ଯୁଆଡ଼େ ଦେଖିବ ସିଆଡ଼େ ଖାଲ

ଭୁବନେଶ୍ୱର, ୨୭।୯ (ବ୍ୟୁରୋ):‘ସ୍ମାର୍ଟସିଟି ଭୁବନେଶ୍ୱର’ କେବଳ ନାମକୁମାତ୍ର। ରାସ୍ତାଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁକିଛି ବିପର୍ଯ୍ୟସ୍ତ। ଯୁଆଡେ ଦେଖିବ ସିଆଡେ ଖାଲ। ସହରର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠାରେ ଖାଲଖମା ନାହିଁ। କେଉଁଠି ସ୍ବେରେଜ ଲାଇନ୍‌ ପାଇଁ ରାସ୍ତାକୁ ଖୋଲିବିଦାରି ଛାଡ଼ି ଦିଆଯାଉଛି ତ ଆଉ କେଉଁଠି ରାସ୍ତା ମଝିରେ ସ୍ବେରେଜ ଚାମ୍ବର ଗାତ ବିପଦର ଆଁ ମେଲି ରହିଛି। ଅଳ୍ପ ଖରାପ ସମୟରେ ରାସ୍ତା ମରାମତି ହେଉ ନ ଥିବାରୁ ଅଧିକାଂଶ ରାସ୍ତାରେ ବଡ଼ ବଡ଼ ଗାତ ସଦୃଶ ଖାଲ ସ୍ମାର୍ଟସିଟିବାସୀଙ୍କୁ ତିକ୍ତ ଅନୁଭବ ଦେଉଛି। ସ୍ମାର୍ଟସିଟିବାସୀ ସ୍ମାର୍ଟ ହୋଇ ରାସ୍ତାରେ ଯିବାବେଳେ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗୁଛି। କଟକ ରୋଡ୍‌ ହେଉ ଅବା ଝାରପଡ଼ା, ଶହୀଦ ନଗର, ସତ୍ୟନଗର, ବମିଖାଲ, ପଳାଶୁଣି, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ସିଆର୍‌ପିଏଫ୍‌ ଆଦି ସହରର ଅଧିକାଂଶ ପ୍ରମୁଖ ରାସ୍ତାର ଅବସ୍ଥା ଯାତ୍ରୀଙ୍କୁ ଅସହ୍ୟ କରିପକାଉଛି। ବର୍ଷାହେଲେ ଚିନ୍ତା ବଢ଼ୁଛି। ଅଜାଣତରେ ଜୀବନଯିବା ଭଳି ସ୍ଥିତିରୁ ସମ୍ମୁଖୀନ ହେବାକୁ ପଡୁଛି। ପୂର୍ତ୍ତ ବିଭାଗ ହେଉ ଅବା ବିଏମ୍‌ସି, ଠିକ୍‌ ସମୟରେ ଆବଶ୍ୟକ ମରାମତି କରୁନାହିଁ କି ଠିକାଦାର କାମ କରିସାରିବାପରେ ତଦାରଖ କରୁ ନ ଥିବାରୁ ସ୍ମାର୍ଟସିଟିର ରାସ୍ତାଘାଟର ଚିତ୍ର ଗାଁଠାରୁ ଆହୁରି ଖରାପ ହୋଇପଡୁଛି। ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୨ରେ ବିଏମ୍‌ସି କାର୍ଯ୍ୟାଳୟରେ ବୈଠକ ବସିଥିଲା। ଓ୍ବାର୍କସ୍‌ ବିଭାଗ ସହିତ ପିଡବ୍ଲ୍ୟୁଡି ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସହରର ବିଭିନ୍ନ ସ୍ଥାନରେ ସ୍ବେରେଜ ସିଷ୍ଟମ ପାଇଁ ରାସ୍ତା ଖୋଳା ହୋଇ ପଡି ରହିଛି। ପୂଜା ପୂର୍ବରୁ ଯଥାଶୀଘ୍ର ରାସ୍ତାଗୁଡିକର ଜରୁରୀ ମରାମତି କରିବା, ଡ୍ରେନ୍‌ରେ ସ୍ଲାବ୍‌ ପକାଇବା ଆଦି କାର୍ଯ୍ୟ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଡ୍ରେନ୍‌ ସ୍ଲାବ୍‌ ପକା କାମ ଆରମ୍ଭ ହୋଇଥିଲେ ମଧ୍ୟ ସହରର ମୁଖ୍ୟ ତଥା ପ୍ରମୁଖ ରାସ୍ତାର ଖାଲଖମା ସେମିତି ରହିଛି। ସୋମବାରଠାରୁ ନବରାତ୍ରି ଆରମ୍ଭ ହେଉଥିଲେ ବି ଏ ପର୍ଯ୍ୟନ୍ତ ମେୟରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ପାରିନାହିଁ। ଯଦି ଆଗକୁ ଦୁର୍ଗାପୂଜାରେ ବର୍ଷା ଜାରି ରହେ, ତେବେ ତ କଥା ସରିଲା। ଅଧାପନ୍ତରିଆ କାମ ସାଙ୍ଗକୁ ପାଣିଜମି ଖାଲଖମା ସବୁ ଏକାକାର ହୋଇଯିବ। ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।