ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ବିଭାଗ ପକ୍ଷରୁ ‘ଅଲ୍‌ ଫର୍‌ ଟୁରିଜମ୍‌’ ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ‘ଥିଙ୍କ୍‌ ଇଣ୍ଡିଆ-ଥିଙ୍କ୍‌ ଓଡ଼ିଶା’ ଜରିଆରେ ଓଡ଼ିଶା ନିଜକୁ ‘ଏସିଆ’ ମହାଦେଶରେ ଏକ ପ୍ରମୁଖ ଇକୋ-ପର୍ଯ୍ୟଟନ ଓ ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ କରାଇବାକୁ ଆଶା ରଖିଛି। ଏଥିଲାଗି ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ବିଭାଗର ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏପ୍ରିଲ ୪ରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ କିଭଳି ଋଦ୍ଧିମନ୍ତ କରାଯାଇପାରିବ ସେନେଇ ବିଭାଗୀୟ ସଚିବ ବଲ୍‌ଓ୍ବନ୍ତ ସିଂ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ସେ ଦର୍ଶାଇଥିଲେ, ‘ଥିଙ୍କ୍‌ ଇଣ୍ଡିଆ-ଥିଙ୍କ୍‌ ଓଡ଼ିଶା’ ଜରିଆରେ ସ୍ଥାୟୀ ପର୍ଯ୍ୟଟନ ପ୍ରଚଳନକୁ ପ୍ରୋତ୍ସାହନ ଦେବାକୁ ବିଶେଷ ଗୁରୁତ୍ୱ ଦିଆଯିବ, ଯାହାଦ୍ୱାରା ପ୍ରାକୃତିକ ଓ ସାଂସ୍କୃତିକ ସମ୍ପଦର ସୁରକ୍ଷା ସହିତ ସ୍ଥାନୀୟ ସମୁଦାୟଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟିହେବ। ରାଜ୍ୟ ସରକାର ୨୦୪୭ ସୁଦ୍ଧା ଓଡ଼ିଶାକୁ ଏକ ପ୍ରମୁଖ ଗ୍ଲୋବାଲ୍‌ ଇକୋ-ପର୍ଯ୍ୟଟନ ଓ ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦୃଷ୍ଟିକୋଣରୁ ଓଡ଼ିଶାର ଅଦ୍ୱିତୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟର ବିକାଶ କରାଯିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦୂରଦୃଷ୍ଟିସମ୍ପନ୍ନ ପରିକଳ୍ପନା ଓ ଲକ୍ଷ୍ୟମୂଳକ ନିବେଶ ମାଧ୍ୟମରେ ରାଜ୍ୟ ପର୍ଯ୍ୟଟକ ଅନୁଭବକୁ ଉନ୍ନତ ସହିତ ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଓ ଅନ୍ତର୍ଜାତୀୟ ଏବଂ ଦେଶୀୟ ପର୍ଯ୍ୟଟକମାନଙ୍କ ପାଇଁ ପସନ୍ଦୀୟ ଗନ୍ତବ୍ୟ ଭାବେ ନିଜକୁ ଉପସ୍ଥାପିତ କରିବାକୁ ବିଭାଗ ଉଦ୍ୟମ କରୁଛି। ଏହି ଦୃଷ୍ଟିକୋଣ ଜରିଆରେ ୩ଟି ଦିଗକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ସେଥିମଧ୍ୟରେ ରାଜ୍ୟ ସରକାରଙ୍କ ନୀତିଗତ ସମର୍ଥନ, ନିବେଶ ଓ ପିପିପି ମୋଡ୍‌ରେ ନିର୍ମାଣର ଆବଶ୍ୟକତା। ‘ଅଲ୍‌ ଫର୍‌ ଟୁରିଜମ୍‌’ ଅଧୀନରେ ସମସ୍ତ ବିଭାଗକୁ ପର୍ଯ୍ୟଟନ ବିଭାଗକୁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ କୁହାଯାଇଛି। ବିଶେଷକରି ପର୍ଯ୍ୟଟନ ପାଇଁ ପ୍ରାଥମିକ ଢାଞ୍ଚାଗତ ବିକାଶ, ଶୀଘ୍ର ଅନୁମୋଦନ, ବ୍ରାଣ୍ଡିଙ୍ଗ୍‌ ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ କରିବାକୁ ହେବ।
ପର୍ଯ୍ୟଟନ ବିଭାଗ ସହ ଅନ୍ୟ ବିଭାଗର ସମ୍ପୃକ୍ତି ଥିବାରୁ ସଂପୃକ୍ତ ବିଭାଗଗୁଡ଼ିକ ସମନ୍ବିତ ସହଯୋଗ ଯୋଗାଇଦେବା ଆବଶ୍ୟକ ବୋଲି ସଚିବ କହିଥିଲେ। ଏହାକୁ ନେଇ ମୁଖ୍ୟ ସଚିବ ଗର୍ଗ ସମସ୍ତ ବିଭାଗକୁ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ତୁରନ୍ତ ଓ ନିରନ୍ତର ସହଯୋଗ ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily