ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦ

କୁଜଙ୍ଗ, ୬।୧୧(ଡି.ଏନ୍‌.ଏ): କୁଜଙ୍ଗ ବନ ବିଭାଗ ପକ୍ଷରୁ ଶୁକ୍ରବାର ନୂଆଗାଁ ସେକ୍ସନ ଅଧୀନ ବରକୁଦାସ୍ଥିତ ଜଙ୍ଗଲ ଜମିରୁ ବେଆଇନ ଚିଙ୍ଗୁଡି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି ଜଙ୍ଗଲଜମିକୁ କିଛି ଲୋକ ଜବର ଦଖଲ କରି ଦୀର୍ଘ ବର୍ଷ ହେବ ଚିଙ୍ଗୁଡି ଘେରି କରିଥିଲେ। ଫଳରେ ପରିବେଶ ପ୍ରଦୂଷଣ ହେବା ସହ ସବୁଜ ସୁରକ୍ଷା ବଳୟ ସୃଷ୍ଟିରେ ବାଧା ଉପୁଜିଥିଲା। ଏନେଇ ରାଜନଗର ଏସିଏଫ୍‌ ଅଧୀର ବେହେରା, କୁଜଙ୍ଗ ରେଞ୍ଜ୍‌ ଅଫିସର ରଞ୍ଜନ ମିଶ୍ର, ନୂଆଗାଁ ବନପାଳ ଜ୍ଞାନ ପ୍ରକାଶ ମହାନ୍ତି, ବନ ରକ୍ଷୀ ନିରଞ୍ଜନ ମଣ୍ଡଳ, ସୁରେଶ ରାଉତ ଓ ନୂଆଗାଁ ରାଜସ୍ବ ନିରୀକ୍ଷକ ପ୍ରମୁଖଙ୍କ ଉପସ୍ଥିତିରେ ୭ଟି ବେଆଇନ୍‌ ଚିଙ୍ଗୁଡି ଘେରି ଭଙ୍ଗାଯାଇଛି। ଉଚ୍ଛେଦ କାର୍ଯ୍ୟ ସରିଲା ପରେ ସେଠାରେ ହେନ୍ତାଳ ବନ ସୃଷ୍ଟି କରାଯାଇ ସାମୁଦ୍ରିକ ସୁରକ୍ଷା ବଳୟ ସୃଷ୍ଟି କରାଯିବ ବୋଲି ରେଞ୍ଜ୍‌ ଅଫିସର ମିଶ୍ର କହିଛନ୍ତି।