୧୨ ଦିନ ପରେ ବି ଗାଁକୁ ଆସିପାରୁନି ମୃତଦେହ

ଭବାନୀପାଟଣା,୨୧।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ରରୂପ ନେଉଛି। କାମଧନ୍ଦା ନ ପାଇ ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ଅନେକଙ୍କ ମୃତ୍ୟୁ ହେଉଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ପୁଣି ସାମନାକୁ ଆସିଛି ଜିଲାର ଜୟପାଟଣା ବ୍ଲକର ବାଡକର୍ଲାକୋଟ ଗାଁରେ।

ଗାଁର ଶୋଭା ଭଏଂଶାଲ ଏବଂ ଧନମତି ଭଏଂଶାଲଙ୍କ ଏକମାତ୍ର ପୁଅ ଉମାଶଙ୍କର ଭଏଂଶାଲ(୨୮) ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁବରଣ କରିଛନ୍ତି। ତେବେ ମୃତ୍ୟୁ ହେବାର ୧୨ ଦିନ ପରେ ମଧ୍ୟ ପରିବାର ଲୋକେ ଅର୍ଥ ଭାବରୁ ମୃତଦେହ ଗାଁକୁ ଆଣି ପାରିନାହାନ୍ତି।

ପରିବାରର ଆର୍ଥିକ ଅଭାବ ଯୋଗୁ ଅଧିକ ରୋଜଗାର ଆଶାରେ ଗତବର୍ଷ ଫେବୃଆରୀରେ ଉମାଶଙ୍କର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ କିଛି ଦିନ ତଳେ ହଠାତ୍‌ ଦେହ ଅସୁସ୍ଥ ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଚେନ୍ନାଇର ଏକ ଡାକ୍ତରଖାନାରୁ ଫୋନ ଆସିବା ପରେ ପୁଅର ମୃତ୍ୟୁ ଖବର ଶୁଣି ଉମାଶଙ୍କରଙ୍କ ମା’,ବାପା ଭାଙ୍ଗି ପଡିଥିଲେ।

ଅର୍ଥ ନ ଥିବାରୁ ଏଯାଏ ପୁଅର ମୃତଦେହ ମଧ୍ୟ ଆଣିପାରି ନାହାନ୍ତି। ଏପରିକି ପୁଅର ଶେଷ ଦର୍ଶନ ମଧ୍ୟ କରିପାରିବେ କି ନାହିଁ ବୋଲି ମା’ଭାଙ୍ଗି ପଡିଛି। ଅନେକ ଆଶା ଓ ସ୍ବପ୍ନ ନେଇ ଦାଦନ ଯାଇଥିବା ଉମାଶଙ୍କର ନିଜେ ଫେରି ପାରିଲେନି କି ତାଙ୍କ ମୃତଦେହ ମଧ୍ୟ ଘରକୁ ଫେରିପାରୁ ନାହିଁ।

ପଇସା ରୋଜଗାର ଆଶାରେ ଯାଇଥିବା ପୁଅକୁ ହରାଇ ଅଭାଗି ମା’ବାପା ଶେଷରେ ମୃତଦେହ ଗାଁକୁ ଆଣିବା ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। କେବଳ ଉମାଶଙ୍କର ନୁହନ୍ତି ଜିଲାରେ କାମ ଧନ୍ଦା ନ ପାଇ ଅନେକ ଗରିବ ଲୋକ ଦୁଇ ପଇସା ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଅନେକ ଶ୍ରମିକ ନିର୍ଯାତନାର ଶିକାର ହୋଇ ମୃତ୍ୟୁବରଣ କରୁଥିବା ସମ୍ନାକୁ ଆସିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।