ସଂରକ୍ଷଣ ବ୍ୟବସ୍ଥାର କ୍ରମ ବିକାଶ

ସମ୍ବିଧାନରେ ସ୍ଥାନିତ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାର ଦୀର୍ଘ ପୃଷ୍ଠଭୂମି ରହିଛି। ବ୍ରିଟିଶ ଶାସନାଧୀନ ଭାରତବର୍ଷରେ ସର୍ବପ୍ରଥମେ କୋହ୍ଲାପୁର ରାଜ୍ୟରେ ୧୯୦୨ରେ ସରକାରୀ ସିଦ୍ଧାନ୍ତ ରୂପେ ଚାକିରି କ୍ଷେତ୍ରରେ ଅନଗ୍ରସର ଜାତିସମୂହଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ତତ୍କାଳୀନ କୋହ୍ଲାପୁର ମହାରାଜା ଶାହୁଜୀ ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ଏହା କାର୍ଯ୍ୟକାରୀ ହୋଇଥିଲା। ତେଣୁ ଶାହୁଜୀ ମହାରାଜଙ୍କୁ ସଂରକ୍ଷଣର ଜନକଭାବେ ସମ୍ବୋଧିତ କରାଯାଏ। ପ୍ରକାଶଥାଉ କି ସେ ସମୟରେ ଏସ୍‌ଟି, ଏସ୍‌ସି ଓ ଓବିସି ପରି ଗୋଷ୍ଠୀର ଉଦ୍ରେକ ହୋଇ ନ ଥିଲା। ଏମାନେ ସମସ୍ତେ ଡିପ୍ରେସ୍ଡ କ୍ଲାସ ବା ଅନଗ୍ରସର ଜାତି ସମୂହ ଭାବେ ପରିଚିତ ହେଉଥିଲେ। କେତେକ କ୍ଷେତ୍ରରେ ଏମାନେ ଶୂଦ୍ର ବା ଅସବର୍ଣ୍ଣ ଭାବେ ପରିଚିତ ହେଉଥିଲେ। ସେ ଏମାନଙ୍କୁ ସରକାରୀ ଚାକିରିରେ ଶତକଡ଼ା ୫୦ ଭାଗ ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ସେ ସମାଜର ତଳ ଜାତିର ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେଇଥିଲେ। ଏହି କ୍ରମରେ ସେ ଡକ୍ଟର ବି. ଆର୍‌. ଆମ୍ବେଡକରଙ୍କୁ ଉଚ୍ଚଶିକ୍ଷା ଲାଭପାଇଁ ସାହାଯ୍ୟ କରିଥିଲେ। ପରେ ଡ.ଆମ୍ବେଡକର ସମାଜ ସଂସ୍କାର ଦିଗରେ ଶାହୁଜୀ ମହାରାଜଙ୍କ ମୁଖ୍ୟ ସହଯୋଗୀ ହୋଇଥିଲେ। ୧୯୨୨ରେ ଶାହୁଜୀଙ୍କ ଦେହାନ୍ତ ପରେ ଏ ଆନ୍ଦୋଳନର ଦାୟିତ୍ୱ ଆମ୍ବେଡକରଙ୍କୁ ବହନ କରିବାକୁ ପଡ଼ିଥିଲା। ସେତେବେଳକୁ ମୁସଲିମ ଲିଗ ମୁସଲମାନମାନଙ୍କ ପାଇଁ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ଦାବି ଆରମ୍ଭ କରିଦେଇଥିଲା। ଆମ୍ବେଡକରଙ୍କ ନେତୃତ୍ୱରେ ଅନଗ୍ରସର ଜାତିସମୂହ ସଂଗଠିତ ହୋଇ ସମାନ ସାମାଜିକ ଅଧିକାର ପାଇଁ ଲଢୁଥାନ୍ତି ଓ ନିଜର ସ୍ଥିତିକୁ ଜାହିର କରିସାରିଥାନ୍ତି। ଏହା ସହିତ ଏମାନଙ୍କ ଶିକ୍ଷାଗତ ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନେବା ଲାଗି ବ୍ରିଟିଶ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥାନ୍ତି।
ସେ ସମୟରେ ଭାରତୀୟ ଶାସନର ନିୟମ ଇଂଲଣ୍ଡରେ ତିଆରି ହେଉଥାଏ। ୧୯୧୯ ରେଗୁଲେଶନ ଆକ୍ଟ ଅନୁଯାୟୀ ଶାସନ ଚାଲିଥାଏ। ଭାରତୀୟଙ୍କୁ ଅଧିକ କ୍ଷମତା ପ୍ରଦାନ ପାଇଁ କଂଗ୍ରେସ ଦାବି କରୁଥାଏ। ୧୯୧୯ ଆକ୍ଟର ସଂଶୋଧନ ଓ ଅଧିକ କ୍ଷମତା ପ୍ରଦାନ ପାଇଁ ବ୍ରିଟିଶ ସରକାର ସାର୍‌ ଜନ ସାଇମନଙ୍କ ନେତୃତ୍ୱରେ ୧୯୨୮ରେ ଏକ କମିଶନ ଅନୁଧ୍ୟାନ ପାଇଁ ପଠାନ୍ତି। କଂଗ୍ରେସ ଏହାକୁ ବିରୋଧ କରେ। କିନ୍ତୁ ଡ.ଆମ୍ବେଡକର ବହିସ୍କୃତ ହିତକାରିଣୀ ସଭା ତରଫରୁ ସାଇମନ କମିଶନକୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରନ୍ତି; ଯେଉଁଥିରେ ସେ ଦଳିତ ଓ ସମାଜର ତଳ ସ୍ତରର ଲୋକଙ୍କ ଦୁରବସ୍ଥାକୁ ଉଲ୍ଲେଖ କରି ଏମାନଙ୍କ ପାଇଁ ନିର୍ବାଚନମଣ୍ଡଳୀରେ, ମନ୍ତ୍ରିମଣ୍ଡଳରେ ତଥା ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦାବି କରନ୍ତି। ଏହା ଥିଲା ସାମ୍ବିଧାନିକ ସଂରକ୍ଷଣର ପ୍ରଥମ ପଦକ୍ଷେପ।
ସାଇମନ କମିଶନଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ରାଜନୈତିକ ସଂଗଠନ ମଧ୍ୟରେ ସହମତି ଆଣିବା ପାଇଁ ୧୯୩୦ରେ ଇଂଲଣ୍ଡରେ ପ୍ରଥମ ଗୋଲଟେବଲ୍‌ ବୈଠକ ଅନୁଷ୍ଠିତ ହୁଏ। କଂଗ୍ରେସ ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରେ। ଆମ୍ବେଡକର ଏହି ବୈଠକରେ ଯୋଗ ଦିଅନ୍ତି। ସେଠାରେ ସେ ଘୃଣ୍ୟ ଜାତି ବ୍ୟବସ୍ଥାର ଶିକାର ହୋଇ ଆସିଥିବା ଦଳିତ ଓ ସମାଜର ତଳ ଜାତିର ଲୋକମାନଙ୍କର ସ୍ବତନ୍ତ୍ର ମାନ୍ୟତା ଦାବି କରନ୍ତି ଓ ଏମାନଙ୍କ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ନୀତିର କାର୍ଯ୍ୟକାରୀ ପାଇଁ ଦାବି କରନ୍ତି। ପୁଣି ୧୯୩୧ରେ ଦ୍ୱିତୀୟ ଗୋଲଟେବଲ୍‌ ବୈଠକ ବସେ। ଏଥିରେ କଂଗ୍ରେସ ସମେତ ସମସ୍ତ ସଂଗଠନ ଯୋଗ ଦିଅନ୍ତି। ଆଲୋଚନା କାଳରେ ମୁସଲିମ ଲିଗ୍‌ ସମେତ ଅନେକ ଗୋଷ୍ଠୀ ନିଜର ସ୍ବାର୍ଥ ସପକ୍ଷରେ ମତ ଦିଅନ୍ତି ଓ ନିଜର ସଂଖ୍ୟାନୁପାତିକ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଅନ୍ତି। ଡକ୍ଟର ଆମ୍ବେଡକର ମଧ୍ୟ ସମସ୍ତ ଦଳିତ ଓ ଅନଗ୍ରସର ସମାଜର ସ୍ବତନ୍ତ୍ର ମାନ୍ୟତା ଓ ସମାନୁପାତିକ ଅଧିକାର ଉପରେ ଗୁରୁତ୍ୱ ଦିଅନ୍ତି।
ଏ ବିଷୟକୁ ନେଇ ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କ ମତାନ୍ତର ହୋଇଥିଲା। ମହାତ୍ମା ଗାନ୍ଧୀ ବର୍ଣ୍ଣବ୍ୟବସ୍ଥାକୁ ସ୍ବୀକାର କରୁଥିଲେ। ତେଣୁ ଦଳିତ ଓ ଅନଗ୍ରସର ଜାତିମାନଙ୍କୁ ହିନ୍ଦୁ ସମାଜ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରୁଥିଲେ। କିନ୍ତୁ ଆମ୍ବେଡକରଙ୍କ ଯୁକ୍ତି ଥିଲା ବର୍ଣ୍ଣବ୍ୟବସ୍ଥା ଯୋଗୁ ଦଳିତ ଓ ସମାଜର ତଳ ସ୍ତରର ଲୋକମାନେ ଅସମାନତା, ଘୃଣା ଓ ନିର୍ଯାତନାର ଶିକାର ହେଉଛନ୍ତି। ତେଣୁ ଏମାନଙ୍କୁ ସ୍ବତନ୍ତ୍ର ଗୋଷ୍ଠୀର ମାନ୍ୟତା ମିଳିବା ଦରକାର। ଯଦି ସଂଖ୍ୟାଲଘୁଙ୍କ ସ୍ବାତନ୍ତ୍ରତାକୁ ସ୍ବୀକାର କରାଯାଇପାରିବ, ତେବେ ଦଳିତମାନଙ୍କ ସ୍ବତନ୍ତ୍ରତାକୁ ସ୍ବୀକାର କରାଯିବ ନାହିଁ କାହିଁକି ? ଏହାପରେ ୧୯୩୨ରେ ତୃତୀୟ ଗୋଲଟେବଲ ବୈଠକ ବସିଥିଲା ଓ ସେଥିରୁ ମଧ୍ୟ କୋଣସି ନିର୍ଯାସ ଆସିପାରି ନ ଥିଲା। ଏଥିରେ କଂଗ୍ରେସ ସମେତ ମୁଖ୍ୟ ସଂଗଠନଗୁଡ଼ିକ ଯୋଗଦେଇ ନ ଥିଲେ। କିନ୍ତୁ ଡ.ଆମ୍ବେଡକର ଯୋଗଦେଇ ଦଳିତ ଓ ଅନଗ୍ରସର ଜାତିଙ୍କ ବିକାଶ ଓ ସମାନ ପ୍ରତିନିଧିତ୍ୱ କଥା ଦୋହରାଇ ଥିଲେ।
ସାଇମନ କମିଶନଙ୍କ ରିପୋର୍ଟ ଓ ଗୋଲଟେବଲ ବୈଠକର ନିର୍ଯାସ ଉପରେ ବ୍ରିଟିଶ ସରକାରଙ୍କ ଦ୍ବାରା ୧୯୩୨ରେ କମ୍ୟୁନାଲ ଏୱାର୍ଡ ପ୍ରକାଶ ପାଇଥିଲା। ଏହା ଥିଲା ଏକ ପ୍ରକାର ସଂରକ୍ଷଣ ବ୍ୟବସ୍ଥା। ଏଥିରେ ପ୍ରତ୍ୟେକ କମ୍ୟୁନିଟି ପାଇଁ ରାଜନୈତିକ ସଂରକ୍ଷଣର ବ୍ୟବସ୍ଥା ଥିଲା। ଅର୍ଥାତ୍‌ ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ୍‌, ଆଙ୍ଗ୍ଲୋଇଣ୍ଡିଆନ ସମେତ ଦଳିତବର୍ଗ (ଡିପ୍ରେସ୍ଡ କ୍ଲାସ) ଙ୍କ ପାଇଁ ସ୍ବତନ୍ତ୍ର ସଂରକ୍ଷିତ ଆସନର ବ୍ୟବସ୍ଥା କରାଯାଇଥିଲା। ମହାତ୍ମା ଗାନ୍ଧୀ ସଂଖ୍ୟାଲଘୁ ସଂରକ୍ଷଣକୁ ବିରୋଧ କରି ନ ଥିଲେ। କିନ୍ତୁ ଦଳିତ(ଡିପ୍ରେସ୍ଡ) ବର୍ଗଙ୍କ ସଂରକ୍ଷଣକୁ ବିରୋଧ କରି ଆମରଣ ଅନଶନ ଆରମ୍ଭ କରିଥିଲେ। କମ୍ୟୁନାଲ ଏୱାର୍ଡ ମୁତାବକ ଦଳିତ(ଡିପ୍ରେସ୍ଡ) ବର୍ଗଙ୍କୁ ୭୧ଟି ପୃଥକ ସଂରକ୍ଷିତ ଆସନ ପ୍ରଦାନ କରାଯାଇଥିଲା। ହିନ୍ଦୁଧର୍ମ ମଧ୍ୟରେ ଜାତିଭିତ୍ତିକ ସଂରକ୍ଷଣ ଦ୍ୱାରା ଏହା ଭାଗଭାଗ ହୋଇଯିବ ଓ ଏକତା ନଷ୍ଟ ହୋଇଯିବ ବୋଲି ତାଙ୍କ ଆଶଙ୍କା ଥିଲା।
ଅନଶନ ଦୀର୍ଘଦିନ ଧରି ଚାଲିଲା। କ୍ରମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାକୁ ଲାଗିଲା। ଚାରିଆଡୁ ଆମ୍ବେଡକରଙ୍କ ଉପରେ ଚାପ ସୃଷ୍ଟି କରାଗଲା ସ୍ବତନ୍ତ୍ର ସଂରକ୍ଷିତ ଆସନ ଦାବିରୁ ଓହରି ଯିବା ପାଇଁ। ବହୁ ଆଲୋଚନା ପରେ ଆମ୍ବେଡକର ରାଜି ହେଲେ ଦୈତ୍ୟ ସଂରକ୍ଷଣ ବ୍ୟବସ୍ଥା ପାଇଁ। ଏହି ବ୍ୟବସ୍ଥା ଅନୁଯାୟୀ ସଂରକ୍ଷିତ ଆସନରୁ ଦୁଇଜଣ ପ୍ରତିନିଧିତ୍ୱ କରିବେ। ଜଣେ ସାଧାରଣ ବର୍ଗରୁ ଓ ଜଣେ ଦଳିତ(ଡିପ୍ରେସ୍ଡ) ବର୍ଗରୁ। ଏହି ବ୍ୟବସ୍ଥାରେ ଦଳିତ(ଡିପ୍ରେସ୍ଡ) ବର୍ଗଙ୍କୁ ୭୧ଟି ଆସନ ବଦଳରେ ୧୪୭ଟି ଆସନ ମିଳିବାର ସହମତି ହେଲା। ଏହି ନୀତିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ସେପ୍ଟେମ୍ବର ୨୪ ତାରିଖ, ୧୯୩୨ରେ ଯେଉଁ ସ୍ବାକ୍ଷର ହୋଇଥିଲା ତାହା ପ୍ରସିଦ୍ଧ ପୁନା ପ୍ୟାକ୍ଟ ବା ପୁନାଚୁକ୍ତି ନାମରେ ଖ୍ୟାତ। ଏହାକୁ ସ୍ବାଧୀନ ଭାରତର ସଂରକ୍ଷଣ ସମ୍ବନ୍ଧୀୟ ପ୍ରାକ୍‌ ସାମ୍ବିଧାନିକ ଚୁକ୍ତି ବୋଲି କୁହାଯାଇପାରେ। ଏହି ଚୁକ୍ତି ଡ.ଆମ୍ବେଡକରଙ୍କ ଇଚ୍ଛାମତେ ହୋଇ ନ ଥିଲେ ବି ଏହା ଦ୍ୱାରା କିଛି ପାଇବାର ଶୁଭାରମ୍ଭ ହୋଇଥିଲା। ପ୍ରଚଳିତ ଜାତିବାଦୀ ବ୍ୟବସ୍ଥା ଅନଗ୍ରସର ଜାତି ସମୂହକୁ କିଛି ଅଧିକାର ଦେବା ପାଇଁ ରାଜି ହୋଇଥିଲା। ତେଣୁ ସମତା ଆନ୍ଦୋଳନର ଏହା ଏକ ଯୁଗାନ୍ତକାରୀ ସୋପାନ ଭାବେ ବିବେଚନା କରାଯାଏ।
ପରବର୍ତ୍ତୀ କାଳରେ ଏହି ଚୁକ୍ତିର ଗୁରୁତ୍ୱ ବ୍ରିଟିଶ ଶାସନ ବ୍ୟବସ୍ଥାରେ ପ୍ରତିଫଳିତ ହେବାକୁ ଲାଗିଲା। ସମ୍ବିଧାନ ରଚନା କାଳରେ ଡ୍ରାଫ୍ଟିଙ୍ଗ କମିଟିର ଚେୟାରମ୍ୟାନ ଭାବେ ଡ. ଆମ୍ବେଡକର ସାମାଜିକ ସମତା ଆନ୍ଦୋଳନର ସମସ୍ତ ଅଭିଜ୍ଞତାକୁ ଏଥିରେ ସ୍ଥାନିତ କରିଥିଲେ। ପୁନାଚୁକ୍ତି ଦ୍ୱାରା ପ୍ରାପ୍ତ ହୋଇଥିବା ଅନଗ୍ରସର ଜାତିଙ୍କର ସ୍ବତନ୍ତ୍ର ମାନ୍ୟତାକୁ ସେ କାମରେ ଲଗାଇଥିଲେ। ସାମାଜିକ ସ୍ଥିତି ଓ ବିକାଶର ତାରତମ୍ୟକୁ ଦେଖି ଏମାନଙ୍କୁ ତିନି ଗୋଷ୍ଠୀରେ ବିଭକ୍ତ କରିଥିଲେ। ତାହା ହେଉଛି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ଅନଗ୍ରସର ବର୍ଗ। ଏମାନଙ୍କ ବିକାଶ ନିମିତ୍ତ ସମ୍ବିଧାନରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦

Odisha’s No.1 Odia Daily

Share