Categories: ଖେଳ

ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ

ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ ପଦାର୍ପଣକାରୀ ନାମିବିଆ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟ(ସୁପର-୧୨)ରେ ସ୍ଥାନ ପକ୍କା କରିଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ଆୟର୍ଲାଣ୍ଡକୁ ଭଲ ଆରମ୍ଭ ଦେଇଥିଲେ ଷ୍ଟ୍ରିଲିଙ୍ଗ (୩୮) ଓ କେଭିନ ଓ’ବ୍ରେନ (୨୫)। ଦୁହେଁ ୭ ଓଭରରେ ୬୨ ରନ୍‌ ଯୋଡ଼ି ଥିଲେ। ହେଲେ ଉଭୟ ବ୍ୟାଟର ଆଉଟ୍‌ ହେବା ପରେ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ୬୨ ରନ୍‌ରେ ପ୍ରଥମ ଉଇକେଟ ହରାଇଥିବା ଆୟର୍ଲାଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୧୨୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଆରମ୍ଭରୁ କେବଳ ସିଙ୍ଗଲ ଓ ଡବଲ ଉପରେ ନିର୍ଭର କରିଥିଲା ନାମିବିଆ। ଏପରି କି ଦଳ ୧୦ ଓଭରରେ ୧ ଉଇକେଟ ହରାଇ ୪୯ ରନ୍‌ କରିଥିଲା। ଜିତିବା ପାଇଁ ଦଳକୁ ପରବର୍ତ୍ତୀ ୧୦ ଓଭରରେ ୭୭ ରନ୍‌ ଦରକାର ଥାଏ। ଅଧିନାୟକ ଏରାସମସ ୫୩ (୩ ଚୌକା ଓ ୧ ଛକା) ଓ ଡେଭିଡ୍‌ ଭିଜ ୨୮ (୧ ଚୌକା ଓ ୨ ଛକା) ରନ୍‌ ପାଳି ଖେଳି ନାମିବିଆକୁ ୧୮.୩ ଓଭରରେ ଜିତାଇ ଦେଇଥିଲେ।

Share