Categories: ଖେଳ

ପନ୍ତଙ୍କ ହାତରେ ଟିମ୍‌ ଇଣ୍ଡିଆର ଭାଗ୍ୟ

ଲଣ୍ଡନ,୧୫।୮: ଲଡର୍‌ସ ଟେଷ୍ଟରେ ଏବେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ଖେଳୁଛି । ରିଷଭ ପନ୍ତଙ୍କ ଉପରେ ନିର୍ଭର କରୁଛି ସବୁ କିଛି। ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଚତୁର୍ଥ ଦିନ ସୁଦ୍ଧା ୬ ଉଇକେଟ ହରାଇ ମାତ୍ର ୧୮୧ ରନ୍‌ କରିଛି। ହାତରେ ୪ ଉଇକେଟ ଥିବା ବେଳେ ବର୍ତ୍ତମାନ ଘରୋଇ ଇଂଲଣ୍ଡ ଠାରୁ ୧୫୪ ରନ୍‌ ଆଗରେ ଅଛି ଟିମ୍‌ ଇଣ୍ଡିଆ। ପରାଜୟ ଏଡ଼ାଇବା ପାଇଁ ପ୍ରତିପକ୍ଷ ଦଳ ଆଗରେ ଅତିକମ୍‌ରେ ୨୦୦ ରନ୍‌ର ଟାର୍ଗେଟ ଛିଡ଼ା କରିବାକୁ ପଡ଼ିବ।

ଦ୍ୱିତୀୟ ଇନିଂସରେ ଫେଲ୍‌ ମାରିଥିଲା ଭାରତୀୟ ଦଳର ଟପ୍‌ ଅର୍ଡର। ମାତ୍ର ୫୫ ରନ୍‌ ମଧ୍ୟରେ ପଡ଼ି ସାରିଥିଲା ରୋହିତ ଶର୍ମା (୨୧), ଲୋକେଶ ରାହୁଲ (୫) ଓ ଅଧିନାୟକ ବିରାଟ କୋହଲି (୨୦)ଙ୍କ ଉଇକେଟ। ସଙ୍କଟ ଜନକ ପରିସ୍ଥିତିରେ ସ୍ଥିତି ସମ୍ଭାଳିଥିଲେ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୬୧) ଓ ଚେତେଶ୍ୱର ପୂଜାରା (୪୫)। ଦୁହେଁ ଚତୁର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୦ ରନ୍‌। କିନ୍ତୁ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ପଡ଼ିବାରୁ ଟିମ୍‌ ଇଣ୍ଡିଆ ପୁଣି ଥରେ ସଙ୍କଟରେ ପଡ଼ିଛି। ଭାରତୀୟ ଦଳ ଚତୁର୍ଥ ଦିନ ସୁଦ୍ଧା ୬ ଉଇକେଟ ହରାଇ ୧୮୧ ରନ୍‌ କରିଛି। ପନ୍ତ ୧୪ ଓ ଈଶାନ୍ତ ଶର୍ମା ୪ ରନ୍‌ କରି ଅପରାଜିତ ଅଛନ୍ତି।

Share