Categories: ଖେଳ

କ୍ଲିନ୍‌ ସୁଇପ୍‌ ପଥରେ ଇଂଲଣ୍ଡ

କରାଚୀ, ୨୦ା୧୨: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ ଜିତିବା ଦିଗରେ ଅଗ୍ରସର ହେଉଛି ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ। ଲେଗ୍‌ସ୍ପିନର ରେହାନ ଅହମ୍ମଦ ତାଙ୍କ ପଦାର୍ପଣ ମ୍ୟାଚରେ ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ୫ ଉଇକେଟ ସଫଳତା ହାସଲ କରି ବିଜୟପଥକୁ ସୁଗମ କରିଛନ୍ତି। ଇଂଲଣ୍ଡ ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନକୁ ପ୍ରଥମ ଟେଷ୍ଟ ଟୁର୍‌ରେ ଆସିଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟର ୩ୟ ଦିବସରେ ପାକିସ୍ତାନର ଦ୍ୱିତୀୟ ଇନିଂସ ୨୧୬ ରନ୍‌ରେ ସୀମିତ ହୋଇଯାଇଛି। ୧୮ବର୍ଷୀୟ ଅହମ୍ମଦ ୪୮ ରନ୍‌ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିବା ବେଳେ ଜ୍ୟାକ୍‌ ଲିଚ୍‌ (୩/୭୨)ତାଙ୍କର ସମସ୍ତ ୩ ଉଇକେଟ ୬ଟି ଡେଲିଭରିରେ ନେଇଥିଲେ। ଫଳରେ ଇଂଲଣ୍ଡ ପାଇଁ ୧୬୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଭ୍ରମଣକାରୀ ଦଳ ବ୍ୟାଟିଂ କରିବାକୁ ଯାଇ ସୋମବାର ଖେଳ ଶେଷସୁଦ୍ଧା ୨ ଉଇକେଟ ହରାଇ ୧୧୨ ରନ୍‌ କରିଛି। ଜ୍ୟାକ୍‌ କ୍ରଲି ୪୧ ରନ୍‌ କରିଥିବା ବେଳେ ବେନ୍‌ ଡକେଟ ୫୦ ରନ୍‌ କରି ଅପରାଜିତ ରହିଛନ୍ତି। କ୍ରଲି ଓ ଡକେଟ ପାର୍ଟନରଶିପ୍‌ରେ ୬୯ ବଲ୍‌ରୁ ୮୭ ରନ୍‌ କରିଥିଲେ। ରହସ୍ୟମୟ ପାକିସ୍ତାନୀ ବୋଲର ଅବ୍ରାର ଅହମ୍ମଦ ଇଂଲଣ୍ଡର ପତନ ଘଟିଥିବା ଦୁଇଟିଯାକ ଉଇକେଟ ହାସଲ କରିଛନ୍ତି। ୪ ଦିନ ମଧ୍ୟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ପାଇଁ ଇଂଲଣ୍ଡ ଆହୁରି ୫୫ ରନ୍‌ ଆବଶ୍ୟକ କରୁଛି। ଗତ ସପ୍ତାହରେ ମୁଲ୍‌ତାନଠାରେ ଦଳ ୨୬ ରନ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୩୦୪
ଇଂଲଣ୍ଡ ପ୍ରଥମ ଇନିଂସ: ୩୫୪
ପାକିସ୍ତାନ ଦ୍ୱିତୀୟ ଇନିଂସ: ୨୧୬ (ବାବର ଆଜାମ-୫୪, ସାଉଦ୍‌ ଶକିଲ-୫୩, ଅବ୍‌ଦୁଲ୍ଲା ସଫିକ୍‌-୨୬; ରେହାନ ଅହମ୍ମଦ-୫/୪୮, ଜ୍ୟାକ୍‌ ଲିଚ୍‌-୩/୭୨)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୧୨/୨ (ବେନ୍‌ ଡକେଟ-୫୦*, ଜ୍ୟାକ୍‌ କ୍ରଲି-୪୧, ଅବ୍ରାର ଅହମ୍ମଦ-୨/୪୩)।

Share