ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ କିଭଳି ସନ୍ତୁଳନ ରହିବ, ତାକୁ ନେଇ ବକୁଳ ଫାଉଣ୍ଡେଶନ ପକ୍ଷରୁ ଗ୍ରୀନରାଖୀ କ୍ୟାମ୍ପେନ୍‌ ଆରମ୍ଭ ହୋଇଛି। ପ୍ରତିବର୍ଷ ବିଭିନ୍ନ ପର୍ବରେ ଚାରାରୋପଣ ଓ ପରିବେଶ ସହ ସଂଶ୍ଳିଷ୍ଟ ନିଆରା ଉପାୟରେ ଫାଉଣ୍ଡେଶନ ପକ୍ଷରୁ ଏଭଳି କିଛି ଲୋକଙ୍କୁ ଭେଟି ଦିଆଯାଉଛି। ଭଉଣୀ, ଭାଇର ସମ୍ପର୍କ ନିଆରା। ଏହି ନିଆରା ସମ୍ପର୍କକୁ ମନେପକାଇବା ପାଇଁ ପ୍ରତିବର୍ଷ ରାଖୀ ପାଳନ କରାଯାଇଥାଏ। ଅନେକ ସମୟରେ ଭଉଣୀ ଭାଇଙ୍କ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ରାଖୀ ମଧୁର କରିଥାଏ। ଭାଇ ଭଉଣୀଙ୍କ ସମ୍ପର୍କ ସହ ପରିବେଶକୁ ମଧ୍ୟ ଆମେ କିଭଳି ସୁରକ୍ଷିତ ରଖିପାରିବା ତାହା ଫାଉଣ୍ଡେଶନ ପକ୍ଷରୁ ଏହିବର୍ଷର ନିଆରା ଉଦ୍ୟମ। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି, ରାକ୍ଷୀରୁ ଗଛ ଉଠିବ। ବଜାରରେ ମିଶୁଥିବା ରାଖୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ। କିନ୍ତୁ ଆମ ପାଖେ ଥିବା ରାଖୀ ବ୍ୟବହାର ପରେ ମାଟିରେ ପୋତିଲେ ଏହା ଅବକ୍ଷୟ ହେବ। ରାକ୍ଷୀରେ ବ୍ୟବହୃତ କଟନ ସୂତାକୁ ମଧ୍ୟପ୍ରଦେଶର ଏକ କାରିଗରି ଦଳ ପ୍ରସ୍ତୁତ କରିଛନ୍ତି। ଏଥିରେ ଥିବା ମଞ୍ଜିରୁ ଗଛ ଉଠିବ। ରାଖୀ ସହ ଥିବା କାର୍ଡରେ ମଧ୍ୟ ମଞ୍ଜି ଅଛି। ସେଥିରେ ରାଖୀ ଦ୍ୱାରା କିଭଳି ଆମେ ପରିବେଶ ସୁରକ୍ଷା କରିପାରିବା ତାହା ଉଲ୍ଲେଖ ରହିଛି। ଏହି ସବୁ ରାଖୀରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଯଥା ତୁଳସୀ, ବାସଙ୍ଗ ସହ ଅନେକ ଫୁଲ , ଫଳ, ସବୁଜ ପରିବାର ମଞ୍ଜି ରଖାଯାଇଛି। ଏହି କାର୍ଡ ଓ ରାଖୀ ସହ ଏକ ଚାରା ମଧ୍ୟ କମ୍ବୋ ରହିଛି। କେହି ଜଣେ କେବଳ ରାଖୀ କିଣିପାରିବ ନାହିଁ ରାକ୍ଷୀ ସହ କୌଣସି ଏକ ଚାରାକୁ ବାଛିବାକୁ ହେବ। ତେବେ ୨୦୦ରୁ ଆରମ୍ଭ ହୋଇ ଏହାର ମୂଲ୍ୟ ୪୦୦ଟଙ୍କା ପର୍ଯ୍ୟନ୍ତ ରହିଛି।