୧୦୮ ଆମ୍ବୁଲାନ୍ସକୁ ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌’

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଉଲ୍ଲେଖନୀୟ ଜରୁରିକାଳୀନ ସେବା ବିତରଣ ପାଇଁ ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ଜାତୀୟ ସ୍ତରୀୟ ପ୍ଲାଟ୍‌ଫର୍ମରେ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କାର ପାଇଛି। ନିକଟରେ ନୂଆଦିଲ୍ଲୀସ୍ଥିତ ରୋଜିଏଟ୍‌ ହାଉସ୍‌ଠାରେ ଆୟୋଜିତ ଏକ ଉତ୍ସବରେ ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨’ ମିଳିଛି। ‘ପ୍ରି-ହସ୍ପିଟାଲ କେୟାର୍‌’ ବର୍ଗରେ ଜରୁରିକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ ପାଇଁ ୧୦୮ ଆମ୍ବୁଲାନ୍ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ତରଫରୁ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍‌ (ଜେଡ୍‌ଏଚ୍‌ଏଲ୍‌) ଦ୍ୱାରା ଏହି ଆମ୍ବୁଲାନ୍ସ ସେବା ପରିଚାଳିତ ହେଉଛି। କାର୍ଯ୍ୟକ୍ରମରେ ଅଭିନେତ୍ରୀ ଇଶା ଗୁପ୍ତା ଜେଡ୍‌ଏଚ୍‌ଏଲ୍‌ ଓଡ଼ିଶାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ସବ୍ୟସାଚୀ କହିଛନ୍ତି, ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରି ଜରୁରିକାଳୀନ ସ୍ଥିତିରେ ଏକ ସୁଗମ ଓ ସମୟାନୁବର୍ତ୍ତୀ ସେବା ପ୍ରଦାନ କରି ରାଜ୍ୟର ଅଗଣିତ ଲୋକଙ୍କ ଜୀବନ ରକ୍ଷା କରିଛି। ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌’ ହେଉଛି ଜିକିତ୍ସା ହେଲ୍‌ଥକେୟାରର ଉଲ୍ଲେଖନୀୟ ପ୍ରୟାସର ଏକ ଉପଯୁକ୍ତ ସ୍ବୀକୃତି, ଯାହା ୭୦ ଲକ୍ଷରୁ ଅଧିକ ନାଗରିକଙ୍କୁ ସେବା ପ୍ରଦାନ କରିଥିବା ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ସେବା ପଛର ପ୍ରମୁଖ ଶକ୍ତି। ଏହା ହେଉଛି କଠିନ ପରିଶ୍ରମ ଓ ନିଷ୍ଠାର ଏକ ସ୍ବୀକୃତି। ଗତ ୯ ବର୍ଷ ହେବ ଆମେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରିଆସୁଛୁ। ଏହି ଆୱାର୍ଡ ନିଶ୍ଚିତ ରୂପେ ଆମକୁ ଓ ଆମ ଟିମ୍‌କୁ ଅଧିକ ଭଲ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ।
ସୂଚନାଯୋଗ୍ୟ, ୨୦୧୩ ମାର୍ଚ୍ଚ ୫ରେ ୨୮୦ଟି ଆମ୍ବୁଲାନ୍ସ ସହିତ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ୯ବର୍ଷ ଭିତରେ ଏହି ସେବା ଏବେ ସମଗ୍ର ରାଜ୍ୟକୁ ବିସ୍ତାରିତ ହୋଇଛି। ବର୍ତ୍ତମାନ ଜଡ୍‌ଏଚ୍‌ଏଲ୍‌ ରାଜ୍ୟରେ ୧,୧୨୪ଟି ଆମ୍ବୁଲାନ୍ସ ଓ ୬ଟି ବୋଟ୍‌ ଆମ୍ବୁଲାନ୍ସ ପରିଚାଳନା କରୁଛି।