ମାନବ ବ୍ୟଥାର ଚିରପୂଜାରିଣୀ

ନନ୍ଦିନୀ ଶତପଥୀଙ୍କ ଜନ୍ମ ୯ ଜୁନ୍‌ ୧୯୩୧ରେ। ୯୪ ବର୍ଷ ତଳର କଥା । ବାପା ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ଯେଉଁଦିନ ତାଙ୍କର କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ର ଲେଖା ସାରିଥିଲେ, ସେହିଦିନ ପୃଥିବୀର ମାଟି ଛୁଇଁଥିଲେ ନନ୍ଦିନୀ। ଅକ୍ଷର-ଯଜ୍ଞ ଭିତରୁ ସତେ ଯେପରି ଭାରତୀୟ ରାଜନୀତିର ଏହି ଯାଜ୍ଞସେନୀଙ୍କ ଜନ୍ମ। ପିଲାଟି ଦିନରୁ ସ୍ବାଧୀନଚେତା। ଦେଶ ଓ ଦଶର ଡାକରେ ସଦା ଅଧୀରା ଏହି ଜନନେତ୍ରୀ ତୃଣମୂଳ ସ୍ତରରୁ ଉଠିଉଠି ମାତ୍ର ୩୧ ବର୍ଷ ବୟସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୬୬ରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ତଥ୍ୟ ଓ ବେତାର ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ପ୍ରଥମଥର ୧୪ ଜୁନ୍‌ ୧୯୭୨ରୁ ୩ ମାର୍ଚ୍ଚ ୧୯୭୩ ଓ ଦ୍ୱିତୀୟ ଥର ୬ ମାର୍ଚ୍ଚ ୧୯୭୪ରୁ ୧୬ ଡିସେମ୍ବର ୧୯୭୬। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଶାସନକାଳ ଖୁବ୍‌ ଦୀର୍ଘ ଅବଧିର ନୁହେଁ। ତାହା ପୁଣି ଓଡ଼ିଶା ରାଜନୀତିର ଝନ୍‌ଜାକ୍ଷୁବ୍‌ଧ କାଳଖଣ୍ଡର। ଅର୍ଦ୍ଧଶତାବ୍ଦୀ ହୋଇଗଲାଣି ରାଜ୍ୟର ଶାସନଗାଦିରୁ ସେ ଓହ୍ଲେଇଯିବାର, ହେଲେ ରାଜ୍ୟ ବା ଦେଶର ଶାସନ କଥା ଉଠିବା ମାତ୍ରେ ବାରମ୍ବାର ଲୋକଙ୍କ ମନକୁ ହିଁ ଆସେ ନନ୍ଦିନୀଙ୍କ ସ୍ମୃତି।
ଏହାର ଉତ୍ତର ହେଉଛି ନନ୍ଦିନୀ ଦେବୀ ଭାରତୀୟ ରାଜନୀତିରେ ଶୂନ୍ୟଚାରିଣୀ ନ ଥିଲେ, ଥିଲେ ଭୂମିଚାରିଣୀ। ଯେକୌଣସି ସମସ୍ୟା ହେଉ, ସେ ତା’ର ମୂଳକୁ ଯାଇ ସମାଧାନର ପନ୍ଥା ନିରୂପଣ କରୁଥିଲେ। ନିପଟ ମଫସଲର ଛୋଟଛୋଟ ଚାଷୀ, ଘରକୋଣରେ କର୍ମକୁ ଆଦରି ପଡ଼ିଥିବା ନାରୀ, ବେରୋଜଗାରି ଯୁବକ- ସମସ୍ତଙ୍କ ହୃଦୟର ବ୍ୟଥା ତାଙ୍କୁ ସଦା ବ୍ୟଥିତ କରୁଥିଲା। କଥାର ନୁହେଁ, ସେ ଥିଲେ କାମର ନେତ୍ରୀ। ଶାସନ ବ୍ୟବସ୍ଥାରେ ଯେଉଁ ପ୍ରାବଧାନମାନ ସେ ତିଆରି କରିଥିଲେ, ଗଣିବସିଲେ ତାହା ସରିବ ନାହିଁ। ଭିଟାମାଟି ନ ଥିବା ଲୋକଙ୍କୁ ଘରଡିହ ଦେବା, ସମବାୟ ସଂସ୍ଥା ମାଧ୍ୟମରେ ନାମମାତ୍ର ଚାଷୀଙ୍କୁ ଋଣ ଯୋଗାଇଦେବା, ଖଣ୍ଡଖଣ୍ଡ ହେଇ ଏଠିସେଠି ପଡ଼ିଥିବା ଓ ସଶକ୍ତ କୃଷିର ଅନୁପଯୋଗୀ ଚାଷଜମିକୁ ଚକବନ୍ଦୀ କାର୍ଯ୍ୟକ୍ରମ ଦ୍ୱାରା ବ୍ୟବସ୍ଥିତ କରିବା, ରେଙ୍ଗାଲି ଓ ଅପରକୋଲାବ ଭଳି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରି ଚାଷୀଙ୍କୁ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ଯୋଗାଇବା, ବୁଢ଼ାବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବା, ଗାଁ ମହାଜନକୁ ସୁଧ ଗଣିଗଣି ନୟାନ୍ତ ଲୋକଙ୍କ ନିମନ୍ତେ ମହାଜନି କାରବାର ବନ୍ଦ ପାଇଁ ଆଇନ ଆଣିବା, ବେସରକାରୀ ସ୍କୁଲ ଓ କଲେଜ ଶିକ୍ଷକଙ୍କୁ ପ୍ରତ୍ୟକ୍ଷଭାବେ ସରକାରୀ ବେତନ ହାରରେ ଦରମା ପ୍ରଦାନ କରିବା, ମୁନାଫାଖୋର ଦଲାଲଙ୍କ ଦାଉରୁ କେନ୍ଦୁପତ୍ର ତୋଳାଳିଙ୍କୁ ସୁରକ୍ଷା ଦେବାକୁ କେନ୍ଦୁପତ୍ର ଜାତୀୟକରଣ କରିବା, ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ଦେବା, ସିଲିଂ ବହିର୍ଭୂତ ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ଆଦି ଯେଉଁ ଦିଗକୁ ଆଖି ପକାଇଲେ ବି ନନ୍ଦିନୀ ହିଁ ଓଡ଼ିଶା ରାଜନୀତିରେ ଡେଙ୍ଗା ହୋଇ ଦୃଶ୍ୟମାନ ହୁଅନ୍ତି। ଅକଳରେ ପଡ଼ିଥିବା ଆଦିବାସୀଙ୍କଠାରୁ ସବର୍ଣ୍ଣମାନେ ଜମି ହଡ଼ପ କରୁଥିଲେ। ନିୟମ ପ୍ରଣୀତ ହେଲା ଆଦିବାସୀଙ୍କ ଜମିକୁ ସବର୍ଣ୍ଣମାନେ କିଣିପାରିବେ ନାହିଁ। ଯୌତୁକ ନିଆଁରେ ଜଳି ଯାଉଥିଲା ଅଗଣିତ ଯୁବତୀଙ୍କ ଯୌବନ ଓ ଜୀବନ। ଯୌତୁକ ନିରୋଧ ଆଇନ ପ୍ରଣୀତ ହୋଇ ଏଥିରେ ଲାଗିଲା ପ୍ରତ୍ୟାଶିତ ବିରାମ।
ରାଜନୀତି ଓ ଶାସନର ବଡ଼ ଆଖିକୁ ଦିଶୁ ନ ଥିବା ଜନତାର ନିଭୃତ ଲୁହ, କାନକୁ ଶୁଭୁ ନ ଥିବା ଉପାୟହରା ମଣିଷର ଦୀର୍ଘଶ୍ୱାସ ଯଦି ପ୍ରତିକାରର ପନ୍ଥା ଲଭିଥାଏ, ତେବେ ଉପର ଉଦାହରଣ ହେଉଛି ତା’ର ପ୍ରମାଣ। ବଡ଼ ବଡ଼ ବାରଚାଉଳିଆ ଯୋଜନା ଅପେକ୍ଷା ସମସ୍ୟାର ସାନ ସାନ ପ୍ରତିକାର ଯେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ଅନ୍ତ ଘଟାଇବ- ନନ୍ଦିନୀ ଦେବୀ ତାହା ବୁଝିଥିଲେ। ଓଡ଼ିଶାର ଯୁଆଡ଼କୁ ଆମେ ଅନାଇବା ଆଖିରେ ପଡ଼ିବ ନନ୍ଦିନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଜକୀର୍ତ୍ତି। ଗୋପାଳପୁରର ଇଣ୍ଡିଆନ୍‌ ରେୟାର୍‌ ଆର୍ଟ କମ୍ପ୍ଲେକ୍ସ, ତାଳଚେର ଓ ପାରାଦୀପର ସାର କାରଖାନା, ରାଉରକେଲାର ଏସିଆଟିକ୍‌ ଅକ୍ସିଜେନ୍‌ କାରଖାନା (ବିଗତ ମହାମାରୀ କରୋନା ସମୟରେ ଯାହା ନିଜର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇ ସାରା ଦେଶକୁ ଅକ୍ସିଜେନ୍‌ ଯୋଗାଇ ଥିଲା), ଢେଙ୍କାନାଳରେ କଳିଙ୍ଗ ଝୋଟ କାରଖାନା, ହସ୍ତଶିଳ୍ପ ଓ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ‘ଉତ୍କଳିକା’ ନାମରେ ଭୁବନେଶ୍ୱର ଓ ଦିଲ୍ଲୀରେ ଆଧୁନିକ ବିପଣନ କେନ୍ଦ୍ର ପ୍ରତିଷ୍ଠା, ଭୁବନେଶ୍ୱରରେ କର୍ମଜୀବୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଆବାସନ ‘ନିବେଦିତା’ର ନିର୍ମାଣ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଅନ୍ଧ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା, ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଭବନ ଓ କଟକରେ ଆକାଶବାଣୀ ଭବନ ନିର୍ମାଣ ହେଉଛି ଓଡ଼ିଶାକୁ ନନ୍ଦିନୀଙ୍କର ଅବଦାନ। ଭୁବନେଶ୍ୱରର ସୂଚନା ଭବନ (ଜୟଦେବ ଭବନ ଯାହାର ପରବର୍ତ୍ତୀ ନାମ) ଓ ଶ୍ରୀଅରବିନ୍ଦଙ୍କ ଦେହାବଶେଷ ସ୍ଥାପନ ପୂର୍ବକ ‘ମାତୃଭବନ’ ନିର୍ମାଣ ହିଁ ତାଙ୍କ ଉଦ୍ୟମର ଫଳଶ୍ରୁତି।
ନନ୍ଦିନୀଙ୍କ ପରେ ଓଡ଼ିଶାର ଶାସନଗାଦିକୁ କେତେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସି ଗଲେଣି। କେତେକେତେ ଶିଳାନ୍ୟାସ ହୋଇ ଶିଳାନ୍ୟାସର ପଥରରେ ଘାସ ଚରିଗଲାଣି, କାହିଁ କେତେ ବା ଆଖିରେ ପଡ଼େ ନନ୍ଦିନୀଙ୍କୁ ଟପିବା ଭଳି ଉଦାହରଣ! ରାଜନୀତିରେ ବହୁ ନୂଆ ନୂଆ କଥା ତାଙ୍କରି ସମୟରେ ଆରମ୍ଭ ହୋଇଥିଲା। ବୀରେନ୍‌ ମିତ୍ରଙ୍କ ସହ କଟକ ନିର୍ବାଚନରେ ଲଢ଼ିବାବେଳେ ଘର ଘର ବୁଲି ନିର୍ବାଚନ ପ୍ରଚାରର ତରିକା ଓଡ଼ିଶା ରାଜନୀତିରେ ପ୍ରଥମେ ନନ୍ଦିନୀ ହିଁ ପ୍ରବର୍ତ୍ତନ କରିଥିଲେ। ଉତ୍ତରପ୍ରଦେଶର ଆରୋରା ଢାଞ୍ଚାରେ କଂଗ୍ରେସ କର୍ମୀଙ୍କ ପାଇଁ ତାଲିମ ଶିବିର ପ୍ରତିଷ୍ଠାର ମୂଳଦୁଆ ଓଡ଼ିଶାରେ ସେ ହିଁ ପକାଇଥିଲେ। ରାଜନେତ୍ରୀ ଭାବରେ ସେ ସବୁବେଳେ ଭୂମିଲଗ୍ନା ଥିଲେ। ଶିକ୍ଷା ତଥା ଚାକିରି କ୍ଷେତ୍ରରେ ଆଞ୍ଚଳିକବାଦର ସେ ଘୋର ବିରୋଧୀ ଥିଲେ। ଆଞ୍ଚଳିକ ବ୍ୟାଧିରେ ପୀଡ଼ିତ ଯୁବଶକ୍ତି କେବେ ବି ରାଜ୍ୟ ବା ଦେଶର ଉନ୍ନତ ସେବା କରିପାରିବ ନାହିଁ – ଏଥିରେ ତାଙ୍କର ବିଶ୍ୱାସ ଥିଲା। ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ବି ସେ ପସନ୍ଦ କରୁ ନ ଥିଲେ। କ୍ଷୁଦ୍ରତା କିପରି ମାନବିକତାକୁ ସଂକୀର୍ଣ୍ଣ କରିଦିଏ, ତାହା ସେ ମର୍ମେ ମର୍ମେ ଅନୁଭବ କରି ଏକ ମହାଭାରତୀୟ ଦେଶ ଭାବନା ପ୍ରତି ନିଜକୁ ଉତ୍ସର୍ଗ କରିଥିଲେ।
ନନ୍ଦିନୀ ଦେବୀ କେବେ ବି ଶୁଖିଲା ମନର ନେତ୍ରୀ ନ ଥିଲେ। ସେ ଥିଲେ ଏକାଧାରରେ କବି, କଥାଶିଳ୍ପୀ ଓ ସଙ୍ଗୀତାନୁରାଗିଣୀ। ଓଡ଼ିଶାର ପ୍ରଥମ ରଙ୍ଗିନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ତାଙ୍କରି ଶାସନ କାଳରେ ନିର୍ମିତ ହୋଇଥିଲା। କଲିକତାର ଏଚ୍‌.ଏମ୍‌.ଭି. କମ୍ପାନୀ ଦ୍ୱାରା ସେ ଓଡ଼ିଶାର କାଳଜୟୀ ଭଜନ/ଜଣାଣର ରେକର୍ଡିଂ କରାଇଥିଲେ। ଲୋକପ୍ରିୟ କିମ୍ବଦନ୍ତୀର ପ୍ରଚାର ପ୍ରସାର ପାଇଁ ‘କଥାଗୀତି’ର ପ୍ରଚଳନ ତାଙ୍କରି ସାଂସ୍କୃତିକ ଆଗ୍ରହ ଯୋଗୁ ସାକାର ହୋଇଥିଲା। ଓଡ଼ିଶାର ରାଜକୋଷରେ ଆଜି ଅଚଳାଚଳ ଅର୍ଥ, ରାଜନୀତିରେ ହାଉଯାଉ ନେତା, କିନ୍ତୁ ନନ୍ଦିନୀଙ୍କ ଓଡ଼ିଶା ଆଜି ତାଙ୍କଠୁ ବା କେତେ ପାଦ ଦୂରରେ! ଦେଶ ଓ ଦଶ ପାଇଁ ଏତେସବୁ କରି ମଧ୍ୟ ନନ୍ଦିନୀ ଦେବୀ କେବେ ବି ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯିବାର ବାସନା ପୋଷଣ କରି ନ ଥିଲେ। ଏଇ ଅବସରରେ ନନ୍ଦିନୀ ଦେବୀଙ୍କର ଏକ ପ୍ରିୟ ଗୀତ ‘ଆମି ଚଲେ ଗେଲେ’ ମୋ ସ୍ମରଣକୁ ଆସୁଛି, ଯାହାର ଲେଖକ ବଙ୍ଗଳାର କିମ୍ବଦନ୍ତୀପ୍ରତିମ ଶ୍ୟାମଲ ଗୁପ୍ତ। ମନ ଭାଙ୍ଗିଥିଲେ ନନ୍ଦିନୀ ଦେବୀ ଏକାନ୍ତରେ ଏଇ ଗୀତଟିକୁ ଗୁଣୁଗୁଣାଉ ଥିଲେ, ଯାହାର ଏକ ଅଂଶ- ”ଆମି ଯେ ଶୁନେଛି ସୁଖେର ବାସରେ/ ଦୁଃଖେର ରାଗିଣୀ ହାହାକାର କରେ/ ଯେ ବ୍ୟଥା ମହାନ୍‌/ ତାରି ପାୟେ ଆମି ଜାନାୟେ ଗେଛି ପ୍ରଣାମ।“ ମାନବ ବ୍ୟଥାର ଚିରପୂଜାରିଣୀ ନନ୍ଦିନୀ ଦେବୀଙ୍କୁ ଆଜି ତାଙ୍କ ଶୁଭ ଜନ୍ମଦିନରେ ଶତ ସହସ୍ର ପ୍ରଣାମ!
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଗିଗଲେ ଆଉଟସୋର୍ସିଂ କର୍ମଚାରୀ, ଦେଲେ ଆନ୍ଦୋଳନ ଧମକ

ଭୁବନେଶ୍ୱର,୧୧।୧୨: ଓଡ଼ିଶାର ଆଉଟସୋର୍ସିଂ କର୍ମଚାରୀମାନେ ତଥ୍ୟ ଗୋପନୀୟତା ଭଙ୍ଗ ହେବାର ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି।...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri