ଉତ୍ସାହ ଭରିଲା ଶ୍ରେଣୀଗୃହ ପାଠପଢ଼ା

କଟକ ଅଫିସ,୮ା୨: ତୃତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ସ୍କୁଲ କଲେଜ ଖୋଲାଯାଇଛି। ଏହି ଅବସରରେ ସୋମବାର ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଏବଂ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଅନଲାଇନ ସହ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ କରାଯାଇଛି। ପିଲା ବହି ବସ୍ତାନି ଧରି ସ୍କୁଲ ଆସିଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ ଖୋଲିଥିବାରୁ ସ୍କୁଲ କଲେଜ ପରିସରକୁ ସଫା କରାଯିବା ସହ ସାନିଟାଇଜ କରାଯାଇଛି। ଆସବାବପତ୍ର ସଜଡ଼ାଯିବା ସହ ସାମାଜିକ ଦୂରତା ରଖି ବସିବା ପାଇଁ ଛାତ୍ରୀଛାତ୍ରଙ୍କ ଡେସ୍କକୁ ସୁବ୍ୟବସ୍ଥିତ କରାଯାଇଛି। କୋଭିଡ୍‌ର ତୃତୀୟ ଲହରକୁ ଦେଖି ଜାନୁୟାରୀ ୧୦ରୁ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା। ଏବେ ପ୍ରାୟ ଏକ ମାସ ବ୍ୟବଧାନରେ ସ୍କୁଲ, କଲେଜ ଖୋଲିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏଥିସହ ଶ୍ରେଣୀଗୃହରେ ପାଠ ପଢ଼ିବାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖାଦେଇଛି। ତେବେ ପ୍ରଥମ ଦିନରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସର ଫାଙ୍କା ଫାଙ୍କା ଦେଖିବାକୁ ମିଳିଥିଲା। ସେହିପରି ଜିଲାରେ ସ୍କୁଲଗୁଡିକରେ ଅଧିକ ଛାତ୍ରୀଛାତ୍ରଙ୍କ ଉପସ୍ଥିତି ନ ଥିଲା। ହେଲେ ସ୍କୁଲ ଖୋଲୁଥିଲେ ମଧ୍ୟ ଛାତ୍ରୀଛାତ୍ର ଚାହିଁଲେ ଅନ୍‌ଲାଇନରେ କ୍ଲାସ କରିପାରିବେ।