Categories: ଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୧୧।୧୨: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ନିଜ ଦଳ ଘୋଷଣା କରିଛି। ଜାନୁୟାରୀ ୨୫ରୁ ଇଂଲଣ୍ଡ ଏହି ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି। ଷ୍ଟାର ଅଲରାଉଣ୍ଡର ସାମ କୁରାନ ଏବଂ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ। ତେବେ ଦଳରେ ତିନୋଟି ନୂଆ ଚେହେରାକୁ ସାମିଲ କରାଯାଇଛି।

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳରେ ତିନିଟି ନୂଆ ଚେହେରା ସାମିଲ କରିଛି। ଏଥିରେ ଶୋଏବ ବଶିର, ଟମ ହାର୍ଟଲି ଏବଂ ଗସ ଆଟକିନ୍ସନ ଅଛନ୍ତି। ଓଲି ପୋପ ଏହି ଦଳର ଉପ-ଅଧିନାୟକ ଅଟନ୍ତି। ଟମ ହାର୍ଟଲି, ଜ୍ୟାକ ଲିଚ ଏବଂ ରେହାନ ଅହମ୍ମଦଙ୍କ ରୂପରେ ଇଂଲଣ୍ଡ ସେମାନଙ୍କ ଦଳରେ ତିନି ଜଣ ସ୍ପିନରଙ୍କୁ ଅନ୍ତର୍ଭୁକ୍ତ କରିଛି।

ସୂଚନାଯୋଗ୍ୟ, ଜାନୁୟାରୀରେ ବେନ ଷ୍ଟୋକ୍ସଙ୍କ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରିବ। ଏହି ସିରିଜ୍‌ର ପ୍ରଥମ ଟେଷ୍ଟ ୨୫ ଜାନୁୟାରୀରୁ ହାଇଦ୍ରାବାଦରେ ଖେଳାଯିବ। ଏହା ପରେ ଫେବୃୟାରୀ ୨ରୁ ଭାଇଜାଗରେ ଦ୍ୱିତୀୟ ଟେଷ୍ଟ, ଫେବୃୟାରୀ ୧୫ରୁ ରାଜକୋଟରେ ତୃତୀୟ ଟେଷ୍ଟ, ଫେବୃୟାରୀ ୨୩ରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୨ରୁ ଧର୍ମଶାଳାରେ ଶେଷ ଟେଷ୍ଟ ଖେଳାଯିବ।

ଇଂଲଣ୍ଡ ଦଳ: ବେନ ଷ୍ଟୋକ୍ସ (ଅଧିନାୟକ), ରେହାନ ଅହମ୍ମଦ, ଜେମ୍ସ ଆଣ୍ଡରସନ, ଗୁସ ଆଟକିନ୍ସନ, ଜନି ବେୟାରଷ୍ଟୋ (ଉଇକେଟ୍‌ କିପର), ଶୋଏବ ବଶିର, ହ୍ୟାରି ବ୍ରୁକ, ଜ୍ୟାକ କ୍ରାଉଲି, ବେନ ଡକେଟ, ବେନ ଫକ୍ସ (ଉଇକେଟ୍‌ କିପର), ଟମ ହାର୍ଟଲି, ଜ୍ୟାକ ଲିଚ, ଓଲି ପୋପ, ଓଲି ରବିନ୍ସନ , ଜୋ ରୁଟ ଏବଂ ମାର୍କ ଉଡ୍‌।

Share