ପରଲୋକରେ ଓଲିଉଡ୍‌ର ଭେଟେରାନ ଅଭିନେତା ଚକ୍ରଧର ଜେନା

ଭୁବନେଶ୍ୱର,୧୩।୨: ଓଲିଉଡର ଭେଟେରାନ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଏନେଇ ଖବର ପ୍ରସାରିତ ହେବା ପରେ ସିନେମାଜଗତ ସହ ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ଫୁସଫୁସ ଜନିତ ସଂକ୍ରମଣରେ ପୀଡ଼ିତ ଥିଲେ ଚକ୍ରଧର। ଦୀର୍ଘ ୨୩ ଦିନ ହେବ ଏମ୍ସ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲେ ହେଁ ସୋମବାର ରାତିରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

୧୯୫୪ରେ ବାଲେଶ୍ୱର ଜିଲା ଭିଲ୍ଲା ଗାଁରେ ଚକ୍ରଧରଙ୍କ ଜନ୍ମ। ସେ ୧୯୮୩ ରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରୁ ଡିଗ୍ରୀ ହାସଲ କରିଥିଲେ। ଏହାପରଠାରୁ ସେ ଦୀର୍ଘ ବର୍ଷ ଧରି ସିନେମା ଜଗତ ସହ ଯୋଡ଼ି ହୋଇ ରହିଥିଲେ। ଖଳନାୟକଠାରୁ ଆରମ୍ଭ କରି କମେଡି ଓ ଚରିତ୍ର ଅଭିନେତା ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ନିଜ ଅଭିନୟଯାତ୍ରାରେ ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୩ରେ ରିଲିଜ ହୋଇଥିବା ସୁପର ହିଟ ସିନେମା ‘ପଥର ଖସୁଛି ବ ଦେଉଳ’ରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ରଣଭୂମୀ, ଅର୍ଜୁନ, ମାୟା, ରଙ୍ଗିଲା ବାବା, ଓମ ନମଃ ଶିବାୟ, କଥାନ୍ତର, ତୁ ମୋ ଆଖିର ତାରା, ପ୍ରେମ୍‌ ୱେଡସ ପ୍ରିୟା, ମୋ ମନ ଖାଲି ତୋରି ପାଇଁ, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ ଓ ସଞ୍ଜୁ ଆଉ ସଞ୍ଜନା ଭଳି ଅନେକ ହିଟ୍‌ ଫିଲ୍ମରେ ସେ ଅଭିନୟ କରିଥିଲେ।

ତେବେ ଚକ୍ରଧରଙ୍କ ଅଭିନୟର ଯାଦୁଗରୀ କେବଳ ଆଞ୍ଚଳିକ ସ୍ତରରେ ସୀମିତ ନ ଥିଲା। ସେ ହଲିଉଡ ସିନେମାରେ ମଧ୍ୟ କାମ କରିଛନ୍ତି। ସିଟି ଅଫ୍‌ ଜୟ ଓ ଇଲେକ୍ଟ୍ରିକ୍‌ ମୁନ୍‌ରେ ସେ ନଜର ଆସିଥିଲେ। ‘ସିଟି ଅଫ ଜୟ’ ସିନେମାରେ ସେ ବରିଷ୍ଠ ଅଭିନେତା ଓମ୍‌ ପୁରୀ ଓ ଶବାନା ଆଜ୍‌ମିଙ୍କ ସହ ସ୍କ୍ରିନ ଶେୟାର କରିଥିଲେ। ଏହାଛଡ଼ା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ହିନ୍ଦୀ ସିରିଏଲ ‘ଅନ୍ତରଦାହ’ରେ ମଧ୍ୟ ସେ ଅଭିନୟ କରିିଥିଲେ। ୧୯୯୩ର ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର’ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହି ସିନେମାଟି ଲୌହମାନବ ବଲ୍ଲଭଭାଇ ପଟେଲଙ୍କ ଉପରେ ପ୍ରସ୍ତୁତ ହୋଇଥିଲା। ନିଜର ଅଭିନୟକୁ ନେଇ ସେ ରାଜ୍ୟ, ଦେଶ ସହ ବିଦେଶରେ ମଧ୍ୟ ନାଁ କମାଇଥିଲେ। ପ୍ରଥମ କଳାକାର ଭାବେ ସେ ଇଟାଲୀର ସରକାରଙ୍କଠାରୁ କଳା ରତ୍ନ ପୁରସ୍କାର ପାଇଥିଲେ। ଏହାବ୍ୟତିତ ତାଙ୍କୁ ଅନେକ ସମ୍ମାନରେ ପୁରସ୍କୃତ କରାଯାଇଥିଲା।