ବର୍ଷେ ପରେ ବି ମା’ଙ୍କ ଆଖିରୁ ଶୁଖୁନି ଲୁହ, ନ୍ୟାୟ ଅପେକ୍ଷାରେ ଶେଫାଳି, ଏପଟେ ଶାଶୁଙ୍କୁ ଦେଖିବାକୁ ମେଡିକାଲ ଗଲେନି ବୋହୂ

ଟିଟିଲାଗଡ଼,୧୭।୧୧:  ବହୁ ଚର୍ଚ୍ଚିତ ହ୍ୟୁମାନଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ବର୍ଷେ ପୂରିଛି। ହେଲେ ଏଯାଏଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ପରିବାରକୁ ମିଳିନାହିଁ ନ୍ୟାୟ। ପୁଅକୁ ହରାଇବାର ଦୁଃଖ ସହ ନ୍ୟାୟ ପାଇଁ ଦୀର୍ଘଦିନ ଧରି ସଂଘର୍ଷ କରୁଛନ୍ତି ମା’ ଶେଫାଳି ସୁନା। ବର୍ଷେ ବିତିଯାଇଥିଲେ ମଧ୍ୟ ତାଙ୍କ ଆଖିରୁ ଶୁଖୁନି ଲୁହ, ମନରୁ ଲିଭୁନି ପୁଅକୁ ହରାଇବାର ଯନ୍ତ୍ରଣା। ନ୍ୟାୟ ପାଇଁ ବାରମ୍ବାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ସେ।

ଶେଫାଳିଙ୍କ କହିବା ଅନୁଯାୟୀ, ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦେବାକୁ ଅନେକ ରାଜନେତା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ରହିଗଲା। ଏଯାଏଁ ତାଙ୍କୁ ନ୍ୟାୟ ମିଳିନାହିଁ। ଅନ୍ୟପଟେ ଘଟଣାରେ ଯେଉଁମାନେ ଦୋଷୀ ବୋଲି ସେ ଅଭିଯୋଗ କରୁଛନ୍ତି, ସେମାନେ ଖୋଲାଖୋଲି ବୁଲିବା ସହ ଷ୍ଟେଜ୍‌ ଶୋ କରୁଛନ୍ତି। ଏଭଳି ସ୍ଥିତିରେ ଜଣେ ମା’ ଭାବେ ନ୍ୟାୟ ପାଇଁ କାହା ପାଖରେ ଗୁହାରି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ନ୍ୟାୟ ପାଇବା ଆଶାରେ ଟିଟିଲାଗଡ଼ରୁ କଟକ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଦୌଡ଼ି ସେ ଏବେ ଶାରୀରିକ ଭାବେ ଅସୁସ୍ଥ ହୋଇପଡ଼ିଥିବା କହିଛନ୍ତି। ତଥାପି ତାଙ୍କ ଅଭିଯୋଗ ଶୁଣିବାକୁ କେହି ଆଗେଇ ଆସୁନାହାନ୍ତି। ଏହାସହ ତାଙ୍କ ମୋବାଇଲ୍‌ ଫୋନ୍‌ ହ୍ୟାକ୍‌ କରାଯାଇ ସେଥିରେ ଥିବା ସମସ୍ତ ତଥ୍ୟ ଡିଲିଟ୍‌ କରିଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ହ୍ୟୁମାନଙ୍କ ମୃତ୍ୟୁ ସମ୍ପର୍କିତ କିଛି ତଥ୍ୟ ସେ ଅନେକ ଲୋକଙ୍କୁ ପଠାଉଥିଲେ। ସେହି କାରଣରୁ ତାଙ୍କ ମୋବାଇଲ୍‌ ହ୍ୟାକ୍‌ କରାଯାଇଥିବା ସେ ସନ୍ଦେହ କରୁଛନ୍ତି। ଏଥିରେ ପୋଲିସର ହାତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ସେ କହିଥିବା ବେଳେ ପୋଲିସ ଏହାକୁ ସ୍ୱୀକାର କରୁନଥିବା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପାରିବାରିକ ସମ୍ପର୍କକୁ ନେଇ ମଧ୍ୟ ନିଜର ଦୁଃଖ ବଖାଣିଛନ୍ତି ଶେଫାଳି। ବୋହୂ ଓ ନାତୁଣୀ ମଧ୍ୟ ତାଙ୍କଠାରୁ ଦୂରରେ ରହୁଥିବା ସେ କହିଛନ୍ତି। ଏପରିକି ବିଶାଖାପାଟଣା ମେଡିକାଲ୍‌ରେ ଚିକିତ୍ସା ଚାଲିଥିବା ସମୟରେ ମଧ୍ୟ ବୋହୂ ତାଙ୍କୁ ଦେଖା କରିବାକୁ ଆସିନଥିବା ସେ ଅଭିଯୋଗ କରିଛନ୍ତି।

ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଆକୁଳ ନିବେଦନ କରି ଶେଫାଳି କହିଛନ୍ତି, ତାଙ୍କୁ ନ୍ୟାୟ ଦିଆଯାଉ ଏବଂ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ସମସ୍ତ ସତ୍ୟ ସାମ୍ନାକୁ ଅଣାଯାଉ। ଜଣେ ମା’ ଭାବେ ସେ କେବଳ ନ୍ୟାୟ ଚାହୁଁଛନ୍ତି। ବର୍ଷେ ବିତିଯାଇଥିଲେ ମଧ୍ୟ ତାଙ୍କ ନ୍ୟାୟର ଅପେକ୍ଷା ଶେଷ ହୋଇନାହିଁ। ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରି ଶୁଣିବେ ଏବଂ ଘଟଣାର ସତ୍ୟାସତ୍ୟ ସାର୍ବଜନୀନ ହେବ ବୋଲି ଆଶା ରଖିଛନ୍ତି ଶେଫାଳି।

Dharitri – Odisha’s No.1 Odia Daily

Share