Posted inଜାତୀୟ

ବଦଳିବ ସମୀକରଣ

ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ବାଜିଛି ନିର୍ବାଚନୀ ବିଗୁଲ। ୮୨୪ ବିଧାନସଭା ଆସନରେ ୧୮.୬୮ କୋଟି ଭୋଟର ନିଜ ରାଜନୈତିକ ଅଧିକାର ସାବ୍ୟସ୍ତ କରି ଆଗାମୀ ୫ ବର୍ଷ ପାଇଁ ପ୍ରତିନିଧି ବାଛିବେ। ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀଙ୍କ ଶାସନାଧୀନ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଭାଜପା କ୍ଷମତାସୀନ ଆସାମରେ ୩ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନ ହେବ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ମତଦାନ କରାଯିବ। ୨୦୧୬ ନିର୍ବାଚନ ପରଠାରୁ ଏହି ରାଜ୍ୟଗୁଡ଼ିକର ରାଜନୈତିକ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଥିବାରୁ ଏଥର ସମୀକରଣ ବଦଳିପାରେ ବୋଲି ଆକଳନ କରୁଛନ୍ତି ବିଶ୍ଳେଷକ।

ମମତା ବନାମ ମୋଦି

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୧୬ ଏପ୍ରିଲ ୪ରୁ ମେ ୫ ମଧ୍ୟରେ ୬ ପର୍ଯ୍ୟାୟରେ ହୋଇଥିଲା। ଏଠାରେ ମ୍ୟାଜିକ୍‌ ନମ୍ବର ୧୪୮ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୧୧ ସିଟ୍‌ ଦଖଲ କରି ପୁନର୍ବାର କ୍ଷମତାକୁ ଫେରିଥିଲା। କଂଗ୍ରେସ ୪୪, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌) ୨୬, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ୧, ରିଭୋଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି (ଆର୍‌ଏସ୍‌ପି) ୩, ଗୋର୍ଖା ମୁକ୍ତି ମୋର୍ଚ୍ଚା (ଜିଏମ୍‌ଏମ୍‌) ୩ ଆସନ ପାଇଥିଲେ ଏବଂ ଭାଜପା ମାତ୍ର ୩ ଆସନରେ ସୀମିତ ରହିଥିଲା। ଏଥର ଶାସକ ଟିଏମ୍‌ସି ପୁଣିଥରେ କ୍ଷମତା ଦଖଲ ପାଇଁ ଉଦ୍ୟମ ଚଳାଇଥିବାବେଳେ ଗୈରିକ ଦଳ ଚେକ୍‌ ଦେବାକୁ ରଣନୀତି ପ୍ରସ୍ତୁତ କରିଛି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ତୋଫାନୀ ପ୍ରଚାରରୁ ସ୍ପଷ୍ଟ ହେଉଛି। ଏଠାରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି। ଶୁକ୍ରବାର ଏହି ମେଣ୍ଟରେ ସାମିଲ ହୋଇଛି ଅବ୍ବାସ ସିଦ୍ଦିକିଙ୍କ ନବଗଠିତ ଇଣ୍ଡିଆନ୍‌ ସେକୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌)। ଏହି ଦଳ ୭୦ ଆସନ ମାଗୁଥିବାବେଳେ ମେଣ୍ଟ ପକ୍ଷରୁ ୩୦ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ମିଳିଛି। ୩୪ ବର୍ଷୀୟ ଇସ୍‌ଲାମିକ୍‌ ବିଦ୍ୱାନ ସିଦ୍ଦିକି ମମତାଙ୍କ ପାଇଁ ମହଙ୍ଗା ପଡ଼ିପାରନ୍ତି। ସେହିପରି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌ (ଏଆଇଏମ୍‌ଆଇଏମ୍‌) ମଧ୍ୟ ଅନେକ ଆସନରେ ପ୍ରାର୍ଥୀ ଦେବ। ପଶ୍ଚିମବଙ୍ଗରେ ମୁସଲମାନ ଭୋଟରଙ୍କ ସଂଖ୍ୟା ୩୦% ଥିବାରୁ ଏହି ଦୁଇଦଳ ଟିଏମ୍‌ସି ପାଇଁ କାଳ ହୋଇପାରନ୍ତି। ରାଜ୍ୟରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ମଧ୍ୟ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ଏଥର କଡ଼ା ଟକ୍କର ହେବ ଏବଂ ମୋଟାମୋଟି ଭାବେ ନିର୍ବାଚନ ମମତା ବନାମ ମୋଦି ପାଲଟିବ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି। ତେବେ ଏଠାରେ ଭାଜପାର ମୁଖ୍ୟମନ୍ତ୍ରୀ ଚେହେରା ନ ଥିବାରୁ ଦଳ ସେତେଟା ଲାଭବାନ ହୋଇ ନ ପାରେ ବୋଲି କୁହାଯାଉଛି।

ମଜଭୁତ ହେବ ଏନ୍‌ଡିଏ

କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୩୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ୨୦୧୬ ମେ ୧୬ରେ ନିର୍ବାଚନ ହୋଇଥିଲା। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୬ ହୋଇଥିବାବେଳେ କଂଗ୍ରେସକୁ ୧୫ ଆସନରେ ସଫଳତା ମିଳିଥିଲା। ଏନ୍‌. ରଙ୍ଗାସ୍ବାମୀଙ୍କ ଅଲ୍‌ ଇଣ୍ଡିଆ ଏନ୍‌.ଆର୍‌. କଂଗ୍ରେସ ୮, ଏଆଇଏଡିଏମ୍‌କେ ୪, ଡିଏମ୍‌କେ ୨ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ନିକଟରେ ଶାସକ କଂଗ୍ରେସ-ଡିଏମ୍‌କେ ମେଣ୍ଟର ଅନେକ ବିଧାୟକ ଇସ୍ତଫା ଦେଇ ସେମାନଙ୍କ ମଧ୍ୟରୁ କେତେଜଣ ଭାଜପାରେ ମିଶିଥିଲେ। ଫଳରେ ସଂଖ୍ୟାଲଘୁରେ ପରିଣତ ହୋଇଥିବା ନାରାୟଣସ୍ବାମୀ ସରକାରଙ୍କ ପତନ ଘଟିଥିଲା। ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେଇଥିଲେ। ଗୁରୁବାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି। ଆସନ୍ତା ନିର୍ବାଚନରେ ଏନ୍‌.ଆର୍‌. କଂଗ୍ରେସ ଏବଂ ଏଆଇଏମ୍‌ଡିଏମ୍‌କେକୁ ନେଇ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ବଳ ବୃଦ୍ଧି ଘଟିପାରେ ବୋଲି ରାଜନୈତିକ ପଣ୍ଡିତ କହୁଛନ୍ତି।

ଦୃଶ୍ୟପଟରେ ପରିବର୍ତ୍ତନ

ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ୨୦୧୬ ମେ ୧୬ରେ ବିଧାନସଭାର ୨୩୪ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୧୮ ହୋଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌(ଏଆଇଏଡିଏମ୍‌କେ) ୧୩୬ ଆସନ ଦଖଲ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ଇ.କେ. ପାଲାନିସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏମ୍‌. କରୁଣାନିଧିଙ୍କ ଦଳ ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ)କୁ ୯୮ ଆସନରେ ସନ୍ତୁଷ୍ଟ ହୋଇ ବିରୋଧୀ ଦଳରେ ବସିବାକୁ ପଡ଼ିଥିଲା। କଂଗ୍ରେସ ୮ ଓ ଇଣ୍ଡିଆନ୍‌ ୟୁନିୟନ୍‌ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ୧ ଆସନରେ ସୀମିତ ରହିଥିଲେ। ଏଥର ଗୋଟିଏ ପଟେ ଭାଜପା-ଏଆଇଏଡିଏମ୍‌କେ ସମେତ ପଟ୍ଟାଲି ମକ୍କଲ କାଟ୍‌ଚି ଏବଂ ତାମିଲ ମାନିଲା କଂଗ୍ରେସ ଭଳି ସହଯୋଗୀ ଓ ଅନ୍ୟପଟେ କରୁଣାନିଧିଙ୍କ ପୁଅ ତଥା ବିରୋଧୀ ଦଳ ନେତା ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱରେ ଡିଏମ୍‌କେ-କଂଗ୍ରେସ ସମେତ ବାମଦଳ ରହିବେ। ଏଆଇଏଡିଏମ୍‌କେ ନେତ୍ରୀ ଭି.କେ. ଶଶୀକଳା ଜେଲରୁ ଫେରିବା ପରେ ରାଜନୈତିକ ପାଣିପାଗ ବଦଳିଛି। ସେହିପରି ସୁପରଷ୍ଟାର କମଲ ହାସନଙ୍କ ମକ୍କଲ ନିଧି ମୈୟମ୍‌ (ଏମ୍‌ଏନ୍‌ଏମ୍‌) ନିର୍ବାଚନରେ ପ୍ରଥମଥର ପାଇଁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବାରୁ ଶାସକ ମେଣ୍ଟ ପାଇଁ ଅଡ଼ୁଆ ବଢ଼ିପାରେ। ରାଜ୍ୟରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିପାରେ ବୋଲି କୁହାଯାଉଛି।

ମୋଦି, ଶାହାଙ୍କ ଅନୁସାରେ ତାରିଖ ଘୋଷଣା

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ନିର୍ବାଚନ କରାଇବା ପାଇଁ ଘୋଷଣା କରାଯାଇଥିବାରୁ ଏହାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପାର ପ୍ରଚାର ପରିଚାଳନାକୁ ସୁଗମ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ପରାମର୍ଶରେ ନିର୍ବାଚନ କମିଶନ (ଇସି) ଏପରି କରିଥିବା ମମତା କାଲିଘାଟ ବାସଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଭାଜପା ଯେପରି ଚାହିଁଛି ଇସି ସେହି ଅନୁସାରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମୋଦି ଓ ଶାହା ନିର୍ବାଚନ ପାଇଁ ନିଜ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ। ଇସି ଭାଜପା ଶିବିର ଦୃଷ୍ଟିରେ ପଶ୍ଚିମବଙ୍ଗକୁ ଦେଖିବା ଅନୁଚିତ। ଅନ୍ୟ ରାଜ୍ୟଗୁଡ଼ିକରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ପଶ୍ଚିମବଙ୍ଗରେ କାହିଁକି ୮ଟି ପର୍ଯ୍ୟାୟରେ ମତଦାନ କରାଯାଉଛି? ଇସି ନ୍ୟାୟ ନ ଦେଲେ ଲୋକେ କାହା ପାଖକୁ ଯିବେ ବୋଲି ମମତା ପ୍ରଶ୍ନ କରିଛନ୍ତି।

ସୋନୋଓ୍ବାଲଙ୍କ ମୁଣ୍ଡବ୍ୟଥା ବଢ଼ିବ

୨୦୧୬ ଏପ୍ରିଲ ୪ ଓ ୧୧ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୪ ଆସନରେ ବିଜୟୀ ହେଲେ ସରକାର ଗଠନ ସମ୍ଭବ ଥିବାବେଳେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୮୬ ସିଟ୍‌ ଦଖଲ କରିଥିଲା। ଭାଜପାକୁ ୬୦, ଆସାମ ଗଣ ପରିଷଦ(ଏଜିପି) ୧୪ ଓ ବୋଡୋ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌)କୁ ୧୨ ଆସନରେ ସଫଳତା ମିଳିଥିଲା। କଂଗ୍ରେସ ୨୬ ଏବଂ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ପ୍ରଭାବ ରଖୁଥିବା ବଦ୍‌ରୁଦ୍ଦିନ ଅଜମଲଙ୍କ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) ୧୩ ଆସନରେ ବିଜୟୀ ହୋଇଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ଉତ୍ତର-ପୂର୍ବର ଏହି ରାଜ୍ୟରେ ଗୈରିକ ଦଳକୁ ଦୋହରା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ମେ ୨ର ଫଳାଫଳ ତାଙ୍କ ସପକ୍ଷରେ ଯିବ ବୋଲି କୁହାଯାଇ ନ ପାରେ। କାରଣ କଂଗ୍ରେସ ସହ ଏଆଇୟୁଡିଏଫ୍‌ ହାତ ମିଳାଇଥିବାବେଳେ ଦୁଇ ନବଗଠିତ ପାର୍ଟି ଆସୋମ ଜାତୀୟ ପରିଷଦ(ଏଜେପି) ଏବଂ ରାଇଜୋର୍‌ ଦଳ (ଆର୍‌ଡି) ସୋନୋଓ୍ବାଲଙ୍କ ମୁଣ୍ଡବ୍ୟଥା ବଢ଼ାଇବେ।

ସଫଳତା ଦୋହରାଇବା ଆଶାରେ ବିଜୟନ୍‌

୨୦୧୬ ମେ ୧୬ରେ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସରକାର ଗଠନ ପାଇଁ ୭୧ ଆସନ ଆବଶ୍ୟକ ଥିବାବେଳେ ସିପିଆଇଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ୯୧ ଆସନ ଦଖଲ କରି କ୍ଷମତାସୀନ ହୋଇଥିଲା। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)କୁ ମାତ୍ର ୪୭ ଆସନରେ ସୀମିତ ରହି ବିରୋଧୀ ଆସନରେ ବସିବାକୁ ପଡ଼ିଥିଲା। ଏଠାରେ ସିପିଆଇଏମ୍‌ ୫୯, ସିପିଆଇ ୧୯, କଂଗ୍ରେସ ୨୧, ଆଇୟୁଏମ୍‌ଏଲ୍‌ ୧୮, କେରଳ କଂଗ୍ରେସ (ମଣି) ୫ ଆସନରେ ବିଜୟୀ ହୋଇଥିବାବେଳେ ଭାଜପା ମାତ୍ର ଗୋଟିଏ ସିଟ ଜିତି ଖାତା ଖୋଲିଥିଲା। ଏଥର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ପୂର୍ବ ସଫଳତାର ପୁନରାବୃତ୍ତି ଆଶାରେ କିଛି ମାସ ହେଲା ସମସ୍ତ ଜିଲାକୁ ଗସ୍ତ କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି। ଇତିମଧ୍ୟରେ ଭାଜପା କେରଳରେ କ୍ଷମତାସୀନ ହୋଇ ନ ପାରିଲେ ବି ବିରୋଧୀ ଆସନରେ ବସିବା ଭଳି ସ୍ଥିତିକୁ ଉନ୍ନୀତ ହେବା ପାଇଁ ଉଦ୍ୟମ ଚଳାଇଛି।

 

ପଶ୍ଚିମବଙ୍ଗରେ ମଜୁରି ବଢ଼ିଲା, ତାମିଲନାଡୁରେ ଋଣଛାଡ଼

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ତେବେ ଏହି ଘୋଷଣାର କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ସହରାଞ୍ଚଳ ନିଯୁକ୍ତି ଯୋଜନାରେ ମଜୁରିଆମାନଙ୍କ ମଜୁରୀ ବଢ଼ାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରିଛନ୍ତି। ଅଣକୁଶଳୀଙ୍କ ମଜୁରିକୁ ୧୪୪ରୁ ୨୦୨ ଟଙ୍କାକୁ ବଢ଼ାଯାଇଛି। ଅର୍ଦ୍ଧକୁଶଳୀଙ୍କ ମଜୁରି ୧୭୨ରୁ ୩୦୩ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୪ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଗରିବ, କୃଷି ଶ୍ରମିକ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଅଳଙ୍କାର ବନ୍ଧକ ରଖି ନେଇଥିବା ଋଣକୁ ଛାଡ଼ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri