କଟକ,୧୫ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏପରିକି କର୍ମଚାରୀମାନେ ଡ୍ୟୁଟି ସମୟରେ କାର୍ଯ୍ୟାଳୟ ମୁଖ୍ୟ ଫାଟକର ପ୍ରବେଶ ପଥ ନିକଟରେ ରୁଣ୍ଡହୋଇ ମୋବାଇଲରେ ଲୁଡ଼ୁ ଖେଳୁଥିବା ନଜରକୁ ଆସିଛି। କାର୍ଯ୍ୟାଳୟକୁ ଆସିଥିବା କେତେଜଣ ଲୋକ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଥିବାବେଳେ ଏହା ଉପରେ ଜିଲାର ଲୋକ ନିର୍ଭର କରି ରହିଥାନ୍ତି। ହେଲେ କର୍ମଚାରୀମାନେ ଡ୍ୟୁଟି ସମୟରେ କାମ ନ କରି ଲୁଡ଼ୁ ଖେଳିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟାଳୟର ମୁଖ୍ୟ ଭାବେ ଜିଲା ଚିକିତ୍ସାଧିକାରୀ ରହିଛନ୍ତି।
ଏଠାରେ କୋଣଅନୁକୋଣରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଏହାକୁ ତଦାରଖ ଖୋଦ୍ ଜିଲା ଚିକିତ୍ସାଧିକାରୀ କରିଥାନ୍ତି। କିନ୍ତୁ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ଏଭଳି ଅବହେଳା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଗୀତା ରଥଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।