ମଣ୍ଡି ଖୋଲିବାର ୧୨ ଦିନ ପରେ ବି ସ୍ବାଭାବିକ ହେଲାନି: ଚାଷୀ ମହଲରେ..

ନୂଆପଡ଼ା,୩ା୬(ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବିଧାନ ସଂଗ୍ରହ ପାଇଁ ଗତ ୨୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇ ୨୫ରୁ ଜିଲାର ସମସ୍ତ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି କୁହାଯାଇଥିଲା। ହେଲେ ଉଦ୍‌ଘାଟନକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଧାନକିଣା ସ୍ବାଭାବିକ ହୋଇ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ସୋମବାର ନୂଆପଡ଼ା ସଦର ବ୍ଲକ ଚାଷୀ ଜିଲାପାଳଙ୍କୁ ଦାବିପତ୍ର ଦେବା ପାଇଁ ଆସିଥିଲେ। ଜିଲାପାଳ ଅଭିଯୋଗ ଶୁଣାଣି କରୁଥିବାବେଳେ ଚାଷୀମାନେ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ଉପଜିଲାପାଳ ସୁର୍ମୀ ସୋରେନ ଓ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ୫ ଚାଷୀଙ୍କୁ ଜିଲାପାଳଙ୍କୁ ସାକ୍ଷାତ୍‌ ପାଇଁ ଛାଡ଼ିଥିଲେ। ଚାଷୀମାନେ ଜିଲାପାଳଙ୍କୁ ଭେଟି ମଣ୍ଡି ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଜିଲାପାଳ ଶୁଣାଣି ସରିଲା ପରେ ମଣ୍ଡି ଉପରେ ସମୀକ୍ଷା ବୈଠକ କରି ଶୀଘ୍ର ସ୍ବାଭାବିକ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଅନୁଯାୟୀ, ଚଳିତ ରବିଋତୁରେ ଜିଲାର ୨୬ ସମବାୟ ସମିତି ପକ୍ଷରୁ ୫୧ଟି ମଣ୍ଡିରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଛି ା ୧୯,୩୪୭ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବା ବେଳେ ୧୭,୯୮୮ ଜଣ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଦ୍‌ଘାଟନର ୧୨ ଦିନ ପରେ ବି ନୂଆପଡ଼ା ସଦର ବ୍ଲକରେ ଗୋଟିଏ ମଧ୍ୟ ମଣ୍ଡି ଖୋଲିନାହିଁ। ଟୋକନ ଆସିଲା ପରେ ଚାଷୀ ମଣ୍ଡିରେ ଧାନ ରଖି ଜଗି ରହିଛି ା ମଣ୍ଡି ନ ଖୋଲିବାରୁ ଚାଷୀଙ୍କୁ ଋଣ ପରିଶୋଧ ଚିନ୍ତା ଘାରୁଛି। ୩ ଦିନ ଭିତରେ ମଣ୍ଡି ସ୍ବାଭାବିକ ନ ହେଲେ ଚାଷୀ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଏହି ସମୟରେ ଚାଷୀନେତା ଭରତ ଲାଲ୍‌ ରାଉତ, ଦେବୀ ପ୍ରସାଦ ମିଶ୍ର, ନନ୍ଦଲାଲ୍‌ ରାଉତ, ମୋତିଲାଲ୍‌ ଉଜିର, ବିଜୟ କୁମାର ମାଝି, ଲାଲ୍‌ସିଂ ମାଝିଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share