ଡେରାବିଶ, ୨୮।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍ରେ ଏକ ବଡ଼ଧରଣର ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବ୍ଲକ୍ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଜିଲା ଟ୍ରେଜେରୀ ଅଧିକାରୀ ତଦନ୍ତ ସୁପାରିଶ କରିଛନ୍ତି।
ଜିଲା ଟ୍ରେଜେରୀ ଅଧିକାରୀ ସଚ୍ଚିକାନ୍ତ ବେହେରା କେନ୍ଦ୍ରାପଡ଼ାରେ ନୂଆ କରି ଦାୟିତ୍ୱ ଗ୍ରହଣ କରିବା ପରେ ପୂର୍ବରୁ ଥିବା ଏକ ଅନିୟମିତତା ରିପୋର୍ଟର ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ସମୟରେ ଡେରାବିଶ ବ୍ଲକ୍ ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ନିଜ ପଦବୀର ଦୁରୁପଯୋଗ କରି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ଜାଲିଆତି କରି ଉଠାଇ ନେଇଥିବା ଜଣାପଡ଼ିଥିଲା।
ତଦନ୍ତ ସୂଚନା ଅନୁଯାୟୀ, ହଡ଼ପ ହୋଇଥିବା ମୋଟ ଅର୍ଥ ୩ ଜଣ ବ୍ୟକ୍ତିଙ୍କ ଜମାଖାତାକୁ ପଠାଯାଇଛି। ସିନିୟର ଆସିଷ୍ଟାଣ୍ଟ ଶଶିକାନ୍ତ ରଣା ନିଜ ଆକାଉଣ୍ଟକୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର କରିଥିବା ବେଳେ ଅବସରପ୍ରାପ୍ତ ପିଇଓ ମନ୍ମଥ ମାହୁନ୍ତ ଓ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଅବଶିଷ୍ଟ ଟଙ୍କା ଯାଇଥିବା ଚିହ୍ନଟ ହୋଇଛି।
ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରୁ ତୁରନ୍ତ ଟଙ୍କା ଆଦାୟ କରିବା ପାଇଁ ଟ୍ରେଜେରୀ ଅଧିକାରୀ ଶ୍ରୀ ବେହେରା, ଡେରାବିଶ ବିଡ଼ିଓଙ୍କୁ ଚିଠି ଲେଖି ଜଣାଇବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଏହି ସମ୍ପର୍କରେ ଡେରାବିଶ ବିଡ଼ିଓ ନମିତା ବାରିକଙ୍କୁ ପଚାରିବାରୁ, ସେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ବ୍ଲକ୍ର ଏକାଉଣ୍ଟସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।