Categories: ଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ, ୨୦।୮: ଇଂଲଣ୍ଡ-ପାକିସ୍ତାନ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ସ୍ଥାନୀୟ ରୋଜବାଓଲ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ତେଣୁ ଘରୋଇ ଦଳ ସିରିଜ ବିଜୟ ଲକ୍ଷ୍ୟରେ ଥିବାବେଳେ ପାକିସ୍ତାନ ପାଇଁ ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଦ୍ୱିତୀୟ ଟେଷ୍ଟ ପରି ତୃତୀୟ ଟେଷ୍ଟରେ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ତେବେ ପ୍ରଥମ ଦୁଇଦିନ ବର୍ଷା ହେବା ସମ୍ଭାବନା କମ୍‌। ଦୁଇ ଦଳର ଅଧିନାୟକ ଓ କୋଚ୍‌ଙ୍କ ସମ୍ମତି କ୍ରମେ ବର୍ଷାକୁ ଦୃଷ୍ଟିରେ ରଖି ଖେଳକୁ ଅଧଘଣ୍ଟା ପୂର୍ବରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପ୍ରତିଦିନର ଖେଳ ଆରମ୍ଭ ସମ୍ପର୍କରେ ମ୍ୟାଚ ରେଫରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଏହି ମ୍ୟାଚକୁ ଛାଡ଼ିଦେଲେ ଇଂଲଣ୍ଡ ଚଳିତ ବର୍ଷ ଆଉ ଟେଷ୍ଟ ଖେଳିବା କାର୍ଯ୍ୟସୂଚୀ ନାହିଁ। ଆନୁଷ୍ଠାନିକଭାବେ କିଛି ସ୍ପଷ୍ଟ କରାଯାଇ ନ ଥିଲେ ହେଁ ଆସନ୍ତାବର୍ଷ ପ୍ରାରମ୍ଭରେ ଶ୍ରୀଲଙ୍କା ଓ ଭାରତ ବିପକ୍ଷରେ ଏହି ଦଳ ଟେଷ୍ଟ ଖେଳିବା କାର୍ଯ୍ୟକ୍ରମ ରହିଛି। କୋଭିଡ-୧୯ ସଂକ୍ରମଣ ଜନିତ ସ୍ଥିତି ସବୁକିଛି ଯୋଜନାକୁ ଏପଟ ସେପଟ କରି ଦେଉଛି। ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସୀମିତ ଓଭର କ୍ରିକେଟ ଖେଳିବାପରେ ଇଂଲଣ୍ଡ ଖେଳାଳିମାନେ ଆଇପିଏଲରେ ଅଂଶଗ୍ରହଣ କରିବେ। ଏହାପରେ ଦଳ ଦକ୍ଷିଣ ଆଫ୍ରିକା ଯାଇ ସୀମିତ ଓଭର କ୍ରିକେଟ ଖେଳିବା କାର୍ଯ୍ୟକ୍ରମ ରହିଛି।


ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ଅପ୍‌ରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ତେବେ ବୋଲିଂ ଲାଇନ୍‌ଅପ୍‌ରେ ରୋଟେଶନ ହେବା ଏକପ୍ରକାର ନିଶ୍ଚିତ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପରେ ମାର୍କ ଉଡ୍‌ ଆଉ ସୁଯୋଗ ପାଇ ନାହାନ୍ତି। ତେଣୁ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ସେହିପରି ଦ୍ୱିତୀୟ ଟେଷ୍ଟରେ ଖେଳିପାରି ନ ଥିବା ଜୋଫ୍ରା ଆର୍ଚର ପୁଣି ଦଳକୁ ଫେରିପାରନ୍ତି। ଫର୍ମରେ ଥିବାରୁ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସଙ୍କୁ ସହଜରେ ଦଳରୁ ବାହାର କରି ହେବନାହିଁ। ସ୍ପିନର ଡମ୍‌ ବେସ୍‌ ଗତ ମ୍ୟାଚ ଗୁଡ଼ିକରେ ବିଶେଷ ସଫଳତା ପାଇ ନାହାନ୍ତି। ତେଣୁ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିପାରେ।
ଦ୍ୱିତୀୟ ଟେଷ୍ଟରେ ବୋଲିଂ ପାଇଁ ବିଶେଷ ସୁଯୋଗ ପାଇ ନ ଥିବାରୁ ପାକିସ୍ତାନର ୩ ପେସର ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ ଓ ନଇମ ଶାହ ଅପରିବର୍ତ୍ତିତ ରହିବା ସମ୍ଭାବନା। ପାଣିପାଗର ପୂର୍ବାନୁମାନ ଦୃଷ୍ଟିରୁ ଦଳ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା କମ୍‌। ତେଣୁ ୧୧ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ଫଓ୍ବଦ ଆଲମ ପୂର୍ବ ମ୍ୟାଚରେ ଡକ୍‌(୦)ରେ ଆଉଟ ହୋଇଥିଲେ ହେଁ ଚୂଡ଼ାନ୍ତ ଏକାଦଶରେ ଅପରିବର୍ତ୍ତିତ ରହିବା ଆଶା କରାଯାଉଛି।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡୋମିନିକ୍‌ ସିବ୍‌ଲେ, ଜ୍ୟାକ କ୍ରଲି, ଓଲି ପୋପ୍‌, ଜୋସ୍‌ ବଟଲର, କ୍ରିସ୍‌ ଓ୍ବକ୍ସ, ମାର୍କ ଉଡ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଆଝାର ଅଲୀ(ଅଧିନାୟକ), ଶାନ ମାସୁଦ, ଆବିଦ ଅଲୀ, ବାବର ଆଜମ, ଅସଦ ସାଫିକ୍‌, ଫଓ୍ବଦ ଆଲମ, ମହମ୍ମଦ ରିଜଓ୍ବାନ, ୟାସିର ଶାହ, ମମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ, ନଇମ ଶାହ।

Share