କର୍ମଚାରୀଙ୍କ ଅବହେଳା ଅପରାଧ ବଢ଼ାଏ

ସହଦେବ ସାହୁ

ଏବେ ଏବେ କାହିଁକି ଏତେଗୁଡ଼ାଏ ଭେଜାଲ ଓ ଅପମିଶ୍ରଣ ମାମଲା ଧରା ପଡୁଛି, ଆଗରୁ କାହିଁକି ଏଗୁଡ଼ିକ ଧରା ହେଉ ନ ଥିଲା ପ୍ରଶ୍ନ କଲାବେଳେ ଆମେ କେବଳ ବର୍ତ୍ତମାନର କମିଶନରେଟ୍‌ ପୋଲିସକୁ ଧନ୍ୟବାଦ ଦେଉନାହୁଁ, ଆମେ ବି ଜଣାଉଛୁ ଯେ, ଉଚ୍ଚ ଅଧିକାରୀମାନେ ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ସମ୍ପାଦନ କଲେ ଅଧସ୍ତନ କର୍ମଚାରୀମାନେ ସମପରିମାଣରେ ତପତ୍ର ହେବେ ଏବଂ ସମାଜ ସୁସ୍ଥ ରହିପାରିବ। ଖୁବ୍‌ ଲାଭ କରିବା ଉଦ୍ଦେଶ୍ୟରେ ମିଛ ବର୍ଣ୍ଣନା କରି ବା ଶସ୍ତା ଦରର ପ୍ରଲୋଭନ ଦେଖାଇ ଭେଜାଲ ଖାଦ୍ୟପେୟ ସାମଗ୍ରୀ ତଥା ଔଷଧ ବିକ୍ରି କରିବା ଦ୍ୱାରା ଦୋକାନୀ ଖାଉଟିକୁ ମରଣମୁହଁକୁ ଠେଲିଦେଇଥାଏ, ପ୍ରକାରାନ୍ତରେ ଖାଉଟିର ଶରୀରକୁ ଆକ୍ରମଣ କରିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଆକ୍ଟ ୨୦୦୬ ଅନୁସାରେ ନିୟନ୍ତ୍ରିତ ଓ ଅପମିଶ୍ରଣ କରିବା ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ (ଭାରତୀୟ ପିଙ୍ଗଳ ସଂହିତା) ୧୮୬୦ର ସେକ୍ସନ ୨୭୨ ଓ ୨୭୩ ଦ୍ୱାରା ଦଣ୍ଡନୀୟ। ୨୦୧୭ରେ ପିଙ୍ଗଳ ସଂହିତାର ଏକ ସଂଶୋଧନ ଫଳରେ ଆଜୀବନ କାରାଦଣ୍ଡ ବା ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଅଥବା ଉଭୟ ହୋଇଛି, ଆଗରୁ ଜେଲଦଣ୍ଡ ୬ ମାସ ଯାଏ ବା ଜରିମାନା ଅଥବା ଏକାସାଙ୍ଗରେ ଉଭୟ ଜେଲ ଓ ଜରିମାନା ଥିଲା। ୫ ବର୍ଷ ବିତିଗଲାଣି, କାହିଁ କଡ଼ା ଦଣ୍ଡ ବ୍ୟବସ୍ଥା ତ ଭେଜାଲ କାରବାରକୁ କମାଇନାହିଁ? ବରଂ ବଢ଼ିଚାଲିଛି!
ଏହାର ପ୍ରକୃତ କାରଣ ଲାଇସେନ୍ସ ବା ପର୍‌ମିଟ୍‌ ଦେଇଥିବା ଅଧିକାରୀ ଓ ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ସେମାନଙ୍କର ତନଖି (ଇନ୍‌ସ୍ପେକ୍ସନ୍‌) କାର୍ଯ୍ୟ କରୁନାହାନ୍ତିି, ମାସିକିଆ ପାଇଲେ ଆଖିବୁଜି ଦିଅନ୍ତି। ବଡ଼ କଥା ଯେ ଆମ ଗଣତନ୍ତ୍ରରେ ନେତାମାନେ ନିର୍ବାଚନୀ ଚାନ୍ଦା ପାଉଥିବା ଯାଏ ଅପମିଶ୍ରଣକାରୀଙ୍କୁ ଛତ୍ରଛାୟା ଯୋଗାନ୍ତି। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ଟାଲ୍‌କମ୍‌ ପାଉଡର ଓ ବେବି ଅଏଲ୍‌ ବିକ୍ରି କଥା ଦେଖନ୍ତୁ, ସେ ଦୁଇଟିରେ ଯଥାକ୍ରମେ ଆଜବେଷ୍ଟସ୍‌ ଓ ଫର୍ମାଲଡିହାଇଡ୍‌ ଭଳି କର୍କଟରୋଗକାରୀ ଦ୍ରବ୍ୟ ଅଛି ବୋଲି ଅଭିଯୋଗ ଆଣି କ୍ଷତିପୂରଣ ଦାବି କରି ମାମଲା କରିଥିବା କେତେକ ମାର୍କିନ୍‌ ନାଗରିକ ସେ ଦେଶର କୋର୍ଟ ଜରିଆରେ କୋଟି କୋଟି ଡଲାର ପାଇଛନ୍ତି। ଏହା ଜାଣି ମଧ୍ୟ ଆମ ଦେଶର ସରକାରୀ ଲାବରେଟୋରି କହୁଛି, ‘ଏଥିରେ ଅପମିଶ୍ରିତ ଦ୍ରବ୍ୟ ସେତେ ବେଶି ନୁହେଁ ଯେତେ ଭାରତୀୟମାନଙ୍କ ପାଇଁ ଅସହ୍ୟ ହେବ।’ ଆମ ନେତାମାନଙ୍କ ଆଖିରେ ଆମ ଜୀବନ ବଡ଼ ଶସ୍ତା! ତେଣୁ ଅପମିଶ୍ରଣ ଓ ଠକାମି ବଢ଼ିଚାଲିଛି, ଆଉ ଆମ ଦେଶର କର୍ମଚାରୀମାନେ ଢିଲା ହେଉଛନ୍ତି।
ସବୁ ଫୌଜଦାରି ମକଦ୍ଦମାରେ ଦଣ୍ଡ ପରିମାଣ କଳନା କଲାବେଳେ ବିଚାରପତି ଦେଖନ୍ତି ଆସାମୀର ଅପରାଧ କରିବାର ଇଚ୍ଛା (ମେନ୍ସ ରିଆ) ଥିଲା କି? ମେନ୍ସ ରିଆ ନ ଥିଲେ ଦଣ୍ଡ କୋହଳ ହୁଏ। ଭେଜାଲ ଖାଦ୍ୟ, ଔଷଧ ବା ପାନୀୟ ଜୀବନ ନେଇପାରେ, ଆଉ ଉତ୍ତେଜନା ବଢ଼ାଇବା ଲାଗି ମିଶ୍ରଣ-ପରିମାଣ ମଦକୁ ବିଷାକ୍ତ କରିଥାଏ ବୋଲି ପାଠକମାନେ ଜାଣନ୍ତି। ଏ କଥା କ’ଣ ତିଆରି କଲାବାଲା, ବିକିବାବାଲା ବା ମହଜୁଦ କରିଥିବାବାଲା ଜାଣେ ନାହିଁ? ଏହି ଜ୍ଞାନ ହିଁ ତା’ର ମେନ୍ସ ରିଆ। ତେଣୁ ସେ ଖାଉଟିକୁ ସିଧାସଳଖ ବିଷ ଦେଇନି ବୋଲି କହୁଥିଲେ ବି ତା’ର ସ୍ବାସ୍ଥ୍ୟକୁ ନଷ୍ଟ କରିବାର ଜିନିଷ ମିଶାଇଛି ବୋଲି ଜାଣିଛି ତ! ମେନ୍ସ ରିଆ ମିଳିଗଲା। ଖାଉଟି ସଂଖ୍ୟା ଅଗଣନୀୟ ହୋଇଥିବାରୁ ମେନ୍ସ ରିଆ ତ ଗଣହତ୍ୟାର ଉଦ୍ୟମ। ଭେଜାଲ ସାମଗ୍ରୀ ଗଣହତ୍ୟାର ଅସ୍ତ୍ର। ପିଙ୍ଗଳ ସଂହିତାର ସେକ୍ସନ ୧୦୮ରେ ଆବେଟ୍ଟର ଦଣ୍ଡିତ ହେବା କଥା କୁହାଯାଇଛି। ଭେଜାଲ୍‌ ବା ଆଡଲ୍‌ଟରେସନ୍‌ ଅପରାଧକୁ ଉସୁକାଇବା ବି ସେହି ପ୍ରକାରର ଅପରାଧ। ଆବେଟ୍ଟର ସଂଜ୍ଞା ସେତିକିରେ ସରିନାହିଁ, ଅପରାଧ କରିବାକୁ ‘ଉସୁକାଉଥିବା ଲୋକକୁ ଉସୁକାଉଥିବା ଲୋକ’ ବି ଅର୍ଥାତ୍‌ ଆବେଟ୍ଟରର ଆବେଟ୍ଟର୍‌ ବି ସେତିକି ଦଣ୍ଡ ପାଇବା କଥା। ଏ କଥା ଏକ୍ସପ୍ଲାନେସନ୍‌ ଟୁ (ବ୍ୟାଖ୍ୟା ୨)ରେ ଅଛି। କେବଳ ସେତିକି ନୁହେଁ – ଅପରାଧ ଘଟି ନ ଥିଲେ ବି ଯଦି ଆବେଟ୍‌ କରିଥିବା ବା ପ୍ରଶ୍ରୟ ଦେଇଥିବା କାମର ପରିଣାମ ଏକ ଅପରାଧ ଭଳି ଦିଶୁଥିବ- ତାହା ଯଥେଷ୍ଟ। ପରିଦର୍ଶନ ଓ ଯାଞ୍ଚ କରୁ ନ ଥିବା ଇନ୍‌ସ୍ପେକ୍ଟରମାନେ ଅପରାଧକୁ ପ୍ରଶ୍ରୟ ଦେବା ଅପରାଧ କରୁଛନ୍ତି। ଆଇନ ଲାଗୁ କରୁଥିବା କର୍ମଚାରୀ ଓ ଅଧିକାରୀମାନେ (ଲ ଏନ୍‌ଫୋର୍ସିଂ ଅଥରିଟି) ମଝିରେ ମଝିରେ ଲାଇସେନ୍ସ ବା ପର୍‌ମିଟ୍‌ ସର୍ତ୍ତ ଅନୁଯାୟୀ କାମ ହେଉଛି କି ନାହିଁ ଦେଖିବା ଓ ପଦକ୍ଷେପ ନେବା କଥା। ରାଜନେତାଙ୍କ ଚାପ ଯୋଗୁ ହେଉ କି ରିସ୍ପତ ଯୋଗୁ ଏହି କର୍ମଚାରୀମାନେ କାର୍ଯ୍ୟରେ ହେଳା କରନ୍ତି ଏବଂ ଅପରାଧ ଘଟାଉଥିବା ଲୋକଟିକୁ ଇଙ୍ଗିତ ଦେଇଥାନ୍ତି ଯେ ‘ତୁମେ ଏମିତି କରିଚାଲ ଆମେ ଆଖି ବୁଜି ଦେଉଛୁ।’ ଲୋକକୁ ନ ଧରିବାର ଆବହାୱା ତିଆରି କରିବା ଅଫିସରମାନେ ଆବେଟ୍‌ କରୁଛନ୍ତି। ଯେଉଁ ସରକାରୀ କର୍ମଚାରୀମାନଙ୍କ କାମ ହେଉଛି ଲାଇସେନ୍ସ ଦେବା, ସେମାନଙ୍କର କାମ ବି ହେଉଛି ଲାଇସେନ୍ସର ସର୍ତ୍ତମାନ ପାଳନ ହେଉଛି କି ନାହିଁ ଦେଖିବା; ସେ ଯଦି ନ ଦେଖୁଛି ତେବେ ସେ ହିଁ ଠକାମି, ଭେଜାଲ ଓ ଅପମିଶ୍ରଣର ଆବେଟ୍ଟର ଏବଂ ପ୍ରତ୍ୟକ୍ଷ ଅପରାଧୀ ଭଳି ଦଣ୍ଡ ପାଇବା କଥା। ଖୋଲା କରି କହିଲେ, ଫୁଡ୍‌ ଇନ୍‌ସ୍ପେକ୍ଟର, ଏକ୍‌ସାଇଜ୍‌ ଇନ୍‌ସ୍ପେକ୍ଟର, ଓ ହେଲ୍‌ଥ ଇନ୍‌ସ୍ପେକ୍ଟର ଯଥାକ୍ରମେ ଭେଜାଲ ଖାଦ୍ୟ, ବିଷାକ୍ତ ମଦ, ଭେଜାଲ ଔଷଧ ଆଦି ତିଆରି କରୁଥିବା ଲୋକର ଓ ମହଜୁଦ କରିରଖିବା ଲୋକର ଆବେଟ୍ଟର୍‌, ଇଲାକାକୁ ଜଗୁଥିବା ପୋଲିସ ନରହନ୍ତା-ଉଦ୍ୟମ କରୁଥିବା ଲୋକକୁ ନ ରୋକିବା ଏବଂ ନିର୍ମାଣ କାର୍ଯ୍ୟକୁ ତନଖି କରୁଥିବା ଇଞ୍ଜିନିୟରମାନେ ପୋଲ ଭୁଶୁଡିବା ପରିସ୍ଥିତିକୁ ନ ରୋକିବା ସେମିତି ନରହନ୍ତାର ଆବେଟ୍ଟର୍‌। ଅପରାଧ କରିଥିବା ଲୋକ ଭଳି କାର୍ଯ୍ୟରେ ଖିଲାପ କରିଥିବା ଲୋକ ବି ଅପରାଧୀ। ତାହା ନ ହେବା ଯାଏ ଭେଜାଲ ସାମଗ୍ରୀର ବ୍ୟବସାୟ ବା ଟିଟ୍‌ଫଣ୍ଡ କାରବାର ଲୁଚାଛପା ଚାଲିଥିବ, ଆମ ଭବିଷ୍ୟତ ପିଢ଼ି ଧୀରେ ଧୀରେ ବିଷଗ୍ରସ୍ତ (ସ୍ଲୋ ପଏଜନିଂ) ହେଉଥିବେ, ସେମାନଙ୍କ ଅକ୍ଷମତା ବଢୁଥିବ ବା ସେମାନେ ଆତ୍ମହତ୍ୟାପ୍ରବଣ ହେଉଥିବେ।
ରାତାରାତି ଧନୀ ହେବାର ଇଚ୍ଛା ମଣିଷକୁ ଅମଣିଷ କରିଥାଏ, ଟଙ୍କାଟାକୁ ବର୍ଷକ ଭିତରେ ଦି’ଟଙ୍କା କରିଦେବ କହୁଥିବା ଲୋକ ବି ଆତ୍ମହତ୍ୟା ପ୍ରବଣତା ବଢ଼ାଏ। ଉତ୍ତରପ୍ରଦେଶର ଶ୍ମଶାନ ଭିତରେ ଥିବା ଘରର ଛାତ ଭୁଶୁଡ଼ି ପଡ଼ିବାର କାରଣ କାମଟି ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ନିମ୍ନମାନର କାମ କରିବା। ତେଣୁ ଅଜୟ ତ୍ୟାଗୀ ଯେତିକି ଦୋଷୀ ଜୁନିୟର ଇଞ୍ଜିନିୟର ଚନ୍ଦ୍ରପାଳ ସିଂ ଓ ମୁରାଦନଗରର ନଗରପାଳିକାର ଏକ୍‌ଜିକ୍ୟୁଟିଭ୍‌ ଅଫିସର ନୀହାରିକା ସିଂ ବି ସେତିକି ଦାୟୀ। ଆମ ବ୍ୟବସ୍ଥାରେ ଅସାଧୁ କର୍ମଚାରୀ ଓ ଅସାଧୁ ରାଜନେତା ଅପରାଧ ବଢ଼ାଉଛନ୍ତି।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri