ସଚେତନତା ଉପରେ ଗୁରୁତ୍ୱାରୋପ

ଯାଜପୁର ଅଫିସ,୧୨ା୩: ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓସୱାନ ସମ୍ମିଳନୀ କକ୍ଷଠାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରୌଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜନଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟଗୁଡ଼ିକରେ ଅଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋର୍ଡିଂ, ପୋଷ୍ଟର ଆଦି ଲଗାଯିବା, ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବା, ଲୋକମାନେ ପ୍ରଚଣ୍ଡ ଖରାରେ ଅତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଛତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି। ଜଳଛତ୍ରଗୁଡ଼ିକରେ ରଖାଯାଇଥିବା ପାଣିକୁ ବିଶୁଦ୍ଧ ଭାବେ ରଖିବା, ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳ ରଖିବାକୁ କୁହାଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ସିଡିଏମ୍‌ଓ ଡା. ବିରଞ୍ଚି ନାରାୟଣ ବାରିକ, ଏଡିଏମ୍‌ଓ ଡା. ସୁଧାଂଶୁ ଶେଖର ବଳ, ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ସେନାପତି, ଜିଲା ଜରୁରୀ ଅଧିକାରୀ ଉମେଶ ଲେଙ୍କା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଜିଲା ଜରୁରୀ ବିଭାଗର ହେଲ୍‌ପ ଲାଇନ ନମ୍ବର ୧୦୭୭ ଓ ୦୬୭୨୮୨୨୨୬୪୮କୁ ଉପଯୋଗ କରିବା ସହ ଅନ୍ୟ ଜରୁରୀ ସେବା ଯୋଗାଉଥିବା ବିଭାଗ ତୁରନ୍ତ ନିୟନ୍ତ୍ରଣ କକ୍ଷ ନମ୍ବର ସାର୍ବଜନୀନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତ୍ୟେକ ବ୍ୟକ୍ତି ବିଶେଷକରି ନିଜ ଘରର ଛାତ ବା ଖୋଲା ସ୍ଥାନରେ ପକ୍ଷୀ ଓ ପଶୁଙ୍କ ପାଇଁ ଜଳପୂର୍ଣ୍ଣ ପାତ୍ର ରଖିବାକୁ ଅନୁରୋଧ କରାଯାଇଛି। ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ପାନୀୟ ଜଳର ଉତ୍ସଗୁଡ଼ିକୁ ମରାମତି କରିବା ସହ ଯେମିତି ଜଳ ସମସ୍ୟା ନ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଶିଳ୍ପ ସଂସ୍ଥାଗୁଡ଼ିକ ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରାଯାଇଛି।