର କରି ସମ୍ବେଦନଶୀଳ ଘଟଣାର ରହସ୍ୟ ଉନ୍ମୋଚନ କରିଥିଲେ।