ଦିଗପହଣ୍ଡି, ୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ତିଳେଶ୍ୱର, ବଳଧିଆ ଖଇର ପଦର, ସିଙ୍ଗପୁର, ହରିଣା, ସୁମନ୍ତପୁର, ଗଙ୍ଗାପୁର, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି ଓ ଢେପାଗୁଡ଼ା ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଜାରି ରହିଛି। ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେଉଥିବା ବେଳେ ରାତିରେ ସମଗ୍ର ଅଞ୍ଚଳ ନିଶବ୍ଦ ହୋଇପଡ଼ୁଛି।
ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ଜଙ୍ଗଲ ଅଧୀନ ଶୁଳିଆ ପାହାଡ଼ରେ ଦୀର୍ଘଦିନ ଧରି ରହୁଥିବା ଗୋଟିଏ ଦନ୍ତା ଏବଂ ୩ଟି ମାଈ ହାତୀ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଏହି ହାତୀପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରୁଛନ୍ତି।
ଏନେଇ ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି ଯେ ହାତୀ ଚଳପ୍ରଚଳ ନେଇ ଖବର ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ନଯିବା, ହାତୀଙ୍କ ଫଟୋ ଓ ଭିଡିଓ ନଉଠାଇବା ଏବଂ ଜଙ୍ଗଲରେ ଶିକାର ପାଇଁ ଫାସ ନପକାଇବା ପାଇଁ ଲୋକଙ୍କୁ ସତର୍କ କରାଯାଉଛି।
ବନ ବିଭାଗର ହାତୀ ସ୍କୁଆର୍ଡ, ତାଲିମପ୍ରାପ୍ତ ହାତୀ ଟ୍ରାକରଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ କର୍ମଚାରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି। ବାଜା ବଜାଇ ଓ ବାଣ ଫୁଟାଇ ହାତୀମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଯାଉଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଉଛି। ଗତ ୨ ଦିନ ହେଲା ହାତୀପଲ ଢେପାଗୁଡ଼ା ଗ୍ରାମ ଏକଦନ୍ତୀ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରେ ଥିଲେ। ଉଦ୍ୟମ ପରେ ହାତୀପଲ ପୁଣି ରତନେଇ ଜଙ୍ଗଲ ଭିତରକୁ ଚାଲିଯାଇଛନ୍ତି।