ଶିଶୁ ସୁରକ୍ଷାରେ ଅନ୍ତରାୟ ବାଲ୍ୟ ବିବାହ

ରାଜୀବ କୁମାର ନାୟକ

 

ୟୁନିସେଫ୍‌ ଦ୍ୱାରା ପ୍ରକାଶିତ ୨୦୧୯ ମସିହାର ଏକ ରିପୋର୍ଟ କହେ ଯେ ଭାରତ ହେଉଛି
୨୨୩ ମିଲିୟନ ବାଲ୍ୟବଧୂଙ୍କର ଘର। ଏହି କ୍ରମରେ ଓଡ଼ିଶାରେ ହେଉଥିବା ବାଲ୍ୟ ବିବାହର ମାତ୍ର ୨୧ରୁ ୩୦ ଶତକଡା। ଭାରତବର୍ଷର ଏହି ବାଲ୍ୟବଧୂ ବିଶେଷ ଭାବରେ ଗରିବ ପରିବାରର, ଅଳ୍ପ ଶିକ୍ଷିତ ଏବଂ ଗ୍ରାମାଞ୍ଚଳର ଅଧିବାସୀ।
ବାଲ୍ୟ ବିବାହ କରୁଥିବା ଏହି ଅଳ୍ପ ବୟସର ଝିଅମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କର କୈଶୋର ସରିବା ପୂର୍ବରୁ (ଅର୍ଥାତ ୧୯ ବର୍ଷ ପୂର୍ବରୁ) ମାଆ ହୋଇ ସାରିଥାନ୍ତି। ୧୫ ବର୍ଷ ପୂରିବା ପୂର୍ବରୁ ବାହା ହେଉଥିବା ପାଖାପାଖି ୬୦ ଶତକଡା ଝିଅ ୧୮ ବର୍ଷ ଆଗରୁ ମାଆ ହୋଇସାରିଥାଆନ୍ତି। କମ୍‌ ବୟସରେ ବାହା ହେଉଥିବା କାରଣରୁ ତାଙ୍କ ପରିବାରର ଆକାର ତୁଳନାତ୍ମକ ଭାବରେ ଡେରିରେ ବାହା ହେଉଥିବା ଝିଅଙ୍କ ପରିବାରଠାରୁ ବଡ ହୋଇଥାଏ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୩ (୨୦୦୫-୦୬) ଏବଂ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ (୨୦୧୫-୧୬)ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଦଶ ବର୍ଷ ମଧ୍ୟରେ ବାଲ୍ୟ ବିବାହର ମାତ୍ରା ୨୦ ଶତକଡାରୁ ହ୍ରାସ ପାଇ ୧୦ ଶତକଡାରେ ପହଞ୍ଚିଛି। ଠିକ୍‌ ସେହିପରି ୧୫ରୁ ୧୯ ବର୍ଷ ମଧ୍ୟରେ ବାଲ୍ୟ ବିବାହର ଶିକାର ହେଉଥିବା ଝିଅଙ୍କ ମାତ୍ରା ଗ୍ରାମାଞ୍ଚଳରେ ୮୬ ଶତକଡା ଥିବାବେଳେ ସହରାଞ୍ଚଳରେ ଏହା ୧୩ ଶତକଡା। ତା’ ଛଡା ଗରିବ ପରିବାରର ୬୧ ଶତକଡା ଝିଅ ବାଲ୍ୟବିବାହର ଶିକାର ହେଉଥିବା ଦୃଷ୍ଟି ଗୋଚର ହୁଏ। ଅର୍ଥନୀତି ଦୃଷ୍ଟିରୁ ସମାଜର ତଳ ସ୍ତରରେ ଥିବା ଗରିବ ପରିବାରର ୧୫ରୁ ୧୯ ବର୍ଷ ଏବଂ ୨୦ରୁ ୨୪ ବର୍ଷ ମଧ୍ୟରେ ବାଲ୍ୟ ବିବାହ କରିଥିବା ମହିଳାଙ୍କ ମାତ୍ରା ଯଥାକ୍ରମେ ୧୬.୬ ଶତକଡା ଏବଂ ୪୧.୫ ଶତକଡା। ଏହି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ -୪(୨୦୧୫-୧୬)କୁ ଆଧାର କରି ଜାତୀୟ ଶିଶୁ ସୁରକ୍ଷା ଆୟୋଗର ଏକ ତଥ୍ୟ କହେ ଯେ ଆଦୌ ପାଠ ପଢି ନ ଥିବା ୧୫ରୁ ୧୯ ବର୍ଷ ଏବଂ ୨୦ ରୁ ୨୪ ବର୍ଷ ମଧ୍ୟରେ ବାଲ୍ୟ ବିବାହ କରିଥିବା ମହିଳାଙ୍କ ମାତ୍ରା ଯଥାକ୍ରମେ ୩୦.୮ ଶତକଡା ଏବଂ ୪୯.୩ ଶତକଡା ଯାହାକି ସେହି ବର୍ଗର ଉଚ୍ଚ ଶିକ୍ଷିତ ଝିଅଙ୍କ ମଧ୍ୟରେ ଯଥାକ୍ରମେ ୨.୪ ଶତକଡା ଏବଂ ୩.୯ ଶତକଡା।
ବାଲ୍ୟ ବିବାହର ପ୍ରତିରୋଧ ନିମନ୍ତେ ଓଡ଼ିଶା ସରକାର ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬କୁ କାର୍ଯ୍ୟକାରୀ କରିବା ସମେତ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ମନୋନୟନ ଏବଂ ବିଦ୍ୟାଳୟ ପରିଚାଳନା କମିଟି, ସ୍ବୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିବା ଜଣାଯାଏ।
୨୦୨୦ ମସିହାରେ ସମ୍ବଲପୁର ଜିଲା ଜୁଜୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନ କହେ ଯେ ୩୧.୬୫ ଶତକଡା ଶିଶୁ ତାଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ସ୍ବୀକାର କରନ୍ତି। ବର୍ତ୍ତମାନ ସମୟରେ ଟେଲିଭିଜନ ତଥା ଇଣ୍ଟରନେଟ ପ୍ରଭାବରେ କମ୍‌ ବୟସରୁ ଭଲ ପାଇବା, ଯୌନ ସମ୍ପର୍କ ସ୍ଥାପନ ଭଳି ଅନେକ ଘଟଣା ବୃଦ୍ଧିପାଉଛି ।ଫଳତଃ କମ୍‌ ବୟସରେ ଗର୍ଭଧାରଣ, ଗର୍ଭପାତ, କୁମାରୀ ମାତୃତ୍ୱ, ପୁଅଝିଅଙ୍କ ପଳାୟନ, ପରିତ୍ୟକ୍ତ ଶିଶୁର ମାତ୍ରା ଇତ୍ୟାଦିର ଆଶଙ୍କାକୁ ଏଡାଇବା ତଥା ସାମାଜିକ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ନିମିତ୍ତ ଅନେକ ପରିବାର ଝିଅକୁ କମ୍‌ ବୟସରୁ ବାହା ଦେବାକୁ ଉଚିତ ମଣନ୍ତି। ଅଧିକାଂଶ ମାତାପିତା ଝିଅମାନଙ୍କ ଶିକ୍ଷାରେ ହେଉଥିବା ଖର୍ଚ୍ଚରୁ ବହୁତ କମ୍‌ ବା ଆଦୌ କିଛି ଫେରସ୍ତ ମିଳିବ ନାହିଁ ବୋଲି ଭାବୁଥିବା ବେଳେ ଶୀଘ୍ର ବିବାହ କରାଇଦେଲେ ପରିବାରର ଖର୍ଚ୍ଚ କମିଯିବ ଭାବିଥାନ୍ତି। ଅଙ୍କିତା(ଛଦ୍ମନାମ) ନାମ୍ନୀ ଜଣେ ଝିଅ ଅନୁଧ୍ୟାନ ସମୟରେ ପ୍ରକାଶ କରେ ଯେ ତା’ର ବଡ ଭଉଣୀକୁ ମାଆ ବାପା ୧୭ବର୍ଷ ବୟସରୁ ବାହା କରିଦେଲେ, ଯାହାଫଳରେ ସେ ଦୁର୍ବଳ ଥିବାରୁ ତା’ର ତିନିଥର ଗର୍ଭପାତ ହେବା ସହିତ ଶେଷ ସନ୍ତାନଟା ସମୟ ପୂର୍ବରୁ (ଅର୍ଥାତ୍‌ ମାତ୍ର ଛଅ ମାସରେ) ଜନ୍ମ ହେଲା।
ବାଲ୍ୟ ବିବାହ ଝିଅ ପିଲାଙ୍କୁ କୁପୋଷଣ ଚକ୍ର ମଧ୍ୟକୁ ଠେଲି ଦେଉଥିବାବେଳେ ପୁଅ ପିଲାଙ୍କୁ ଦାରିଦ୍ର୍ୟ ଚକ୍ର ମଧ୍ୟକୁ ଠେଲି ଦେଇଥାଏ। ବାଲ୍ୟ ବିବାହ ଫଳରେ କମ୍‌ ବୟସରେ ବିଧବା ହେବା, ଦ୍ୱିତୀୟ ବିବାହ ସକାଶେ ସମାଜରେ ଥିବା କଟକଣାର ଶିକାର ହେବା ଇତ୍ୟାଦି ସମସ୍ୟା ମଧ୍ୟ ଦେଖାଯିବା ସ୍ବାଭାବିକ। ସନ୍ତାନସନ୍ତତି ଥିଲେ ପୁନର୍ବାର ବିବାହ ଆହୁରି ଏକ ଜଟିଳ ପ୍ରସଙ୍ଗ। ବାଲ୍ୟ ବିବାହ ଫଳରେ ପାଠପଢାରେ ଡୋରି ପଡିଥାଏ। ଫଳରେ ଝିଅଟିର ସ୍ବପ୍ନ ସବୁ ଚୂରମାର ହୋଇଯିବା ସହ ଆତ୍ମନିର୍ଭରଶୀଳ ହେବାର ସମ୍ଭାବନା ମଧ୍ୟ କମିଯାଉଛି। ଆହୁରି ମଧ୍ୟ କମ୍‌ ବୟସରେ ବାହା ହେଉଥିବା ଝିଅ ଶାରୀରିକ ତଥା ମାନସିକ ସ୍ତରରେ ଘରର ଯାବତୀୟ ଜଞ୍ଜାଳ ବୁଝିବା ସକାଶେ ପ୍ରସ୍ତୁତ ହୋଇ ନ ଥାଏ। କମ୍‌ ବୟସରେ ବିବାହ ଫଳରେ ଶୀଘ୍ର ମାଆ ହେବା, କମ ଓଜନର ଶିଶୁ ଜନ୍ମ ଦେବା, ସମୟ ପୂର୍ବରୁ ଶିଶୁ ଜନ୍ମ, ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ ଭଳି ଅନେକ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ।
ତେବେ ବାଲ୍ୟବିବାହ ଭଳି ଏକ ସ୍ପର୍ଶକାତର ବିଷୟକୁ ରୋକିବାକୁ ହେଲେ ଜନସାଧାରଣଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ସଚେତନତା ଲୋଡା। ରାଜସ୍ଥାନରେ ବାଲ୍ୟ ବିବାହକୁ ନେଇ ସଚେତନତା ସକାଶେ ଅଣ୍ଟାଭିଡିଥିବା ଭଉଁରୀ ଦେବୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା କଥା। ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ଗଠିତ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପୂର୍ଣ୍ଣ ସହଯୋଗ ବାଲ୍ୟ ବିବାହକୁ ରୋକିବାରେ ଅନେକ ମାତ୍ରାରେ ସାହାଯ୍ୟ କରିପାରିବ। ତା’ ସାଙ୍ଗକୁ ଜିଲାରେ କାର୍ଯ୍ୟରତ ବାଲ୍ୟବିବାହ ନିରୋଧ ଅଧିକାରିଣୀ,ଚାଇଲଡ୍‌ ଲାଇନ, ଶିଶୁ ସୁରକ୍ଷା ୟୁନିଟ,ଶିଶୁ ମଙ୍ଗଳ ସମିତି, ଥାନାରେ କାର୍ଯ୍ୟରତ ମହିଳା ଓ ଶିଶୁ ଡେସ୍କ,ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି,ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି,ସ୍ବେଚ୍ଛାସେବୀ ଅନୁଷ୍ଠାନ ଇତ୍ୟାଦି ମଧ୍ୟରେ ସମନ୍ବୟ ତଥା ଆନ୍ତରିକତା ଯଥେଷ୍ଟ ପ୍ରୟୋଜନ। ଆମେ ସବୁବେଳେ କହିଥାଉ କି ପ୍ରତିକାରଠାରୁ ପ୍ରତିରୋଧ ଭଲ। ତେଣୁ ସେହି ନ୍ୟାୟରେ ବାଲ୍ୟ ବିବାହ ହେବା ପୂର୍ବରୁ ତାକୁ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସ୍ବରୂପ ପରାମର୍ଶ ତଥା ଆଇନ ଅନୁଯାୟୀ ହସ୍ତକ୍ଷେପ କରାଯିବା ଉଚିତ । ଅନ୍ୟଥା ବାଲ୍ୟ ବିବାହ ହୋଇଗଲା ପରେ ଝିଅପୁଅଙ୍କୁ ପରାମର୍ଶ ସେବା ମାଧ୍ୟମରେ ବୟସ ହେବା ପର୍ଯ୍ୟନ୍ତ ଅଲଗା ଅଲଗା ରଖାଯିବା କି ଆଇନ ଅନୁଯାୟୀ କୋର୍ଟ କଚେରି ହେଲେ ଦଣ୍ଡ ମିଳିଯାଇପାରେ, କିନ୍ତୁ ସମସ୍ୟାର ଉଚିତ ସମାଧାନ ହୋଇ ନ ପାରେ। ଠିକ୍‌ ସେହିପରି ଝିଅପୁଅଙ୍କୁ ଅଲଗା ରଖାଗଲେ ଆତ୍ମହତ୍ୟା ଭଳି ଭୟାବହତାର ଆଶଙ୍କାକୁ ଏଡାଯାଇ ନ ପାରେ।
ମୋ:୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri