ଜାତୀୟ ସ୍ତରରେ ଚମକିଲେ କୁନି ପ୍ରତିଭା ଏଫ୍ରାତା, ଶହଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ପୁଣିଥରେ ଜାତୀୟ ମଞ୍ଚରେ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାର କୁନି ମଡେଲ ଏଫ୍ରାତା ଜୋଏଲ। ଦେଶର ପ୍ରତିଷ୍ଠିତ ରିଆଲିଟି ଶୋ ’ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ୍‌’ର ସୁପର ମଡେଲ କ୍ୟାଟେଗୋରୀରେ ସେ ନିଜର ସ୍ଥାନ ପକ୍କା କରିଛନ୍ତି। ଶହଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏଫ୍ରାତା ଏବେ ଟେଲିଭିଜନ ପରଦାରେ ନିଜର ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଏଫ୍ରାତା ପ୍ରଥମେ ଅନ୍‌ଲାଇନ ମାଧ୍ୟମରେ ନିଜର ପ୍ରତିଭା ଦେଖାଇ ଏହି ପ୍ରତିଭାର ଅଧିକାରୀ ହୋଇଛନ୍ତି। ଗତ ଏପ୍ରିଲ ୧୨ ତାରିଖରେ ଅନୁଷ୍ଠିତ ମେଗା ଅଡିସନରେ ୧୦୦୦ରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରେ ତାଙ୍କର କଡ଼ା ପ୍ରତିଯୋଗିତା ହୋଇଥିଲା।

ନିଜର ଆତ୍ମବିଶ୍ୱାସ ଏବଂ ମଡେଲିଂ ଶୈଳୀ ପାଇଁ ସେ ଶ୍ରେଷ୍ଠ ୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇ ଟିଭି ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ‘ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ’ ଖେତାବ ଜିତିଥିବା ଏଫ୍ରାତାଙ୍କର ଏହି ନୂତନ ସଫଳତା ପରିବାର ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି।

ଏ ସମ୍ପର୍କରେ ତାଙ୍କ ମା’ ବି. ନିବେଦିତା କହିଛନ୍ତି ଯେ, ‘ମୋ ଝିଅକୁ ଏତେ ବଡ଼ ପ୍ଲାଟଫର୍ମରେ ଦେଖିବା ମୋ ପାଇଁ ଏକ ଗର୍ବର ବିଷୟ। ତା’ର ଆଗାମୀ ପ୍ରଦର୍ଶନ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share