Categories: ଖେଳ

ଧୋନୀଙ୍କ ଶେଷ, ଇଂଲଣ୍ଡର ପ୍ରଥମ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡ ମାଟିରେ ଆୟୋଜିତ ହୋଇଥିଲା। ପଞ୍ଚମ ଥର ପାଇଁ ଇଂଲଣ୍ଡ କ୍ରିକେଟ ବିଶ୍ୱକପ ଆୟୋଜନର ସୌଭାଗ୍ୟ ହାସଲ କରିଥିଲା। ଭାରତୀୟ କ୍ରିକେଟ ଦଳର କରିତ୍‌କର୍ମା ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରର ଏହା ଅନ୍ତିମ ବିଶ୍ୱକପ ହୋଇଥିବା ବେଳେ ଇଂଲଣ୍ଡ ଦଳ ହାସଲ କରିଥିଲା ଏହାର ପ୍ରଥମ ବିଶ୍ୱକପ ଟାଇଟଲ। କ୍ରିକେଟର ଜନକ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଇଂଲଣ୍ଡ ପୂର୍ବରୁ ୩ ଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଥିବା ବେଳେ ପ୍ରଥମ ଥର ଟାଇଟଲ ଜିତିବାର ସୌଭାଗ୍ୟ ହାସଲ କରିଥିଲା। ତେବେ ବିଶ୍ୱକପର ଫାଇନାଲ ଅନେକ କାରଣରୁ ବେଶ୍‌ ବିବାଦୀୟ ରହିଥିଲା। ଫାଇନାଲ ମ୍ୟାଚର ସ୍କୋର ଟାଇ ରହିବା ପରେ ସୁପର ଓଭର ଖେଳା ଯାଇଥିଲା। ସୁପର ଓଭର ଟାଇ ରହିବା ପରେ ଅଧିକ ବାଉଣ୍ଡ୍ରି ମାରିଥିବା ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଅମ୍ପାୟର କୁମାର ଧର୍ମସେନାଙ୍କ ଏକ ନିଷ୍ପତ୍ତିକୁ ନେଇ ବିତର୍କ ଦେଖିବାକୁ ମିଳିଥାଏ।
ଇଂଲଣ୍ଡକୁ ବିଶ୍ୱକପ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପୂର୍ବ ଦୁଇ ସଂସ୍କରଣ ଅପେକ୍ଷା ୧୦ ଦଳ ଅଂଶଗ୍ରହଣ କରିଥିଲେ। ସମୁଦାୟ ୪୮ ମ୍ୟାଚ ଖେଳା ଯାଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯ଟି ଲେଖାଏ ମ୍ୟାଚ୍‌ ଖେଳିଥିବା ବେଳେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ୪ ଦଳ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଭାରତ ସର୍ବାଧିକ ୧୫ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲା। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲେ। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସମାନ ୧୧ ପଏଣ୍ଟ ଅର୍ଜନ କରିଥିଲେ। ମାତ୍ର ଉନ୍ନତ ରନରେଟ୍‌ ହାରରେ ପାକିସ୍ତାନକୁ ପଛରେ ପକାଇଥିଲା ନ୍ୟୁଜିଲାଣ୍ଡ।
ଇଂଲଣ୍ଡ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ୧୯୭୯,୧୯୮୭ ଓ ୧୯୯୨ ବିଶ୍ୱକପରେ ଦଳ ରନର ଅପ୍‌ ରହିଥିଲା। ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା। ଜବାବରେ ଇଂଲଣ୍ଡ ୫୦ ଓଭରରେ ୨୪୧ ରନରେ ଅଲଆଉଟ ହୋଇଥିଲା। ସୁପର ଓଭର ଖେଳା ଯାଇଥିବା ବେଳେ ଉଭୟ ଦଳ ସମାନ ୧୫ ରନ୍‌ ଲେଖାଏ ସ୍କୋର କରିଥିଲେ। ଅଧିକ ବାଉଣ୍ଡ୍ରି ସ୍କୋର କରିଥିବା ଇଂଲଣ୍ଡକୁ ଟାଇଟଲ ବିଜେତା ଘୋଷଣା କରାଯାଇଥିଲା। ଇଂଲଣ୍ଡ ଇନିଂସରେ ୨୬ ଓ ନ୍ୟୁଜିଲାଣ୍ଡ ଇନିଂସରେ ୧୭ ବାଉଣ୍ଡ୍ରି ସ୍କୋର ହୋଇଥିଲା। ରୋହିତ ଶର୍ମା ଏହି ସଂସ୍କରଣରେ ସର୍ବାଧିକ ୬୪୮ ରନ୍‌ ସ୍କୋର କରିଥିବା ବେଳେ ମିଚେଲ ଷ୍ଟାର୍କ ୨୭ ଉଇକେଟ ନେଇଥିଲେ।

Share