ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଏନ୍ଏସିର ସହକାରୀ ହିସାବରକ୍ଷକ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ଦିପ ଚନ୍ଦ୍ରକାରଙ୍କ ଜାଲ ଦସ୍ତଖତ ଥିବା ଚେକ୍ଗୁଡ଼ିକୁ ବ୍ୟାଙ୍କ କର୍ମଚାରୀମାନେ ପାସ୍ କରିଥିଲେ। ଏ ନେଇ ଇଓ ଚନ୍ଦ୍ରକାର ନଭେମ୍ବର ୪ରେ ଦେଇଥିବା ଏତଲାକୁ ଭିତ୍ତିକରି ପୋଲିସ ନଭେମ୍ବର ୫ରେ ସହକାରୀ ହିସାବରକ୍ଷକ ଗୋପାଳ ମହାନନ୍ଦଙ୍କୁ ଗିରଫ କରିଛି। ପରେ ନଭେମ୍ବର ୬ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏଥିରେ ବ୍ୟାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମହାନନ୍ଦ ଇଓଙ୍କ ଜାଲ ଦସ୍ତଖତ ଥିବା ୨୦ରୁ ଅଧିକ ଚେକ୍ ମାଧ୍ୟମରେ ଏହି ଟଙ୍କା ଉଠାଇଥିଲେ। ଏଥିମଧ୍ୟରୁ ଦୁଇଟି ଚେକ ନୂଆପଡ଼ା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ଏବଂ ୧୮ଟି ଚେକ୍ ବ୍ୟାଙ୍କ ଅଫ ବରୋଦା ଶାଖା ଦ୍ବାରା ପାସ୍ କରାଯାଇଥିଲା। ବିନା ପରୀକ୍ଷା ନିରୀକ୍ଷାରେ ବ୍ୟାଙ୍କ କର୍ମଚାରୀ କିପରି ଚେକଗୁଡ଼ିକୁ ପାସ କରୁଥିଲେ ତାହା ସନ୍ଦେହ ସୃଷ୍ଟି କରିଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ଉପରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏନ୍ଏସି ଇଓ ଚନ୍ଦ୍ରକାର କହିଛନ୍ତି ଯେ, ସାଧାରଣ ଜନତାଙ୍କ ପାଣ୍ଠିର ସୁରକ୍ଷାକୁ ଦୃଷ୍ଟିରେ ରଖ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଜମା ହୋଇଥିବା ସମସ୍ତ ପାଣ୍ଠି ପ୍ରତ୍ୟାହାର କରି ଅନ୍ୟତ୍ର ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରାଯାଇଛି।
ତଦନ୍ତକାରୀ ପୋଲିସ ଅଧିକାରୀ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା, ଚେକ କ୍ଲିୟରିଂ ପ୍ରକ୍ରିୟା, ଦସ୍ତଖତ ଯାଞ୍ଚ ରେକର୍ଡ ଏବଂ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ଟଙ୍କାର ଟ୍ରାଏଲ ସମେତ ମାମଲାର ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରିବାକୁ ସାଧାରଣ ଜନତା ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି।