କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୪୨୦,୧୪୨୧,୧୪୨୨ ,୧୭/୮/୨୦୨୬ରେ ଜିଲାପରିଷଦକୁ ଆନୁଆଲ ଆକ୍ସନ ପ୍ଲାନ ଦାଖଲ କରାଯାଇଥିବା ଜଣାପଡ଼ିଛି। ଏହି ଆକ୍ସନ ପ୍ଲାନ୍ରେ ବ୍ଲକ ସଦର କର୍ଲାମୁଣ୍ଡା ପଞ୍ଚାୟତ ପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କାର ବଜେଟ୍ରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରସ୍ତାବିତ ହୋଇଥିବା ବେଳେ ବ୍ଲକର ରାଜପୁରକୁ ୨୫ ଲକ୍ଷ, ରେଗଡାକୁ ୩୫ ଲକ୍ଷ, ଜୋରାଡବରାକୁ ୧୫ ଲକ୍ଷ, ତେରେସିଙ୍ଗା ୧୦ ଲକ୍ଷ, ରିଞ୍ଜା ପଞ୍ଚାୟତକୁ ୧୦ ଲକ୍ଷ ଓ ସାପଲହରା, ପୌରକେଲା ପଞ୍ଚାୟତକୁ ୫ଲକ୍ଷ ଲେଖାଏ ବଜେଟ୍ରେ ରଖାଯାଇଛି। ଅନ୍ୟପଟେ ଏହି ବ୍ଲକର ସ. ମାଲପଡ଼ା, ଗଜବାହାଲ, ରିଷିଡ଼ା ଓ ବୋରପଦର ପଞ୍ଚାୟତକୁ ଏଥିରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ଏହି ୪ ପଞ୍ଚାୟତର ଲୋକେ କେବିକେ ବିକାଶ ଯୋଜନାର ସୁବିଧାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି।
ତେବେ ନିର୍ଦ୍ଦିଷ୍ଟ ପଞ୍ଚାୟତିଗୁଡ଼ିକୁ କାହା ସ୍ବାର୍ଥରେ ଅଧିକ ବଜେଟ ରଖାଯାଇଛି ଓ ଏହି ୪ଟି ପଞ୍ଚାୟତକୁ କାହିଁକି ବାଦ ଦିଆଗଲା, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଏନେଇ ବାଦ୍ ପଡ଼ିଥିବା ସ. ମାଲପଡ଼ା ପଞ୍ଚାୟତ ସରପଞ୍ଚ ବରୁଣ ଛତ୍ରିଆଙ୍କୁ ପଚାରିବାରୁ ଆମ ପଞ୍ଚାୟତ କାହିଁକି ବାଦ ପଡିଛି, ଆମେ ଜାଣି ପାରୁନାହିଁ ବୋଲି କହିଛନ୍ତି।

