କର୍ମଚାରୀଙ୍କ ଅବହେଳା ଅପରାଧ ବଢ଼ାଏ

ସହଦେବ ସାହୁ

ଏବେ ଏବେ କାହିଁକି ଏତେଗୁଡ଼ାଏ ଭେଜାଲ ଓ ଅପମିଶ୍ରଣ ମାମଲା ଧରା ପଡୁଛି, ଆଗରୁ କାହିଁକି ଏଗୁଡ଼ିକ ଧରା ହେଉ ନ ଥିଲା ପ୍ରଶ୍ନ କଲାବେଳେ ଆମେ କେବଳ ବର୍ତ୍ତମାନର କମିଶନରେଟ୍‌ ପୋଲିସକୁ ଧନ୍ୟବାଦ ଦେଉନାହୁଁ, ଆମେ ବି ଜଣାଉଛୁ ଯେ, ଉଚ୍ଚ ଅଧିକାରୀମାନେ ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ସମ୍ପାଦନ କଲେ ଅଧସ୍ତନ କର୍ମଚାରୀମାନେ ସମପରିମାଣରେ ତପତ୍ର ହେବେ ଏବଂ ସମାଜ ସୁସ୍ଥ ରହିପାରିବ। ଖୁବ୍‌ ଲାଭ କରିବା ଉଦ୍ଦେଶ୍ୟରେ ମିଛ ବର୍ଣ୍ଣନା କରି ବା ଶସ୍ତା ଦରର ପ୍ରଲୋଭନ ଦେଖାଇ ଭେଜାଲ ଖାଦ୍ୟପେୟ ସାମଗ୍ରୀ ତଥା ଔଷଧ ବିକ୍ରି କରିବା ଦ୍ୱାରା ଦୋକାନୀ ଖାଉଟିକୁ ମରଣମୁହଁକୁ ଠେଲିଦେଇଥାଏ, ପ୍ରକାରାନ୍ତରେ ଖାଉଟିର ଶରୀରକୁ ଆକ୍ରମଣ କରିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଆକ୍ଟ ୨୦୦୬ ଅନୁସାରେ ନିୟନ୍ତ୍ରିତ ଓ ଅପମିଶ୍ରଣ କରିବା ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ (ଭାରତୀୟ ପିଙ୍ଗଳ ସଂହିତା) ୧୮୬୦ର ସେକ୍ସନ ୨୭୨ ଓ ୨୭୩ ଦ୍ୱାରା ଦଣ୍ଡନୀୟ। ୨୦୧୭ରେ ପିଙ୍ଗଳ ସଂହିତାର ଏକ ସଂଶୋଧନ ଫଳରେ ଆଜୀବନ କାରାଦଣ୍ଡ ବା ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଅଥବା ଉଭୟ ହୋଇଛି, ଆଗରୁ ଜେଲଦଣ୍ଡ ୬ ମାସ ଯାଏ ବା ଜରିମାନା ଅଥବା ଏକାସାଙ୍ଗରେ ଉଭୟ ଜେଲ ଓ ଜରିମାନା ଥିଲା। ୫ ବର୍ଷ ବିତିଗଲାଣି, କାହିଁ କଡ଼ା ଦଣ୍ଡ ବ୍ୟବସ୍ଥା ତ ଭେଜାଲ କାରବାରକୁ କମାଇନାହିଁ? ବରଂ ବଢ଼ିଚାଲିଛି!
ଏହାର ପ୍ରକୃତ କାରଣ ଲାଇସେନ୍ସ ବା ପର୍‌ମିଟ୍‌ ଦେଇଥିବା ଅଧିକାରୀ ଓ ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ସେମାନଙ୍କର ତନଖି (ଇନ୍‌ସ୍ପେକ୍ସନ୍‌) କାର୍ଯ୍ୟ କରୁନାହାନ୍ତିି, ମାସିକିଆ ପାଇଲେ ଆଖିବୁଜି ଦିଅନ୍ତି। ବଡ଼ କଥା ଯେ ଆମ ଗଣତନ୍ତ୍ରରେ ନେତାମାନେ ନିର୍ବାଚନୀ ଚାନ୍ଦା ପାଉଥିବା ଯାଏ ଅପମିଶ୍ରଣକାରୀଙ୍କୁ ଛତ୍ରଛାୟା ଯୋଗାନ୍ତି। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ଟାଲ୍‌କମ୍‌ ପାଉଡର ଓ ବେବି ଅଏଲ୍‌ ବିକ୍ରି କଥା ଦେଖନ୍ତୁ, ସେ ଦୁଇଟିରେ ଯଥାକ୍ରମେ ଆଜବେଷ୍ଟସ୍‌ ଓ ଫର୍ମାଲଡିହାଇଡ୍‌ ଭଳି କର୍କଟରୋଗକାରୀ ଦ୍ରବ୍ୟ ଅଛି ବୋଲି ଅଭିଯୋଗ ଆଣି କ୍ଷତିପୂରଣ ଦାବି କରି ମାମଲା କରିଥିବା କେତେକ ମାର୍କିନ୍‌ ନାଗରିକ ସେ ଦେଶର କୋର୍ଟ ଜରିଆରେ କୋଟି କୋଟି ଡଲାର ପାଇଛନ୍ତି। ଏହା ଜାଣି ମଧ୍ୟ ଆମ ଦେଶର ସରକାରୀ ଲାବରେଟୋରି କହୁଛି, ‘ଏଥିରେ ଅପମିଶ୍ରିତ ଦ୍ରବ୍ୟ ସେତେ ବେଶି ନୁହେଁ ଯେତେ ଭାରତୀୟମାନଙ୍କ ପାଇଁ ଅସହ୍ୟ ହେବ।’ ଆମ ନେତାମାନଙ୍କ ଆଖିରେ ଆମ ଜୀବନ ବଡ଼ ଶସ୍ତା! ତେଣୁ ଅପମିଶ୍ରଣ ଓ ଠକାମି ବଢ଼ିଚାଲିଛି, ଆଉ ଆମ ଦେଶର କର୍ମଚାରୀମାନେ ଢିଲା ହେଉଛନ୍ତି।
ସବୁ ଫୌଜଦାରି ମକଦ୍ଦମାରେ ଦଣ୍ଡ ପରିମାଣ କଳନା କଲାବେଳେ ବିଚାରପତି ଦେଖନ୍ତି ଆସାମୀର ଅପରାଧ କରିବାର ଇଚ୍ଛା (ମେନ୍ସ ରିଆ) ଥିଲା କି? ମେନ୍ସ ରିଆ ନ ଥିଲେ ଦଣ୍ଡ କୋହଳ ହୁଏ। ଭେଜାଲ ଖାଦ୍ୟ, ଔଷଧ ବା ପାନୀୟ ଜୀବନ ନେଇପାରେ, ଆଉ ଉତ୍ତେଜନା ବଢ଼ାଇବା ଲାଗି ମିଶ୍ରଣ-ପରିମାଣ ମଦକୁ ବିଷାକ୍ତ କରିଥାଏ ବୋଲି ପାଠକମାନେ ଜାଣନ୍ତି। ଏ କଥା କ’ଣ ତିଆରି କଲାବାଲା, ବିକିବାବାଲା ବା ମହଜୁଦ କରିଥିବାବାଲା ଜାଣେ ନାହିଁ? ଏହି ଜ୍ଞାନ ହିଁ ତା’ର ମେନ୍ସ ରିଆ। ତେଣୁ ସେ ଖାଉଟିକୁ ସିଧାସଳଖ ବିଷ ଦେଇନି ବୋଲି କହୁଥିଲେ ବି ତା’ର ସ୍ବାସ୍ଥ୍ୟକୁ ନଷ୍ଟ କରିବାର ଜିନିଷ ମିଶାଇଛି ବୋଲି ଜାଣିଛି ତ! ମେନ୍ସ ରିଆ ମିଳିଗଲା। ଖାଉଟି ସଂଖ୍ୟା ଅଗଣନୀୟ ହୋଇଥିବାରୁ ମେନ୍ସ ରିଆ ତ ଗଣହତ୍ୟାର ଉଦ୍ୟମ। ଭେଜାଲ ସାମଗ୍ରୀ ଗଣହତ୍ୟାର ଅସ୍ତ୍ର। ପିଙ୍ଗଳ ସଂହିତାର ସେକ୍ସନ ୧୦୮ରେ ଆବେଟ୍ଟର ଦଣ୍ଡିତ ହେବା କଥା କୁହାଯାଇଛି। ଭେଜାଲ୍‌ ବା ଆଡଲ୍‌ଟରେସନ୍‌ ଅପରାଧକୁ ଉସୁକାଇବା ବି ସେହି ପ୍ରକାରର ଅପରାଧ। ଆବେଟ୍ଟର ସଂଜ୍ଞା ସେତିକିରେ ସରିନାହିଁ, ଅପରାଧ କରିବାକୁ ‘ଉସୁକାଉଥିବା ଲୋକକୁ ଉସୁକାଉଥିବା ଲୋକ’ ବି ଅର୍ଥାତ୍‌ ଆବେଟ୍ଟରର ଆବେଟ୍ଟର୍‌ ବି ସେତିକି ଦଣ୍ଡ ପାଇବା କଥା। ଏ କଥା ଏକ୍ସପ୍ଲାନେସନ୍‌ ଟୁ (ବ୍ୟାଖ୍ୟା ୨)ରେ ଅଛି। କେବଳ ସେତିକି ନୁହେଁ – ଅପରାଧ ଘଟି ନ ଥିଲେ ବି ଯଦି ଆବେଟ୍‌ କରିଥିବା ବା ପ୍ରଶ୍ରୟ ଦେଇଥିବା କାମର ପରିଣାମ ଏକ ଅପରାଧ ଭଳି ଦିଶୁଥିବ- ତାହା ଯଥେଷ୍ଟ। ପରିଦର୍ଶନ ଓ ଯାଞ୍ଚ କରୁ ନ ଥିବା ଇନ୍‌ସ୍ପେକ୍ଟରମାନେ ଅପରାଧକୁ ପ୍ରଶ୍ରୟ ଦେବା ଅପରାଧ କରୁଛନ୍ତି। ଆଇନ ଲାଗୁ କରୁଥିବା କର୍ମଚାରୀ ଓ ଅଧିକାରୀମାନେ (ଲ ଏନ୍‌ଫୋର୍ସିଂ ଅଥରିଟି) ମଝିରେ ମଝିରେ ଲାଇସେନ୍ସ ବା ପର୍‌ମିଟ୍‌ ସର୍ତ୍ତ ଅନୁଯାୟୀ କାମ ହେଉଛି କି ନାହିଁ ଦେଖିବା ଓ ପଦକ୍ଷେପ ନେବା କଥା। ରାଜନେତାଙ୍କ ଚାପ ଯୋଗୁ ହେଉ କି ରିସ୍ପତ ଯୋଗୁ ଏହି କର୍ମଚାରୀମାନେ କାର୍ଯ୍ୟରେ ହେଳା କରନ୍ତି ଏବଂ ଅପରାଧ ଘଟାଉଥିବା ଲୋକଟିକୁ ଇଙ୍ଗିତ ଦେଇଥାନ୍ତି ଯେ ‘ତୁମେ ଏମିତି କରିଚାଲ ଆମେ ଆଖି ବୁଜି ଦେଉଛୁ।’ ଲୋକକୁ ନ ଧରିବାର ଆବହାୱା ତିଆରି କରିବା ଅଫିସରମାନେ ଆବେଟ୍‌ କରୁଛନ୍ତି। ଯେଉଁ ସରକାରୀ କର୍ମଚାରୀମାନଙ୍କ କାମ ହେଉଛି ଲାଇସେନ୍ସ ଦେବା, ସେମାନଙ୍କର କାମ ବି ହେଉଛି ଲାଇସେନ୍ସର ସର୍ତ୍ତମାନ ପାଳନ ହେଉଛି କି ନାହିଁ ଦେଖିବା; ସେ ଯଦି ନ ଦେଖୁଛି ତେବେ ସେ ହିଁ ଠକାମି, ଭେଜାଲ ଓ ଅପମିଶ୍ରଣର ଆବେଟ୍ଟର ଏବଂ ପ୍ରତ୍ୟକ୍ଷ ଅପରାଧୀ ଭଳି ଦଣ୍ଡ ପାଇବା କଥା। ଖୋଲା କରି କହିଲେ, ଫୁଡ୍‌ ଇନ୍‌ସ୍ପେକ୍ଟର, ଏକ୍‌ସାଇଜ୍‌ ଇନ୍‌ସ୍ପେକ୍ଟର, ଓ ହେଲ୍‌ଥ ଇନ୍‌ସ୍ପେକ୍ଟର ଯଥାକ୍ରମେ ଭେଜାଲ ଖାଦ୍ୟ, ବିଷାକ୍ତ ମଦ, ଭେଜାଲ ଔଷଧ ଆଦି ତିଆରି କରୁଥିବା ଲୋକର ଓ ମହଜୁଦ କରିରଖିବା ଲୋକର ଆବେଟ୍ଟର୍‌, ଇଲାକାକୁ ଜଗୁଥିବା ପୋଲିସ ନରହନ୍ତା-ଉଦ୍ୟମ କରୁଥିବା ଲୋକକୁ ନ ରୋକିବା ଏବଂ ନିର୍ମାଣ କାର୍ଯ୍ୟକୁ ତନଖି କରୁଥିବା ଇଞ୍ଜିନିୟରମାନେ ପୋଲ ଭୁଶୁଡିବା ପରିସ୍ଥିତିକୁ ନ ରୋକିବା ସେମିତି ନରହନ୍ତାର ଆବେଟ୍ଟର୍‌। ଅପରାଧ କରିଥିବା ଲୋକ ଭଳି କାର୍ଯ୍ୟରେ ଖିଲାପ କରିଥିବା ଲୋକ ବି ଅପରାଧୀ। ତାହା ନ ହେବା ଯାଏ ଭେଜାଲ ସାମଗ୍ରୀର ବ୍ୟବସାୟ ବା ଟିଟ୍‌ଫଣ୍ଡ କାରବାର ଲୁଚାଛପା ଚାଲିଥିବ, ଆମ ଭବିଷ୍ୟତ ପିଢ଼ି ଧୀରେ ଧୀରେ ବିଷଗ୍ରସ୍ତ (ସ୍ଲୋ ପଏଜନିଂ) ହେଉଥିବେ, ସେମାନଙ୍କ ଅକ୍ଷମତା ବଢୁଥିବ ବା ସେମାନେ ଆତ୍ମହତ୍ୟାପ୍ରବଣ ହେଉଥିବେ।
ରାତାରାତି ଧନୀ ହେବାର ଇଚ୍ଛା ମଣିଷକୁ ଅମଣିଷ କରିଥାଏ, ଟଙ୍କାଟାକୁ ବର୍ଷକ ଭିତରେ ଦି’ଟଙ୍କା କରିଦେବ କହୁଥିବା ଲୋକ ବି ଆତ୍ମହତ୍ୟା ପ୍ରବଣତା ବଢ଼ାଏ। ଉତ୍ତରପ୍ରଦେଶର ଶ୍ମଶାନ ଭିତରେ ଥିବା ଘରର ଛାତ ଭୁଶୁଡ଼ି ପଡ଼ିବାର କାରଣ କାମଟି ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଇ ନିମ୍ନମାନର କାମ କରିବା। ତେଣୁ ଅଜୟ ତ୍ୟାଗୀ ଯେତିକି ଦୋଷୀ ଜୁନିୟର ଇଞ୍ଜିନିୟର ଚନ୍ଦ୍ରପାଳ ସିଂ ଓ ମୁରାଦନଗରର ନଗରପାଳିକାର ଏକ୍‌ଜିକ୍ୟୁଟିଭ୍‌ ଅଫିସର ନୀହାରିକା ସିଂ ବି ସେତିକି ଦାୟୀ। ଆମ ବ୍ୟବସ୍ଥାରେ ଅସାଧୁ କର୍ମଚାରୀ ଓ ଅସାଧୁ ରାଜନେତା ଅପରାଧ ବଢ଼ାଉଛନ୍ତି।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri