ଦୁର୍ଘଟଣା ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ

ପୁରୀ ଅଫିସ,୯।୪: ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ କମିଶନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ପୁରୀ ଜ଼ିଲାପାଳ ସମତ ବର୍ମା, ଏସ୍‌ପି କନୱର ବିଶ୍ୱାଲ ସିଂଙ୍କ ପରାମର୍ଶ କ୍ରମେ ଜ଼ିଲା ପୋଲିସ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସପ୍ତାହ ହେଲା ଚାଲିଥିବା ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପୁରୀ ଆର୍‌ଟିଓ ରବୀନ ପଟ୍ଟନାୟକ ଓ ଡିଏସ୍‌ପି ଟ୍ରାଫିକ ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସାପ୍ତାହିକ ଅଭିଯାନରେ ଜ଼ିଲାର ବିଭିନ୍ନ ଅଞ୍ଚଳରେ କଡାକଡ଼ି ଭାବେ ଗାଡି ମୋଟର ଯାଞ୍ଚ କରି ୪୩୫୭ଟି ଚାଲାଣ କଟାଯାଇଛି। ଏହି ଅଭିଯାନରେ ଗାଡିର ଲାଇସେନ୍ସ, ପରମିଟ, ହେଲମେଟ, ସିଟବେଲ୍ଟ, ସବୁ ଯାଞ୍ଚ କରାଯାଇଥିଲା। ପୁରୀ, ଚନ୍ଦ୍ରଭାଗା ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ନିଶାସକ୍ତ ଅବସ୍ଥାରେ ପୁଣି ବିନା ପରମିଟରେ ଯାଉଥିବା ଅନେକ ଗାଡିକୁ ପରିବହନ ବିଭାଗ ଗୋଡ଼ାଇ ଧରିଥିଲା। ଆର୍‌ଟିଓ ରବୀନ ପଟ୍ଟନାୟକଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଓ ସମସ୍ତ ଅଞ୍ଚଳର ଥାନା ପୋଲିସ ଅଫିସର ଏହି ମେଗା ଅଭିଯାନରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ଗାଡି ମୋଟର ଯାଞ୍ଚ କରାଯାଇଥିବା ବେଳେ ଗାଡି ଚାଳକଙ୍କ ଡିଏଲ ଚେକିଂ, ସିଟବେଲ୍ଟ ଚେକିଂ, ହେଲମେଟ ଚେକିଂ, ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ, ମୋବାଇଲ ବ୍ୟବହାର ପାଇଁ ଆଦି ପ୍ରମୁଖ କାରଣ ପାଇଁ ଅନେକ ଡିଏଲ୍‌କୁ ରଦ୍ଦ କରାଯାଇ ଗାଡି ଚାଳକ ନାଁରେ ବିଭିନ୍ନ ମାମଲା ରୁଜୁ ହୋଇଛି। ସହର ତଥା ସମଗ୍ର ଜ଼ିଲାରେ ଦୁର୍ଘଟଣା ହାର ଓ ମୃତ୍ୟୁହାର ବୃଦ୍ଧି ପାଇଥିବାରୁ ଜ଼ିଲାର ବୃହର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନକୁ ଆହୁରି କଡ଼ାକଡ଼ି କରାଯିବ। ଲୋକେ ଯେମିତି ଅଯଥାରେ ଜରିମାନା ନ ଦେବେ, ନିଶାଗ୍ରସ୍ତ ଅବସ୍ଥାରେ ଗାଡି ନ ଚଳାଇବାବେ, ଟ୍ରାଫିକ ନିୟମ ମାନିବେ, ଜ଼ିଲାରେ ଦୁର୍ଘଟଣା ମୃତ୍ୟୁହାର ରୋକାଯାଇପାରିବ ଏଥିପାଇଁ ପୁରୀ ଆର୍‌ଟିଓ ପଟ୍ଟନାୟକ ଜ଼ିଲାବାସୀଙ୍କୁ ନିବେଦନ କରିଛନ୍ତି। ଏ ନେଇ ସହର ତଥା ଜ଼ିଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତାରେ ଏ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ଅଭିଯାନରେ ଆରଟିଓ ପଟ୍ଟନାୟକଙ୍କ ସମେତ ଟ୍ରାଫିକ ଡିଏସପି, ଏମଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟିଆଇ ଓ ବିଭିନ୍ନ ଅଞ୍ଚଳର ପୋଲିସ ଅଧିକାରୀ ପ୍ରମୁଖ ସାମିଲ ଥିଲେ।