ବିଲୋପ ପଥେ ହାତୀ: ୧୦ ବର୍ଷରେ ୭୮୪ ମୃତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା ହାତୀଙ୍କ ଜୀବନ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ହାତୀ- ମଣିଷ ଲଢ଼େଇରେ ଏହି ବୃହତ୍‌ ପ୍ରାଣୀ ବଂଶ ବଳି ପଡ଼ିଯାଉଛନ୍ତି। ଯଦି ଏଭଳି ପରିସ୍ଥିତି ଲାଗି ରହିବ ତେବେ ଆଉ କିଛି ବର୍ଷ ମଧ୍ୟରେ ହାତୀବଂଶ ଲୋପ ପାଇଯିବ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍‌ ମଙ୍ଗଳବାର ବିଧାନ ସଭାରେ ଦେଇଥିବା ସୂଚନା ଅନୁସାରେ ଗତ ୧୦ ବର୍ଷରେ ୭୮୪ ହାତୀଙ୍କର ଜୀବନ ଯାଇଛି। ବିଶେଷକରି ଗତ ୩ ବର୍ଷରେ ରାଜ୍ୟରେ ଥିବା ୩୫ଟି ବନଖଣ୍ଡରେ ୨୪୫ ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୯-୨୦ରେ ୮୨ଟି ହାତୀଙ୍କର ଜୀବନ ଯାଇଥିବାବେଳେ ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ ହାତୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୩୫ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ଅନୁଗୋଳ ୧୨, ଆଠଗଡ଼ ୧୧, ବାଲେଶ୍ୱର ୧୦, କଳାହାଣ୍ଡି ୧୧, କେନ୍ଦୁଝର ୨୧, ଖୋର୍ଦ୍ଧା ୧୧ , ସାତକୋଶିଆ ୧୨ ଏବଂ ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ସର୍ବାଧିକ ୧୧ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ବନଖଣ୍ଡରେ ମଧ୍ୟ ହାତୀ ମୃତ୍ୟୁ ହେଉଛି। ମନ୍ତ୍ରୀ କହିଛନ୍ତି ଯେ ୨୦୧୭ ମସିହା ଗଣନା ଅନୁସାରେ ରାଜ୍ୟର ୫୦ ବନଖଣ୍ଡରେ ମୋଟ ୧୯୭୬ ହାତୀ ଅଛନ୍ତି।