ଆଜି ଖୋଲିବ ଇଭିଏମ୍‌, ଆଶଙ୍କାରେ ପ୍ରାର୍ଥୀ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିର୍ବାଚନ ସରିଛି। ନିଜ ମନ ପସନ୍ଦର ନେତା ବାଛିଛନ୍ତି ରାଜଧାନୀବାସୀ। ଅପେକ୍ଷା କେବଳ ଫଳାଫଳକୁ। ଲୋକଙ୍କ ବିଶ୍ୱାସ ଜିତିବାରେ କିଏ ସଫଳ ହୋଇଛନ୍ତି ତାହା ଶନିବାର ଜଣାପଡିବ। ଏପଟେ ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆଶା ଓ ଆଶଙ୍କାର ଦୋ’ ଛକିରେ ରହିଛନ୍ତି ସମସ୍ତ ପ୍ରାର୍ଥୀ। ଭୋଟ ଗ୍ରହଣ ପରେ ବିଏମ୍‌ସିର ୬୭ଟି ଓ୍ବାର୍ଡ ପାଇଁ ୨୮୯ଜଣ କର୍ପୋରେଟର ଓ ୧୨ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁୟାୟୀ ଶନିବାର ସକାଳ ୮ଟା ରୁ ଭୋଟ ଗଣତି ଆରମ୍ଭ ହେବ। ବିଜେବି କଲେଜ ଷ୍ଟ୍ରଙ୍ଗ୍‌ରୁମରେ ୪ଟି ହଲ୍‌ରେ କର୍ପୋରେଟର ଏବଂ ମେୟରଙ୍କ ପାଇଁ ୨୪ଟି ଲେଖାଏ ଟେବୁଲରେ ଗଣତି କରାଯିବ। ଓ୍ବାର୍ଡ ଓ୍ବାଇଜ୍‌ ଭୋଟ ଗଣତି କରି ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନିୟମିତ ବ୍ୟବଧାନରେ ଭୋଟ ଗଣତି ସମ୍ପର୍କିତ ଟିକିନିଖି ସୂଚନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ, କର୍ପୋରେଟର ଓ ମେୟର ପଦବୀ ପାଇଁ ଦୁଇଟି ପୃଥକ ଏଲ୍‌ଇଡି ବା ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଥିବା ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
ପରପକ୍ଷେ କର୍ପୋରେଟର ପଦ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବ୍ୟତୀତ ଅନେକ ଆଶାୟୀ ସ୍ବାଧୀନ ଭାବେ ନିର୍ବାଚନ ଲଢିଛନ୍ତି। ଦଳୀୟ ଟିକେଟ ନ ପାଇ ଏକାଧିକ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ନିଜ ନିଜ ଭିତରେ ଲଢେଇ ଚାଲିଥିବାବେଳେ ଲୋକେ ଦଳକୁ ଦେଖି ଭୋଟ ଦେଇଛନ୍ତି କି ପ୍ରାର୍ଥୀଙ୍କୁ ଦେଖି ଦେଇଛନ୍ତି ତାହା ଗଣତିରେ ଜଣାପଡିବ। ବିଶେଷକରି ବିଜେଡି, ଭାଜପା ମଧ୍ୟରେ ଟକ୍କର ହେଉଥିବାବେଳେ କେତେକ ଓ୍ବାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ଉପରେ ସ୍ବାଧୀନ ପ୍ରାର୍ଥୀ ଭାରି ପଡିବେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ପ୍ରଥମ କରି ଜନସାଧାରଣ ସିଧାସଳଖ ଭୋଟ ଦେଇ ମେୟର ପ୍ରାର୍ଥୀଙ୍କୁ ବାଛିଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ମିଶାଇ ମୋଟ୍‌ ୧୨ଜଣ ପ୍ରାର୍ଥୀ ଏହି ପଦ ପାଇଁ ପ୍ରତିଯୋଗିତା କରୁଛନ୍ତି। ତେଣୁ କେଉଁ ପ୍ରାର୍ଥୀଙ୍କୁ ଭୋଟରମାନେ ମେୟର ପଦବୀରେ ଦେଖିବାକୁ ଚାହୁଛନ୍ତି ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ସେ କେତେ ସଂଖ୍ୟାରେ ଜିତିବେ ତାହା ଶନିବାର ନିର୍ଦ୍ଧାରଣ ହେବ।