ଡାକ୍ତରଖାନା ଉଭାନ, କର୍ମଚାରୀ ନେଉଛନ୍ତି ଦରମା

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଚିକିତ୍ସା କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସହ ରୋଗରୁ ମୁକ୍ତି ପାଇବେ। ହେଲେ କେନ୍ଦ୍ରାପଡ଼ା ଜିଲା ସହର ମଧ୍ୟସ୍ଥଳ ଫକୀରାବାଦ୍‌ରେ ଥିବା ଡାକ୍ତରଖାନା ୨୦ ବର୍ଷ ହେଲା ଉଭାନ ହୋଇଯାଇଛି। କିନ୍ତୁ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ମାସକୁ ମାସ ଦରମା ନେଉଛନ୍ତି। ଫଳରେ ସରକାରଙ୍କ ରାଜସ୍ବ ହାନି ହେଉଥିବା ବେଳେ ଲୋକେ ଚିକିତ୍ସା ସେବା ପାଉନାହାନ୍ତି। ରୋଗୀ ଖୋଜିଲେ ମଧ୍ୟ ଡାକ୍ତରଖାନାର ପତ୍ତା ମିଳୁନାହିଁ। ଡାକ୍ତରଖାନା ଥିବା ସ୍ଥାନରେ ଏବେ ଦୋକାନ ବଜାର ଗଢ଼ିଉଠିଛି। ଯଦି ସହରାଞ୍ଚଳରେ ଏଭଳି ଘଟିପାରୁଛି, ତେବେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା କିପରି ଚାଲିଥିବ ତାହା ଏଥିରୁ ଅନୁମେୟ।
ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ, ୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଫକୀରାବାଦ୍‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପାରମ୍ପରିକ ପାର୍ସି-ଆରବିକ୍‌ ୟୁନାନୀ ଚିକିତ୍ସା ପାଇଁ ଏକ ଡାକ୍ତରଖାନା ଖୋଲାଯାଇଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ଏହି ଚିକିତ୍ସାଳୟରେ ଚିକିତ୍ସିତ ହେବା ସହ ଆବଶ୍ୟକ ପଡ଼ିଲେ ଏଠାରେ ରହୁଥିଲେ। ପ୍ରାୟ ୮ ବର୍ଷ ଏହି ଡାକ୍ତରଖାନା ଚାଲିଥିଲା। ତେବେ ୟେଲୋପାଥି ଔଷଧର ବହୁଳ ବ୍ୟବହାର ପାଇଁ ୟୁନାନୀ ଚିକିତ୍ସା କେନ୍ଦ୍ର ପ୍ରାୟ ଅଚଳ ହୋଇପଡିଥିଲା। କିଛିଦିନ ପରେ ଡାକ୍ତରଖାନାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ତେବେ ଏହି ଚିକିତ୍ସା କେନ୍ଦ୍ରର ଜଣେ ଡାକ୍ତର ଓ ଜଣେ ସ୍ବାସ୍ଥ୍ୟକର୍ମୀ ପ୍ରତି ମାସ ଦରମା ନେଉଥିବା ଆଲୋଚନା ହେଉଛି। ବିଜୁବାବୁଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୟୁନାନୀ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ ସରକାର ଭଦ୍ରକ ଜିଲାରେ ଏହି ଚିକିତ୍ସାଳୟକୁ ବିକଶିତ କରିଛନ୍ତି। ତେବେ ବିଜୁବାବୁଙ୍କ କର୍ମସ୍ଥଳୀରୁ ଚିକିତ୍ସା କେନ୍ଦ୍ର ଉଭାନ ହେବାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ୟୁନାନୀ ଚିକିତ୍ସା ଆୟୁଷ ବିଭାଗ ଅଧୀନରେ ଅଛି। ଏହି ଚିକିତ୍ସା କେନ୍ଦ୍ର ଆମ ଅଧୀନରେ ନାହିଁ। ଡାକ୍ତରଖାନା ଉଭାନର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।