ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଓ ଛୋଟ ବ୍ୟବସାୟୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ। ନଗଦ ଅର୍ଥରେ କାରବାର କରୁଥିବା ଏହି ବର୍ଗଙ୍କ ପକ୍ଷରେ ୫୦୦ ଓ ୧୦୦୦ ଟଙ୍କିଆ ବଡ଼ ନୋଟ୍‌ ବଦଳାଇବା କଷ୍ଟକର ହେବାରୁ ସେମାନଙ୍କ ସଞ୍ଚତ୍ତ ଅନେକ ଅର୍ଥ ମଧ୍ୟ ପାଣିରେ ପଡ଼ିଥିଲା। ଏବେ ବଡ଼ବଡ଼ିଆ ଓ ମଲ୍‌ ମାଲିକଙ୍କୁ ସୁବିଧା ଦିଆଯାଇ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଥିବା ବେପାରୀଙ୍କୁ ହଟାଇ ଦିଆଯାଉଥିବାରୁ ଫୁଟ୍‌ପାଥ ଅର୍ଥନୀତି ତଳକୁ ଚାଲିଗଲାଣି। ଫୁଟପାଥ ଇକୋନୋମିି ବୋଇଲେ ପାଦଚଲାପଥ ଅର୍ଥନୀତି, ଯାହା ସହରର ଫୁଟ୍‌ପାଥ ଏବଂ ରାସ୍ତାକଡ଼ରେ ଥିବା ଏକ ବିଶାଳ ତଥା ଅଣ-ଆନୁଷ୍ଠାନିକ ଖୁଚୁରା ସେବା କ୍ଷେତ୍ର ଥିଲା। ଏହା ମୁଖ୍ୟତଃ ଷ୍ଟ୍ରିଟ୍‌ ଭେଣ୍ଡର ବା ରାସ୍ତାକଡ଼ ବ୍ୟବସାୟୀ, ଫେରିବାଲା ଏବଂ ଛୋଟ ଦୋକାନୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହି ଅର୍ଥନୀତିର ବାର୍ଷିକ ଆକାର ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ଆକଳନ କରାଯାଉଛି। ଏବେ ତାହା ଦ୍ରୁତ ଗତିରେ ହ୍ରାସ ଘଟିବାରେ ଲାଗିଛି।
ଫୁଟ୍‌ପାଥରେ ଖାଦ୍ୟ ସୁଲଭ ମୂଲ୍ୟରେ ଓ ହାତପାହାନ୍ତାରେ ଉପଲବ୍ଧ ହେଉଥିବାରୁ ତାହାର ଚାହିଦା ବହୁତ। ଆଉ ଟିକେ ସରଳ ଭାବେ କହିଲେ ରାସ୍ତାକଡ଼ରେ ବିକ୍ରି କରୁଥିବା ଏହି ଛୋଟିଆ ବ୍ୟବସାୟୀଙ୍କଠାରୁ ବିଭିନ୍ନ ବର୍ଗର ଲୋକ ସେମାନଙ୍କ କିଣିବାର କ୍ଷମତା ଅନୁଯାୟୀ ସାମଗ୍ରୀ ବା ସେବା ପାଇପାରିଥାଆନ୍ତି। ଚା’, ତେଲଭାଜି, ଗୁପ୍‌ଚୁପ୍‌, ଚାଟ୍‌ ଭଳି ଖାଦ୍ୟ ସାମଗ୍ରୀଠାରୁ ଘରକରଣା ଜିନିଷ ଫୁଟ୍‌ପାଥରୁ ମିଳିଥାଏ। ହେଲେ ସହରକୁ ସୁନ୍ଦର କରିବାକୁ ଯାଇ ସେମାନଙ୍କ ଦଣ୍ଡି ପୋଲିସ ଛଡ଼ାଇ ନେଉଛି ବା ସ୍ଥଳବିଶେଷରେ ସେମାନଙ୍କ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଦେଉଛି। ସବୁଆଡ଼େ କର୍ପୋରେଟ ଓ ଶୋ’ରୁମ୍‌ରେ ଜିନିଷ ଝଲମଲ ହେଉଥିବାର ଦେଖିବାକୁ ଚାହୁଁଥିବା ବର୍ଗ ଛୋଟ ବେପାରୀଙ୍କୁ ମାରି ଦେଲେଣି। ଓଡ଼ିଶାଠାରୁ ଆରମ୍ଭ କରି ମୁମ୍ବାଇ ମହାନଗର ନିଗମ ଯାଏ ରାସ୍ତାକଡ଼ ବେପାରୀଙ୍କୁ ଦୂର୍‌ଦୂର୍‌ ମାର୍‌ମାର୍‌ କରାଯାଉଛି। ପୌରପାଳିକାର ସ୍ବଚ୍ଛ-ସହର ଅଭିଯାନ ଯୋଗୁ ବିକଳ୍ପ ତଥା ସୁରକ୍ଷିତ ସ୍ଥାନ ଯୋଗାଇ ଦିଆ ନ ଯାଇ ଫୁଟ୍‌ପାଥଗୁଡ଼ିକୁ ଖାଲି କରାଯିବା ନିତିଦିନିଆ ଘଟଣା ପାଲଟିଛି। ଖରାପ ସହରୀ ପରିକଳ୍ପନା ହେତୁ ପଥଚାରୀ, ଗାଡ଼ି ପାର୍କିଂ ଏବଂ ଛୋଟ ଛୋଟ ଉଠାଦୋକାନୀମାନଙ୍କ ମଧ୍ୟରେ ଫୁଟ୍‌ପାଥକୁ ନେଇ ଏକ ପ୍ରକାର ଲଢ଼େଇ ଚାଲିଛି। ୧୯ ଜୁନ୍‌ ୨୦୨୬ରେ ସୁପ୍ରିମକୋର୍ଟ ଫୁଟ୍‌ପାଥରେ ଚାଲିବାକୁ ଏକ ମୌଳିକ ଅଧିକାର ଭାବେ ସ୍ବୀକୃତି ଦେଇଥିଲେ। ଫଳରେ ପଥଚାରୀଙ୍କ ଯିବାଆସିବା ସୁଗମ କରିବାକୁ ସବୁ ପୌରପାଳିକା ପକ୍ଷରୁ ଦୋକାନଗୁଡ଼ିକୁ ହଟାଇବା ଅଭିଯାନ ଆହୁରି ଜୋରଦାର କରାଯାଉଛି। ଉଠାଦୋକାନୀ ଆଇନ କାର୍ଯ୍ୟକାରୀ ନ କରି କିମ୍ବା ସେମାନଙ୍କ ପାଇଁ ଅନୁକୂଳ ଭିତ୍ତିଭୂମି ନିର୍ମାଣ ନ କରି କେବଳ ‘ସ୍ବଚ୍ଛ ଫୁଟ୍‌ପାଥ’ ନିୟମ ଲାଗୁ କରିବା ଦ୍ୱାରା ସେମାନଙ୍କ ଜୀବିକା ନଷ୍ଟ ହେଉଛି। ଏହା କହିଲା ବେଳକୁ ସହରର ସୌନ୍ଦର୍ଯ୍ୟ ଏବଂ ଅବରୋଧମୁକ୍ତ ରାସ୍ତା ଓ ଫୁଟ୍‌ପାଥର ଗୁରୁତ୍ୱକୁ ଆମେ ହ୍ରାସ କରିବାକୁ ଉଦ୍ୟମ କରୁନାହୁଁ। ସଚେତନ ହୋଇ ରାସ୍ତାକଡ଼ ବେପାରୀ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ବସିବା ପରିବର୍ତ୍ତେ ଏଣେତେଣେ ସବୁବେଳେ ଏକାଠି ହେଉଥିବା ହେତୁ ସହରବାସିନ୍ଦାଙ୍କ ପାଇଁ ଅନେକ ସମସ୍ୟା ଉପୁଜୁଛି।
ସିଙ୍ଗାପୁର ଶୈଳୀର ‘ହକର ସେଣ୍ଟର’ ଭାରତରେ ଚିନ୍ତା କରାଯାଉ ନାହିଁ। ସିଙ୍ଗାପୁରରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମୁକ୍ତାକାଶ ଫୁଡ୍‌ କୋର୍ଟ ସ୍ଥାପନ କରାଯାଇଛି, ଯେଉଁଠାରେ ଅନେକ ସ୍ବାଧୀନ ଷ୍ଟଲ ରହିଛି ଯାହା ସ୍ବଳ୍ପ ମୂଲ୍ୟରେ ବିଭିନ୍ନ ପ୍ରକାରର ସ୍ଥାନୀୟ ଖାଦ୍ୟ ବିକ୍ରି କରିଥାଏ। ଶ୍ରମିକ, ଛାତ୍ର, ଟ୍ୟାକ୍ସି ଡ୍ରାଇଭର ଓ ସାଧାରଣ ବ୍ୟକ୍ତିଙ୍କ ବଜେଟ କମ୍‌ ରହୁଥିବାରୁ ସେମାନେ ଷ୍ଟ୍ରିଟ୍‌ ଫୁଡ୍‌କୁ ନେଇ ବଞ୍ଚତ୍ଥାଆନ୍ତି। ଅବଶ୍ୟ ରାସ୍ତାକଡ଼ ଖାଦ୍ୟର ଗୁଣବତ୍ତା ଓ ତାହା କେତେଦୂର ସ୍ବାସ୍ଥ୍ୟପ୍ରଦ ସେସବୁକୁ ନେଇ ଆଲୋଚନା ହୋଇଥାଏ। ସେଥିଲାଗି ସେମାନଙ୍କୁ ବ୍ୟାପକ ସଚେତନ କରିବାର ଆବଶ୍ୟକତା ରହିଛି। ଭାରତର ସହରୀ ଯୋଜନା ସୁବ୍ୟବସ୍ଥିତ କରାଯାଇ ନାହିଁ। ସେମାନଙ୍କୁ ଥଇଥାନ କରିବା ଲାଗି ସୁଯୋଗ ସୃଷ୍ଟି କରା ନ ଯାଇ ରାସ୍ତାକଡ଼ରୁ ହଟାଇ ଦେବା ସେମାନଙ୍କ ପାଇଁ ଅନ୍ୟାୟ ସଦୃଶ। ଆଉ ଏକ ଦିଗକୁ ଦେଖିଲେ ଯେଉଁ ମୁହୂର୍ତ୍ତରେ ସେମାନଙ୍କୁ ସଙ୍ଗଠିତ କ୍ଷେତ୍ର ଭିତରକୁ ଅଣାଯିବ ସେମାନଙ୍କୁ ଦୋକାନ ଭଡ଼ା, ଟିକସ, ବିଦ୍ୟୁତ୍‌ ଓ ପାଣି ବିଲ୍‌ ଦେବାକୁ ପଡ଼ିବ। ଏହା ହେଲେ ସେମାନେ ଲୋକଙ୍କୁ ଯେଉଁ ଶସ୍ତାରେ ସାମଗ୍ରୀ ଓ ସେବା ଯୋଗାଇ ଆସୁଥିଲେ ତାହା ଦେବାରେ ଅକ୍ଷମ ହେବେ। ଅନ୍ୟପଟେ ଏହାମଧ୍ୟ କୁହାଯାଏ ଯେ ‘ଶସ୍ତାରୁ ହୀନସ୍ତା’। ଏଠାରେ କେବଳ ଖାଦ୍ୟ ସାମଗ୍ରୀ ସମ୍ପର୍କରେ କୁହାଯାଉନାହିଁ। ଅଣସଙ୍ଗଠିତ ହୋଇ ସହରକୁ ବିଲିବିଲା, ଅପରିଷ୍କାର କରିବାର ଅଧିକାର ମଧ୍ୟ କାହାରି ରହିବା କଥା ନୁହେଁ। ଭାରତରେ ସମସ୍ତଙ୍କୁ ସହରାଞ୍ଚଳରେ ବସବାସ କରାଇବାକୁ ଉତ୍ସାହିତ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସୁରକ୍ଷିତ ଫୁଟ୍‌ପାଥ କୌଣସି ସହରରେ ନିର୍ମାଣ କରୁଥିବା ଦେଖାଯାଏ ନାହିଁ। ଅନ୍ୟସବୁ ଦେଶରେ ପଥଚାରୀଙ୍କ ପାଇଁ ସୁରକ୍ଷା ଓ ସୁବିଧା ସୃଷ୍ଟି କରାଯାଇଥାଏ। ତାହା ଭାରତର ବଡ଼ରୁ ଛୋଟ ସହର ପର୍ଯ୍ୟନ୍ତ କୌଣସିଠାରେ ଦେଖିବାକୁ ମିଳେନାହିଁ। କିନ୍ତୁ ଏହି ଫୁଟ୍‌ପାଥ ଅର୍ଥନୀତିରେ ସାମିଲ ହୋଇଥିବା ନାଗରିକ ସରକାରଙ୍କ ଉପରେ ଲଦି ହେଉନାହାନ୍ତି। ବିନା ବୀମା କିମ୍ବା ଅନ୍ୟ କୌଣସି ସୁବିଧା ନ ଥାଇ ଏହି ବ୍ୟବହାରକାରୀମାନେ ନିଜେ ନିଜର ପେଟ ପୋଷୁଥିବାରୁ ସେମାନଙ୍କୁ ସମ୍ମାନର ସହ ବ୍ୟବସାୟ କରିବାର ସୁବିଧା ଯୋଗାଇଦେବା କଥା। ଯେତେ ନାଗରିକ ନିଜର ବ୍ୟବସ୍ଥା କରି ବଞ୍ଚିପାରୁଛନ୍ତି ସେମାନଙ୍କୁ ସରକାର ହଇରାଣ କରିବା ଉଚିତ ନୁହେଁ। ବିମୁଦ୍ରୀକରଣ, ୨୦୦୦ ଟଙ୍କା ପ୍ରଚଳନ ଓ ପରବର୍ତ୍ତୀ ସମୟରେ ତାହାକୁ ଅଚଳ କରିଦେବା ଭଳି ଭ୍ରାନ୍ତ ନୀତିରୁ ମଧ୍ୟ ସରକାର ନିବୃତ୍ତ ରହିବା ଦରକାର।
ମଲ୍‌ସଂସ୍କୃତି ବା କର୍ପୋରେଟ୍‌ ହାଉସର ଗୁରୁତ୍ୱ ବଜାୟ ରଖିବା ଲାଗି ଯଦି ଉଦ୍ୟମ ହେଉଥିବ, ତାହା ହେଲେ ବୁଝାଯିବ ଯେ ରାସ୍ତାକଡ଼ ଅର୍ଥନୀତିକୁ ସମୃଦ୍ଧ କରୁଥିବା ବର୍ଗକୁ ସେମାନଙ୍କ ଚାକର କରାଇବା ଲାଗି ରୀତିମତ ଉଦ୍ୟମ ହେଉଛି।

 

Dharitri – Odisha’s No.1 Odia Daily

Share