ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ, ୮୨ ହଜାର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି ମାନବ ଶରୀରରେ…

ନୂଆଦିଲ୍ଲୀ,୧।୬ : ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରକୁ ଯାଇଥାଏ ।
ତମାଖୁ ଦ୍ରବ୍ୟ ପ୍ୟାକେଜ କରିବା ପାଇଁ ଦେଶରେ ପ୍ରତିବର୍ଷ ପ୍ରାୟ ୨୨ ଲକ୍ଷ ଗଛ କଟାଯାଏ। ଗୋଟିଏ ବର୍ଷରେ ଏହା ଦ୍ୱାରା ଉତ୍ପନ୍ନ ବର୍ଜ୍ୟବସ୍ତୁ ହେଉଛି ୮୯,୪୦୨.୧୩ ଟନ। ଏହି ଓଜନ ୧୧୯ ନିୟୁତ କାଗଜ ନୋଟବୁକ ସହିତ ସମାନ। ତମାଖୁ ଦ୍ରବ୍ୟର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ପାଇଁ ବିପଦଜନକ ଅଟେ। ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ନ୍ୟାଶନାଲ କର୍କଟ ନିରାକରଣ ଏବଂ ଅନୁସନ୍ଧାନ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି।

୧୭ ଟି ରାଜ୍ୟରେ ତମାଖୁ ଉତ୍ପାଦ ଏବଂ ସେମାନଙ୍କ ବିପଜ୍ଜନକ ବର୍ଜ୍ୟବସ୍ତୁ ଉପରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ତମାଖୁ ଉତ୍ପାଦଗୁଡ଼ିକ ବାର୍ଷିକ ୧,୭୦,୩୩୧ ଟନ ଆବର୍ଜନା ସୃଷ୍ଟି କରନ୍ତି। ଏହା କେବଳ ଖାଉଥିବା ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ପରିବେଶ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ସମସ୍ତ ପ୍ରକାର ତମାଖୁ ଯେପରିକି ସିଗାରେଟ, ବିଡି, ହୁକ୍କା ଏବଂ ତମାଖୁ-ଗୁଟଖା ବହୁ ପରିମାଣର ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟିକାଇଜଡ କାଗଜ ବର୍ଜ୍ୟବସ୍ତୁ ସୃଷ୍ଟି କରେ। ପ୍ଲାଷ୍ଟିକରେ କ୍ୟାଡମିୟମ ଏବଂ ମର୍କୁରି ଭଳି ରାସାୟନିକ ପଦାର୍ଥର ମିଶ୍ରଣ ରହିଥାଏ ଯାହା ଶେଷରେ କର୍କଟ ଭଳି ସାଂଘାତିକ ରୋଗର କାରଣ ହୋଇଥାଏ ।

ପ୍ରତିବର୍ଷ ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରରେ ପ୍ରବେଶ କରେ ଯାହା ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ। ଯେହେତୁ ଏହି ବର୍ଜ୍ୟବସ୍ତୁ ସାଧାରଣତଃ ଖୋଲା ଅନିୟନ୍ତ୍ରିତ ଡମ୍ପିଂ ସାଇଟ, ଡ୍ରେନ ଏବଂ ନଦୀରେ ପକାଯାଏ, ଏହା ଆହୁରି ବିପଜ୍ଜନକ ହୋଇଯାଏ। ଭାରତରେ ୨୦୨୩ ମସିହାରେ ତମାଖୁ ଦ୍ରବ୍ୟ ବର୍ଜ୍ୟବସ୍ତୁର ପରିବେଶ ଭାର ଅନୁଯାୟୀ, ଅନୁସନ୍ଧାନକାରୀମାନେ ୨୦୦ ରୁ ଅଧିକ ବ୍ରାଣ୍ଡର ତମାଖୁ ଉତ୍ପାଦର ଅଧ୍ୟୟନ କରିଥିଲେ। ସେଥିମଧ୍ୟରୁ ୭୦ଟି ବ୍ରାଣ୍ଡର ସିଗାରେଟ, ୯୪ ଟି ବ୍ରାଣ୍ଡର ବିଡି ଏବଂ ୫୮ଟି ବ୍ରାଣ୍ଡର ତମାଖୁ ଥିଲା।

Share