ନୂଆଦିଲ୍ଲୀ,୯।୯: ନେପାଳରେ ଜେନ୍ ଜିଡ୍ ନେତୃତ୍ୱାଧୀନ ବିକ୍ଷୋଭ ଆଗରେ ମୁଣ୍ଡ ନୁଆଇଁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ଏବେ ସମସ୍ତଙ୍କ ନଜର କାଠମାଣ୍ଡୁର ମେୟର ବାଲେନ୍ଦ୍ର ଶାହଙ୍କ ଉପରେ ରହିଛି, ଯିଏ ବାଲେନ ନାମରେ ଜଣାଶୁଣା। ଅନଲାଇନ ଅଭିଯାନରେ ତାଙ୍କୁ ପରବର୍ତୀ ପ୍ରଧାନମନ୍ତ୍ରୀ କରିବାକୁ ଦାବି ଉଠିଛି।
ସପ୍ତାହବ୍ୟାପୀ ବିକ୍ଷୋଭ, ଯେଉଁଥିରେ ଜେନ୍ ଜିଡ ଆଗରେ ରହିଥିଲେ, ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଏକ୍ସ ଉପରେ ପ୍ରତିବନ୍ଧକ ଲଗାଇବା ପରେ ତୀବ୍ର ହୋଇଥିଲା। ସୋମବାର ପୋଲିସ ଦମନରେ ଦେଶବ୍ୟାପୀ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ କାଠମାଣ୍ଡୁରେ ୧୮ ଜଣ ବିକ୍ଷୋଭକାରୀ, ଅଧିକାଂଶ ସ୍କୁଲ ଓ କଲେଜରେ ଥିବା ଛାତ୍ର, ପ୍ରାଣ ହରାଇଥିଲେ।
ଏହି ଅଶାନ୍ତି ମଧ୍ୟରେ ରାପର’ରୁ ରାଜନେତା ହୋଇଥିବା ବାଲେନ୍ଦ୍ର ଶାହ ବିକ୍ଷୋଭକାରୀଙ୍କ ସହ ସମର୍ଥନ ଜଣାଇଛନ୍ତି। ଫେସବୁକ ପୋଷ୍ଟରେ ସେ କହିଛନ୍ତି, ଆୟୋଜକମାନେ ଜେନ୍ ଜିଡକୁ ୨୮ ବର୍ଷରୁ କମ ବୟସ ଭାବେ ସୀମିତ କରିଥିବାରୁ ସେ ଉପସ୍ଥିତ ହୋଇପାରି ନାହାଁନ୍ତି, କିନ୍ତୁ ବିକ୍ଷୋଭକାରୀଙ୍କ ପ୍ରତିବାଦସ୍ୱର ଶୁଣାଯିବା ଜରୁରୀ ବୋଲି ସେ ମନେ କରନ୍ତି।


