ଧାର୍ଯ୍ୟ ସମୟ ଶେଷ ପରେ ବି କାମ ସରିନି

କୃଷ୍ଣପ୍ରସାଦ, ୧୨ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ)କୃଷ୍ଣପ୍ରସାଦ ଅଞ୍ଚଳକୁ ୩ପାର୍ଶ୍ୱରୁ ଲବଣାକ୍ତ ହ୍ରଦ ଚିଲିକା ଏବଂ ଅନ୍ୟ ଏକ ପାର୍ଶ୍ୱରୁ ବଙ୍ଗୋପସାଗର ଘେରି ରହିଛି। ଚତୁଃଦିଗରୁ ଜଳରାଶି ଘେରି ରହିଥିଲେ ମଧ୍ୟ ଲବଣାକ୍ତ ଯୋଗୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଏଥିଯୋଗୁ କୃଷ୍ଣପ୍ରସାଦବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ଘରେ ପାନୀୟଜଳ ପହଞ୍ଚାଇବା ନିମନ୍ତେ କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ପଞ୍ଚାୟତର ଉଦୟନାଥ ଷ୍ଟାଡିୟମ୍‌ଠାରେ ୨୦୧୮ ନଭେମ୍ବର ୨୨ରେ ବସୁଧା ଯୋଜନାର ଶୁଭାରମ୍ଭ କରିଥିଲେ। ସମ୍ପୃକ୍ତ ବ୍ଲକକୁ ପଡ଼ୋଶୀ ଜିଲା ଗଞ୍ଜାମର ଋଷିକୂଲ୍ୟାରୁ ପାନୀୟଜଳ ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଲେ। କୃଷ୍ଣପ୍ରସାଦ ବାସିନ୍ଦା ପାନୀୟଜଳ ପାଇବା ଆଶାରେ ଆନନ୍ଦିତ ହୋଇ ଉଠିଥିବା ବେଳେ ତାହା ଏବେ ସ୍ବପ୍ନ ପାଲଟିଛି। କୃଷ୍ଣପ୍ରସାଦର ଘରେ ଘରେ ପାନୀୟଜଳ ଯୋଗାଇବା ପାଇଁ ୫୦.୫୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ହାଇଦ୍ରାବାଦର ଏମ୍‌ଏସ୍‌ଜିଭିପିଆର୍‌ ଇଞ୍ଜିନିୟର୍ସ ଲିମିଟେଡ୍‌ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଚୁକ୍ତି ଅନୁଯାୟୀ ଉକ୍ତ ପ୍ରକଳ୍ପ ୨୦୧୮ ଅଗଷ୍ଟ ୨୮ରୁ ଆରମ୍ଭ କରାଯାଇ ୨୦୨୦ ଅଗଷ୍ଟ ୨୭ରେ ସାରି ଲୋକଙ୍କୁ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲା। ଧାର୍ଯ୍ୟ ତାରିଖରେ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ୨୮.୧୨ କୋଟି ଟଙ୍କାର ରନିଂ ବିଲ୍‌ ବାବଦରେ ସରକାରଙ୍କ ଠାରୁ ଗ୍ରହଣ କରିଛି। ତେବେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରି ନ ପାରି କମ୍ପାନୀ ୨୦୨୨ ଡିସେମ୍ବର ସୁଦ୍ଧା ଶେଷ କରିବ ବୋଲି ସରକାରଙ୍କ ସହ ଦ୍ୱିତୀୟ ଥର ଚୁକ୍ତି କରିଥିଲା। ଚୁକ୍ତି କରି ୩ କୋଟି ୮୦ ଲକ୍ଷ ୧୪ ଶହ ୨ଟଙ୍କା ପୁନର୍ବାର ରନିଂ ବିଲ୍‌ ବାବଦରେ ନେଇଛନ୍ତି। ତେବେ ଉକ୍ତ ଅବଧି ଶେଷ ହୋଇଥିବାବେଳେ ଏଯାଏ କାର୍ଯ୍ୟ ଶେଷ ହୋଇପାରିନାହିଁ। କୃଷ୍ଣପ୍ରସାଦ ବ୍ଲକ ଅଧୀନ ୧୪ଟି ପଞ୍ଚାୟତର ୯୨ଟି ଗ୍ରାମରେ ପାଣି ଯୋଗାଣ କରିବା ପାଇଁ ପାଇପ ଲାଇନ ବିଛାଇବା ନିମନ୍ତେ ରାସ୍ତା ଖୋଳି ବର୍ଷ ବର୍ଷ ଧରି କାର୍ଯ୍ୟ ଶେଷ ନ କରିବାରୁ ଯାତାୟାତରେ ସମସ୍ୟା ଉପୁଜୁଛି। ରାସ୍ତା ଖୋଳାଯାଇଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପାଣି ଜୀବନ ବଞ୍ଚାଇବା ବଦଳରେ ଦୁର୍ଘଟଣାରେ ଜୀବନ ଚାଲିଯାଉଛି। ଦୁଇ ଥର କାର୍ଯ୍ୟ ସାରିବାର ଅବଧି ସରିଥିବାବେଳେ ଏପର୍ଯ୍ୟନ୍ତ କୃଷ୍ଣପ୍ରସାଦରେ କାର୍ଯ୍ୟ ସେହିଭଳି ତ୍ୱରାନ୍ବିତ ହୋଇନାହିଁ। ଏନେଇ ବାରମ୍ବାର ଅବଧି ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ କଂଗ୍ରେସ ଯୁବନେତା ଡ. ନିରଞ୍ଜନ ବିଶ୍ୱାଳ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇଁ ଆବେଦନ କରିଥିଲେ। ସୂଚନା ଅନୁଯାୟୀ, କାର୍ଯ୍ୟ ନେଇଥିବା କମ୍ପାନୀ ୨୦୨୪ ମାର୍ଚ୍ଚରେ କାର୍ଯ୍ୟ ଶେଷ କରିବା ପାଇଁ ପୁନର୍ବାର ସମୟ ମାଗିଥିବା ଜଣାପଡ଼ିଛି। ଆଉ କିଛି ମାସ ପରେ ଏହି ଅବଧି ଶେଷ ହୋଇଯିବ। ତେବେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। କାର୍ଯ୍ୟ ସାରିବା ପାଇଁ ସମ୍ପୃକ୍ତ କମ୍ପାନୀ ବାରମ୍ବାର ଅବଧି ଘୁଞ୍ଚାଇ ଚାଲିଛି। ଯଦି ୨୦୨୪ ମାର୍ଚ୍ଚରେ କାର୍ଯ୍ୟ ଶେଷ ନ ହୁଏ ତେବେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ପୁରୀ ଜିଲା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଆବାହକ ଡ. ନିରଞ୍ଜନ ବିଶ୍ୱାଳ ଚେତାବନୀ ଦେଇଛନ୍ତି।