ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା ହୋଇଥିବା ବେଳେ ଆଉ ଗୋଟେ ଇଂରାଜୀରେ। ଏବେ ଏହି ଚିଠି ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି ଶିଶୁ ନିଜ ପରିବାରର ଦୁଃଖ ଜଣାଇ ସେ ଓ ତାଙ୍କ ମା’ ବହୁତ କଷ୍ଟରେ ରହୁଥିବାରୁ ତାହାକୁ ଦୂରକରି କିପରି ଭଲ ମଣିଷଟିଏ ହୋଇପାରିବ ସେଥିଲାଗି ଗୁହାରି ଜଣାଇ ତାଙ୍କ ମାଙ୍କୁ ହେଉଥିବା କଷ୍ଟକୁ ଦୂର କରିବା ଲାଗି ଚାକିରି ଖଣ୍ଡେ ଦେବା ସହ ତାଙ୍କ ବାବାଙ୍କୁ ଭଲ ବୁଦ୍ଧିଦେଇ ଭଲ ବାଟକୁ ଆଣିବା ଓ ଶିଶୁଟିକୁ ତାଙ୍କ ପରିବାର ଭିତରେ ସ୍ଥାନଦେବା ଲାଗି ମା’ଙ୍କୁ ଗୁହାରି ଜଣାଇ ଲେଖିଥିବା ଏହି ଭାବପୂର୍ଣ୍ଣ ଚିଠିଟି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚିଠିରେ ତାଙ୍କ ନାମ ଶ୍ରୀହନ ପ୍ରସାଦ ଦାସ,ଏନ୍ ଗୋପୀନାଥପୁର ଲୁଣିଘାଟ ପୋଲସରା ବୋଲି ଉଲେଖ ରହିଛି।
ସେହିପରି ମନୋରମା ନାମକ ଏକ ଝିଅ ମା’ଙ୍କୁ ଚିଠି ଲେଖିଛି ଯେ, ମା’ ସବୁବେଳେ ଆମ ସହିତ ରୁହନ୍ତୁ, ଆମକୁ ବାଟ ଦେଖାନ୍ତୁ ଶରୀର, ସୁଖ ସମୃଦ୍ଧି କରନ୍ତୁ। ଭଲ ମଣିଷ ହେବାର ଶକ୍ତି ଦିଅନ୍ତୁ ଏବଂ ସବୁବେଳେ ସତ୍କର୍ମର ପଥରେ ରଖନ୍ତୁ। ମୋର ଯାହା ଭଲ, ଯାହା ଆବଶ୍ୟକ ଓ ଯାହା ମୋ ଜୀବନ ପାଇଁ ଉଚିତ, ତାହା ହିଁ ମୋତେ ଦିଅନ୍ତୁ। ମୋର ଭୁଲ୍ଗୁଡ଼ିକୁ କ୍ଷମା କରି ମୋତେ ଓ ମୋ ପରିବାରକୁ ଶାନ୍ତିପୂର୍ଣ୍ଣ ଓ ସୁଖମୟ ଜୀବନ ଦିଅନ୍ତୁ। ଆପଣଙ୍କ ଆଶୀର୍ବାଦରୁ କେବେବି ବଞ୍ଚିତ କରନ୍ତୁ ନାହିଁ। ବୋଲି ନିବେଦନ କରିଛନ୍ତି।
ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନର ଉପସ୍ଥିତିରେ ହୁଣ୍ଡି ଖୋଲି ଟଙ୍କା ଗଣତି ଚାଲିଥିବା ବେଳେ ଏହି ହାତଲେଖା ଚିଠି ଦୁଇଟି ମିଳିଥିଲା। ଟଙ୍କା ଓ ସୁନା, ରୁପା ଅଳଙ୍କାର ଗହଣରେ ଧଳା କାଗଜରେ ନୀଳ କାଳିରେ ଲେଖାଯାଇଥିବା ଏହି ଚିଠିଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶିଶୁଟି ନିଜ ମନର କଷ୍ଟକୁ ନେଇ ଏବେଠୁ ଦୁଃଖ ସହୁଥିବା ବେଳେ ମା’ର ମନର କଷ୍ଟକୁ ଦୂର କରିବା ସହ ନିଜ ବାପାଙ୍କ ମଙ୍ଗଳ ଚିନ୍ତା କରି ତାଙ୍କୁ ଭଲବୁଦ୍ଧି ଦେଇ ଭଲବାଟକୁ ଫେରାଇ ଆଣିବାକୁ ନେଇ ଶୁଭ ମନାସିଛି। ନିଜର ଦୁଃଖ ଓ ମା’ର ଦୁଃଖ ଦୂର ହେବା ଲାଗି ମା’ ପାଇଁ ଚାକିରିଟିଏ ଲାଗି ସେ ମା’ଙ୍କୁ ଗୁହାରି କରି ତା’ର ଦୁଃଖ ଜଣାଇ ମନସ୍କାମନାକୁ ପୂରଣ କରିବାକୁ ମା’ ତାରାତାରିଣୀଙ୍କୁ ପ୍ରାର୍ଥନା କରିଛି ଏବଂ ମା’ ତାରାତାରିଣୀ ନିଶ୍ଚୟ ତା’ର ମନସ୍କାମନା ପୂରଣ କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛି। ଏହି ଘଟଣାଟି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ପୁଣିଥରେ ପ୍ରମାଣିତ କରିଛି। ଶିଶୁଟିର ଏହି ସରଳ ଓ ନିଷ୍ପାପ ନିବେଦନ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରିଦେଇଥିଲା।