ଜୀବନ, ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ -ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର./ଡି.ଏନ୍‌.ଏ.)- ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି କୋଭିଡ୍‌-୧୯ ପରିଚାଳନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମର କାଯର୍‌ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାମାରୀ କରୋନା ପରିସ୍ଥିତିରେ ଜୀବନ ଓ ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ କହିଛନ୍ତି। ଦରବାର ହଲ୍‌ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକର ପ୍ରାରମ୍ଭରେ ଜିଲାପାଳ ଆଶିଷ ଠାକ୍‌ରେ କୋଭିଡ୍‌-୧୯ର ପ୍ରତିରୋଧ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଜିଲାରେ କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼.ଉଦ୍ଧବ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଡ଼.ଭକ୍ତଚରଣ ପ୍ରଧାନ, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ନାୟକ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ, ପିଏ ଆଇଟିଡିଏ କେନ୍ଦୁଝର ନାରାୟଣ ମୁର୍ମୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ସମେତ ବିିଭିନ୍ନ ବିଭାଗୀୟ ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।