Categories: ଖେଳ

ବାବରଙ୍କ ପାଇଁ ତାଳି ମାରିଲା ଅଷ୍ଟ୍ରେଲିଆ ଟିମ୍‌

କରାଚୀ,୧୭।୩: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଚିତ୍ତାକର୍ଷକ ଡ୍ର’ ସହ ବୁଧବାର ଶେଷ ହୋଇଛି। ଅଧିନାୟକ ବାବର ଆଜାମଙ୍କ ୧୯୬ ରନ୍‌ର ପାଳି ଯୋଗୁ ଏହା ସମ୍ଭବ ହୋଇ ପାରିଥିଲା। ଏହି ଇନିଂସ ଜରିଆରେ ସେ ହାସଲ କରିଛନ୍ତି ଅଧିନାୟକ ଭାବେ ଚତୁର୍ଥ ଇନିଂସରେ ସର୍ବାଧିକ ସ୍କୋର କରିବାର ରେକର୍ଡ।

ଆଜାମ ୪୨୫ ବଲର ସମ୍ମୁଖୀନ ହୋଇ ୧୯୬ ରନ୍‌ କରିଥିଲେ। ତାଙ୍କ ପାଳିରେ ୨୧ ଚୌକା ଓ ୧ ଛକା ସାମିଲ ଥିଲା। ଡାହାଣହାତୀ ବ୍ୟାଟର ଶେଷରେ ୧୬୦ତମ ଓଭରରେ ନାଥନ ଲିଓନଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପରେ ପ୍ରତିପକ୍ଷ ଅଷ୍ଟ୍ରେଲିଆନ ଖେଳାଳି ଏବଂ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ମହମ୍ମଦ ରିଜ୍ୱାନ ତାଙ୍କ ସହିତ ହାତ ମିଳାଇ ଶୁଭେଚ୍ଛା ଦେଇଥିଲେ। ସେ ପ୍ୟାଭିଲିଅନ ଆଡ଼କୁ ଫେରିଲା ବେଳେ ପୂରା ଅଷ୍ଟ୍ରେଲିଆ ଦଳ ତାଙ୍କ ପଛରେ ଥାଇ ତାଳି ମାରିଥିଲା। ଏହାର ଭିଡିଓ କ୍ରିକେଟ ପ୍ରଶଂସକ ପସନ୍ଦ କରୁଛନ୍ତି।

ମ୍ୟାଚ୍‌ର ୫ମ ଦିନରେ ପାକିସ୍ତାନକୁ ମ୍ୟାଚ୍‌ ବଞ୍ଚାଇବା ଲାଗି ୮ ଉଇକେଟରେ ୩୧୪ ରନ୍‌ର ଆବଶ୍ୟକତା ଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୫୫୬ ରନ୍‌ କରିଥିବା ବେଳେ ମାତ୍ର ୧୪୮ ରନ୍‌ରେ ସୀମିତ ରହିଥିଲା ପାକିସ୍ତାନ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଉଇକେଟ କ୍ଷତିରେ ୯୭ ରନ୍‌ରେ ପାଳି ଘୋଷଣା କରିବାରୁ ପାକିସ୍ତାନ ଆଗରେ ଛିଡ଼ା ହୋଇଥିଲା ୫୦୬ ରନ୍‌ର ବିଜୟଲକ୍ଷ୍ୟ।

Share