ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା ବେଳେ ୧୫ ଟିକିଆ ହାତୀପଲ ଗାଁ ଭିତରକୁ ପଶି ଆସି ଘର ଭାଙ୍ଗି ଉତ୍ପାତ ଆରମ୍ଭ କରିଛନ୍ତି। ହାତୀପଲ ଘର ଭାଙ୍ଗିଦେବାରୁ ଘର କାନ୍ଥ ପଡ଼ି ପରିବାରର ୪ ଜଣ ଗୁରୁତର ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସରଗୁଲ ଗାଁର ଲିଙ୍ଗରାଜ ଭୋଇ। ଗତକାଲି ରାତିରେ ଖାଇ ସାରି ଘରେ ଭିତରେ ଶୋଇଥିଲେ। ପାଟଣାଗଡ଼ ଟିକ୍ରାପଡ଼ା ଜଙ୍ଗଲ ପଟରୁ ହଠାତ୍ ମାଡ଼ି ଆସିଥିଲେ ହାତୀପଲ ଲିଙ୍ଗରାଜଙ୍କ ଘର ଉପରେ ଆକ୍ରମଣ କରି ଘରଭାଙ୍ଗି ଦେବାରୁ ଲିଙ୍ଗରାଜ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଉପରେ କାନ୍ଥ ପଡ଼ିଯାଇଥିଲା। ସେମାନେ କାନ୍ଥ ଭିତରେ ରହିଯିବାରୁ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ପ୍ରଥମେ ସେମାନଙ୍କୁ ପଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ମେଡିକାଲକୁ ଅଣାଯାଇ ଚିକିତ୍ସା କରିଥିବା ଜଣାପଡ଼ିଛି। ପରିବାରର ୪ ଜଣଙ୍କ ମଧ୍ୟରୁ ଲିଙ୍ଗରାଜ ଭୋଇ ଓ ତାଙ୍କ ପୁଅ ଦୁଇ ଜଣ ଗୁରୁତର ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ସ୍ତ୍ରୀ ସୁମିତ୍ରା ଭୋଇ ଓ ଝିଅ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଗତ ୨ ବର୍ଷ ହେଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ପୂର୍ବରୁ ଜଣେ ବନ କର୍ମଚାରୀ ଓ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା।