‘ଦୁଗ୍ଧଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୬।୩: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ମହାସଂଘ ଲିମିଟେଡ୍‌ ବା ଓମ୍‌ଫେଡ୍‌ର ୧୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶୁକ୍ରବାର ଓମ୍‌ଫେଡ୍‌ର ଶହୀଦନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓମ୍‌ଫେଡ୍‌ର ନବ ନିର୍ବାଚିତ ସମସ୍ତ ୨୧ ସଦସ୍ୟଙ୍କୁ ଏହାର ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନା ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସ୍ବରୂପ ସ୍ବାଗତ କରିଥିଲେ। ଉକ୍ତ ବୈଠକରେ ନବ ନିର୍ବାଚିତ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ପରିଚୟ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଶେଷକରି ସମସ୍ତ ନିର୍ବାଚିତ ସଦସ୍ୟ ତାଙ୍କୁ ଓମ୍‌ଫେଡ୍‌ର ସଭାପତି ଭାବେ ନିର୍ବାଚିତ କରାଇଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଓଡ଼ିଶାର ସମସ୍ତ ଦୁଗ୍ଧଚାଷୀ କିଭଳି ଓମ୍‌ଫେଡ୍‌ ଦ୍ୱାରା ଲାଭବାନ୍‌ ହୋଇପାରିବେ ସେ ବିଷୟରେ କିଶୋର ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ସିହ୍ନା ନିର୍ଦ୍ଦେଶକ ମଣ୍ଡଳୀକୁ ଓମ୍‌ଫେଡ୍‌ର ବାର୍ଷିକ ବିବରଣୀ ସମ୍ପର୍କରେ ଅବଗତ କରାଇବା ସହ ମହାସଂଘର ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ପରିଶେଷରେ ମହାସଂଘର ସମ୍ପାଦକ ଉପସ୍ଥିତ ସଭାପତି ଏବଂ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ, ୧୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶେଷ ପରେ ନବନିର୍ବାଚିତ ସଦସ୍ୟମାନେ ସ୍ଥାନୀୟ ଅରିଲୋସ୍ଥିତ ଓମ୍‌ଫେଡ୍‌ର ମେଗା ଡେଏରୀ ପ୍ଳାଣ୍ଟ ପରିଦର୍ଶନ କରିଥିଲେ।