ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ ବିଜ୍ଞାନ ଆଖିରେ ଏହା ଇଥାଇଲ୍ ଆଲ୍କହଲ ବା ଇଥାନଲ୍ ମିଶ୍ରିତ ପାନୀୟ। ତେଣୁ ମଣିଷ ଇଥାନଲ୍ ଆବିଷ୍କାର କେଉଁ ଅନାଦି କାଳରୁ କରିସାରିଛି I ଏହି ତରଳ ପଦାର୍ଥ ଆଜି ମଣିଷକୁ ତା’ର ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ବିନିଯୋଗ ହେଉଛି। ଅବଶ୍ୟ ଆଖୁରସକୁ ଅନେକ ଦିନ ରଖିବା ଦ୍ୱାରା ଇଷ୍ଟ ଯୋଗୁ ଫର୍ମେଣ୍ଟେସନ ହୋଇ ଶର୍କରା ଆଲ୍କହଲରେ ପରିଣତ ହୋଇଥାଏ, ଯାହା ମଣିଷ ଅନେକ ଦିନ ପରେ ଜାଣିଲା I ସେଥିପାଇଁ ଆଲ୍କହଲ ପ୍ରସ୍ତୁତି ପ୍ରଣାଳୀକୁ ମଣିଷର ପ୍ରଥମ ରାସାୟନିକ ଜୈବ ପ୍ରଯୁକ୍ତିବିଦ୍ୟା ଭାବରେ ବିବେଚନା କରାଯାଏ। ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଅନୁସାରେ ୧୩,୦୦୦ ବର୍ଷ ପୂର୍ବେ ଇସ୍ରାଏଲର ହାଇଫା ନିକଟରେ ମଦ୍ୟପାନ ପ୍ରସ୍ତୁତ ହେଉଥିବାକୁ ସୂଚାଇଥାଏ, ଯାହା ମଣିଷ ଏବଂ ଇଥାନଲ ମଧ୍ୟରେ ପ୍ରାମାଣିକ ସମ୍ପର୍କର ଆରମ୍ଭ ଥିଲା। ଏହା ଭିତରେ ଥିବା ବିଜ୍ଞାନ ବିଷୟରେ ବିଶେଷ କିଛି ନ ଜାଣି ମଧ୍ୟ ପ୍ରାଚୀନ କାଳରେ ଉପଯୁକ୍ତ ପରିସ୍ଥିତିରେ ଶସ୍ୟ କିମ୍ବା ଫଳରେ ଥିବା ଶର୍କରାକୁ ଏକ ରହସ୍ୟମୟ ମାଦକ ପାନୀୟରେ ପରିଣତ କରିବାର ସଙ୍କେତ ମଣିଷ ଜାଣିବାକୁ ପାଇଥିଲା I ଏହି ପାନୀୟ ଜ୍ୱଳନଶୀଳ ହୋଇଥିବାରୁ ଏହା ମଧ୍ୟରେ କୌଣସି ଅତି ବାଷ୍ପୀୟ ପଦାର୍ଥ ଅଛି ବୋଲି ପ୍ରାଚୀନ ସମୟର ଦାର୍ଶନିକମାନେ ଜାଣିସାରିଥିଲେ। ରାସାୟନ ବିଜ୍ଞାନର ଜନକ ପର୍ସିଆନ ରସାୟନବିତ୍ ଜାବିର ଇବନ୍ ହାୟାନ୍ ପ୍ରଥମକରି ମଦ୍ୟ ପାନୀୟକୁ ଗରମକରି ଇଥାନଲ୍ର ଏକ ଅଧିକ ଘନୀଭୂତ ରୂପ ପ୍ରସ୍ତୁତ କରିପାରିଥିଲେ I
ଏବେ ସାରା ଭାରତରେ ଇ୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା। ତେବେ ଭାରତ କ’ଣ ପାଇଁ ଏହି ପଦକ୍ଷେପ ନେଲା ବୁଝିବା ଦରକାର। ସୂଚନାଯୋଗ୍ୟ, ୨୦୦୧ରେ ଇଥାନଲ୍ ମିଶ୍ରଣ ପାଇଁ ଭାରତ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଥିଲା ଏବଂ ୨୦୦୩ରେ ଶକ୍ତି ସୁରକ୍ଷା ବୃଦ୍ଧିକରିବା ଏବଂ ଅଶୋଧିତ ତୈଳ ଆମଦାନୀ ହ୍ରାସକରିବା ପାଇଁ ଆନୁଷ୍ଠାନିକ ଭାବରେ ଇଥାନଲ୍ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଭାରତ ୨୦୩୦ ମୂଳ ସମୟସୀମାଠାରୁ ୫ ବର୍ଷ ପୂର୍ବରୁ ୨୦% ଇଥାନଲ୍ ମିଶ୍ରଣ ଲକ୍ଷ୍ୟ (ଇ୨୦) ସଫଳତାର ସହ ହାସଲ କରିଛି ଓ ଦେଶରେ ବିକ୍ରି ହେଉଥିବା ସମସ୍ତ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଅନ୍ତର୍ଭୁକ୍ତ ହୋଇଛି I ଭାରତକୁ ଏହାର କାର୍ବନ ଅର୍ଥନୀତିକୁ ୨୦୩୦ ସୁଦ୍ଧା ୨୦୦୫ ସ୍ତର ତୁଳନାରେ ସର୍ବନିମ୍ନ ୪୫ ପ୍ରତିଶତକୁ ହ୍ରାସକରିବା ପାଇଁ ନେଇଥିବା ସଂକଳ୍ପ ପ୍ୟାରିସ୍ ସମ୍ମିଳନୀ ୨୦୧୬, ଗ୍ଲାସ୍ଗୋ କପ୍୨୬ ଏବଂ କପ୍୨୭ରେ ଭାରତର ନେଟ୍ ଜିରୋ ପ୍ରତିବଦ୍ଧତାକୁ ସୁଦୃଢ଼ ହୋଇଛି। ଏହାର ଅର୍ଥ ହେଉଛି, ୨୦୩୦ ସୁଦ୍ଧା ଭାରତର ଶକ୍ତି ଆବଶ୍ୟକତାର ୫୦ ପ୍ରତିଶତ ନବୀକରଣୀୟ ଶକ୍ତିରୁ ଆସିବାକୁ ପଡ଼ିବ। ଏହି ଉଦ୍ଦେଶ୍ୟରେ ଭାରତ ୨୦୩୦ ସୁଦ୍ଧା ଇ୨୦ ଲାଗୁକରିବାକୁ ଲକ୍ଷ୍ୟ ରଖିଥିଲା I ଭାରତର ବିଶାଳ ଅଶୋଧିତ ତୈଳ ଆମଦାନୀ ପାଇଁ ବିଦେଶ ଉପରେ ନିର୍ଭରଶୀଳତା କମ୍ କରିବା ସହ ବିପୁଳ ବିଦେଶ ମୁଦ୍ରା ସଞ୍ଚୟ କରିବା ଓ ଆମଦାନୀ ପାଇଁ ଖର୍ଚ୍ଚ ରାଶିକୁ ଇଥାନଲ କିଣିବା ଲାଗି ବ୍ୟବହାରକରିବା ଦ୍ୱାରା ଦେଶର ଚାଷୀ ଓ ଉଦ୍ୟୋଗକୁ ଲାଭାନ୍ବିତ କରିବା ଏହାର ବୃହତ୍ ଉଦ୍ଦେଶ୍ୟ। ଏହାଦ୍ୱାରା ୧୯୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇ ଦେଶର ଚାଷୀ ଓ ଉଦ୍ୟୋଗୀ ଲାଭାନ୍ବିତ ହୋଇଛନ୍ତି ଓ ୩୧୬ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ତୈଳ ଆମଦାନୀ କରିବାକୁ ପଡ଼ିନାହିଁ ବୋଲି କୁହାଯାଉଛି। ଅଟୋମେକରମାନଙ୍କ ଅନୁସାରେ ଇ୨୦ ଇନ୍ଧନ ବାହନ ପାଇଁ ସମ୍ପୂର୍ଣ୍ଣ ଭାବରେ ନିରାପଦ। ଯଦିଓ ସାମାଜିକ ଗଣମାଧ୍ୟମରେ ଇଞ୍ଜିନର ମାଇଲେଜ କମିଯିବା ନେଇ ଚର୍ଚ୍ଚା ହେଉଛି।
ଭାରତୀୟ ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ (ଏଆର୍ଏଆଇ)ର ଗବେଷଣା ଅନୁସାରେ ଇ୨୦ ଇନ୍ଧନ ଦକ୍ଷତାରେ କେବଳ ୨%ରୁ ୬% ମାଇଲେଜ ହ୍ରାସ ହୋଇପାରେ, ଯାହା ଆମର ନିତିଦିନିଆ ଡ୍ରାଇଭିଂ ଅଭ୍ୟାସ ଦ୍ୱାରା ମଧ୍ୟ ହୋଇଥାଏ। ଅଟୋମେକରମାନେ ଏଯାଏ ବିଶେଷ ଇଞ୍ଜିନ କ୍ଷତିର କୌଣସି ପ୍ରମାଣ ପାଇନାହାନ୍ତି, ଯଦିଓ ସେମାନେ ସ୍ବୀକାର କରନ୍ତି ପୁରୁଣା ଯାନଗୁଡ଼ିକରେ ରବର ଏବଂ ଇନ୍ଧନ ପ୍ରଣାଳୀର ଅଂଶ ନିୟମିତ ଇ୨୦ ଇନ୍ଧନ ଦ୍ୱାରା ନଷ୍ଟ ହୋଇପାରେ। ଭବିଷ୍ୟତରେ ଯାନ ଇ୨୦ କିମ୍ବା ଇ୩୦ ଉପଯୁକ୍ତ ହେବ ଏଥିରେ ସନ୍ଦେହ ନାହିଁ।
ତେବେ ଦେଶର ବୃହତ୍ ସ୍ବାର୍ଥ ଓ ବିଦେଶ ତୈଳ ଉପରେ ନିର୍ଭରଶୀଳତା କମାଇବା ପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ହେବ।
ଇତିହାସରୁ ଜଣାପଡ଼େ ଯେ, ଇଥାନଲ୍ର ପ୍ରଥମ ବ୍ୟବହାର ୧୮୨୬ ମସିହାରେ ଇଞ୍ଜିନକୁ ଶକ୍ତିଦେବା ପାଇଁ ହୋଇଥିଲା। ୧୮୭୬ ମସିହାରେ ଆଧୁନିକ ଚାରିଚକ୍ର ଆଭ୍ୟନ୍ତରୀଣ ଦହନ ଇଞ୍ଜିନର ଉଦ୍ଭାବକ ନିକୋଲାସ୍ ଓଟୋ ଏକ ପ୍ରାରମ୍ଭିକ ଇଞ୍ଜିନକୁ ଶକ୍ତିଦେବା ପାଇଁ ଇଥାନଲ୍ ବ୍ୟବହାର କରିଥିଲେ। ୧୮୫୦ ଦଶକରେ ଇଥାନଲ୍କୁ ଆଲୋକ ଇନ୍ଧନ ଭାବରେ ମଧ୍ୟ ବ୍ୟବହାର କରାଯାଇଥିଲା, କିନ୍ତୁ ଗୃହଯୁଦ୍ଧ ପାଇଁ ଏହା ଉପରେ ମଦ ଭଳି ଟିକସ ଲଗାଯିବା ପରେ ଏହାର ବ୍ୟବହାର ହ୍ରାସ ପାଇଥିଲା। ଟିକସ ବାତିଲହେବା ପରେ ଇଥାନଲ୍ର ବ୍ୟବହାର ଇନ୍ଧନ ଭାବରେ ଜାରି ରହିଲା ଏବଂ ୧୯୦୮ରେ ହେନ୍ରି ଫୋର୍ଡଙ୍କ ବହୁଚର୍ଚ୍ଚିତ ମଡେଲଟି କାର୍ର ଇନ୍ଧନ ଭାବେ ମଧ୍ୟ ବ୍ୟବହାର ହୋଇଥିଲା । ପେଟ୍ରୋଲ ଭଳି ଇଥାନଲ ଅତି ଜ୍ବଳନଶୀଳ ହେବା ସହ ଉଭୟ କାର୍ବନ, ଅମ୍ଳଜାନ ଓ ହାଇଡ୍ରୋଜେନ୍ରେ ତିଆରି ହୋଇଥିବାରୁ ଉଭୟ ଭଲ ଭାବରେ ମିଶିପାରନ୍ତି I ପେଟ୍ରୋଲ ସହ ମିଶ୍ରିତ ପ୍ରଥମ ଇଥାନଲ ୧୯୨୦ ଏବଂ ୧୯୩୦ ଦଶକରେ ହୋଇଥିଲା ଏବଂ ଇନ୍ଧନ ଅଭାବ ଯୋଗୁ ୨ୟ ବିଶ୍ୱଯୁଦ୍ଧ ସମୟରେ ଏହାର ଚାହିଦା ଅଧିକ ଥିଲା। ତୈଳ ଅଭାବ ଓ ଚାହିଦା ମେଣ୍ଟାଇବା ପାଇଁ ୧୦୦ ବର୍ଷ ପୂର୍ବରୁ ପେଟ୍ରୋଲ ସହ ଇଥାନଲ୍କୁ ମିଶ୍ରିତ କରିବା ଆରମ୍ଭ ହୋଇଛି I ୧୯୭୩ରେ ବୈଷିକ ତୈଳ ସଙ୍କଟର ସାମ୍ନାକରିବା ପାଇଁ ବ୍ରାଜିଲ ପେଟ୍ରୋଲ ସହ ଆଖୁରସ ତିଆରି ଇଥାନଲ ମିଶାଇବାକୁ ବାଧ୍ୟତାମୂଳକ କରିଥିଲା। ୧୯୯୦ରୁ ୨୦୦୦ ମଧ୍ୟରେ ଆମେରିକା ପରି ଦେଶ ମଧ୍ୟ ୧୦ ପ୍ରତିଶତ ଇଥାନଲ ମିଶାଇବା ଆରମ୍ଭ କରିଥିଲା। ବର୍ତ୍ତମାନ ବ୍ରାଜିଲରେ ଇ୨୭.୫ ପର୍ଯ୍ୟନ୍ତ ଥିବା ବେଳେ କାନାଡା ଇ୧୦ରୁ-ଇ୮୫ ପର୍ଯ୍ୟନ୍ତ, ପାରାଗୁଏରେ ଇ୩୦, ଥାଇଲାଣ୍ଡରେ ଇ୨୦, ଆମେରିକାରେ ଇ୧୦ରୁ ଇ୮୫ ପର୍ଯ୍ୟନ୍ତ ବ୍ୟବହାର ଆରମ୍ଭ କରିସାରିଛନ୍ତି I ତେବେ ଦେଶ ହିତରେ ଆମ ସମସ୍ତେ ଏହି ଇ୨୦ ଇନ୍ଧନ ଗ୍ରହଣ କରିନେବା ଉଚିତ I
ମୋ: ୭୦୦୪୦୬୮୧୧୦