ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଜିଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସମାଜରେ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।
ପ୍ରଶିକ୍ଷଣରେ ଶିଶୁ ସୁରକ୍ଷା ବ୍ୟବସ୍ଥା, ବାଲ୍ୟ ବିବାହ ନିଷେଧ ଆଇନର ବିଭିନ୍ନ ଦିଗ ଏବଂ ବାଲ୍ୟ ବିବାହ ରୋକିବାରେ ଅଧିକାରୀମାନଙ୍କ ଭୂମିକା ନେଇ ଆଲୋଚନା ହୋଇଥିଲା।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳା, ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

