ହସ୍ତଶିଳ୍ପ ସାମଗ୍ରୀ କିଣାକିଣି ସହ ସୁସ୍ବାଦୁ ଖାଦ୍ୟର ମଜା

ଭୁବନେଶ୍ୱର,୬।୨(ବ୍ୟୁରୋ):ଜମୁଛି ଜାତୀୟ ତୋଷାଳି ମେଳା। ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ କିଣାକିଣି ସହ ମେଳା ବୁଲା ଓ ଭଳିକି ଭଳି ସୁସ୍ବାଦୁ ଖାଦ୍ୟର ମଜା ନେବା ପାଇଁ ରାଜଧାନୀବାସୀ ଦୌଡ଼ି ଆସୁଛନ୍ତି ଜନତା ମଇଦାନକୁ। ସବୁଦିନ ଅପେକ୍ଷା ରବିବାରରେ ଭିଡ଼ ଅସମ୍ଭାଳ ଥିଲା। ପରିବାର, ସାଙ୍ଗସାଥୀ ସହ ମଜା ମସ୍ତି କରି ମେଳାକୁ ଉପଭୋଗ କରିବା ପାଇଁ ସତେଯେମିତି ସହରବାସୀ ଛୁଟିଦିନକୁ ଅପେକ୍ଷା କରିଥିଲେ। ମେଳାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳା ପରିବେଷଣକୁ ଆଉ ଟିକେ ଚିତ୍ତାକର୍ଷକ କରି ଦେଇଥିଲା।
ସାରେ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଯୋଗଦେଇଥିଲେ।
କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରାଙ୍କ ସଙ୍ଗୀତରେ ମେଳାର ସନ୍ଧ୍ୟା ରଙ୍ଗିନ ହୋଇଯାଇଥିଲା। ବଲିଉଡ୍‌ ସହ ଓଲିଉଡ୍‌ରୁ ବିଭିନ୍ନ ଗୀତ ଗାଇ ମେଳା ବୁଲିବାକୁ ଯାଇଥିବା ଲୋକଙ୍କୁ ବେଶ୍‌ ମନୋରଞ୍ଜନ କରିଥିଲେ। ତେବେ ବେଶି ଭିଡ ଫୁଡ୍‌ ଷ୍ଟଲରେ ଦେଖିବାକୁ ମିଳିଥିଲା। ମେଳାରେ ଖୋଲିଥିବା ୨୫ଟି ଷ୍ଟଲରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ପିଠା, ମିଠା, ପାରମ୍ପରିକ ତଥା ଅନ୍ତର୍ଦେଶୀୟ ଖାଦ୍ୟପେୟ ସହ ରସୁଣର ଖାଦ୍ୟ ବ୍ୟଞ୍ଜନ ରହିଥିବାବେଳେ ଗୁଜରାଟୀ, ରାଜସ୍ଥାନୀ, ଦିଲ୍ଲୀ, ପଞ୍ଜାବୀ ଓ ଅନ୍ୟ ରାଜ୍ୟର ଖାଦ୍ୟଦ୍ରବ୍ୟ ସହ ବାରିପଦା ମୁଢ଼ି-ମଟନ, ମାଟିହାଣ୍ଡି ବିରିୟାନି ଏବଂ ବାଉଁଶ ଚିକେନର ଖାଦ୍ୟ ପସରା ଲୋକଙ୍କୁ ନିଆରା ସୁଆଦ ଦେଇଥିଲା। ଲୋକେ ବିଭିନ୍ନ ପ୍ରକାର ପାରମ୍ପରିକ ଓ ସୁସ୍ବାଦୁ ଭୋଜନର ମଜା ଉଠାଉଥିବାବେଳେ ମିଲେଟ୍‌ ଷ୍ଟଲ୍‌ଟି ଅନ୍ୟତମ ଆକର୍ଷଣ ପାଲଟିଛି। ଛୋଟ ଛୋଟ ପିଲାଙ୍କ ପାଇଁ ଚିଲ୍‌ଡ୍ରେନସ୍‌ ପ୍ଲେ ଜୋନ୍‌ ରହିଥିବାବେଳେ ଏଠାରେ ଥିବା ବିଭିନ୍ନ ପ୍ରକାର ଦୋଳି ଓ ଖେଳର ବ୍ୟବସ୍ଥା କରାଯାଇଛି। ମେଳାକୁ ପିଲାଙ୍କୁ ଧରି ଆସିଥିବା ପରିବାର ଲୋକେ ମଧ୍ୟ ଏଠାରେ ଭିଡ଼ ଜମାଇଥିଲେ। ନିଜ ପିଲାଙ୍କୁ ଖେଳାଇ ଖୁସି କରିବା ସହ ନିଜେ ହେଉଥିବା ଦେଖିବାକୁ ମିଳିଥିଲା।