କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତର ନେରିଡିବାଲସା ଗ୍ରାମବାସୀଙ୍କ କହିବା ଅନୁସାରେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ ମାନ୍ୟମ ଜିଲାର ଜଙ୍ଗଲ ଆଡୁ ୮ଟି ହାତୀ ପ୍ରବେଶ କରି ପ୍ରଥମେ ନେରିଡିବାଲସା, ତାଡିବାଲସା ହୋଇ ବ୍ରିଟିଶ ରାସ୍ତା ହୋଇ କୁମ୍ବିମାଡ଼ା ଗ୍ରାମ ଦେଇ ଦିଗୁଗାବଡ଼ାର (ରାଇପାଡୁ) ଜଙ୍ଗଲ ଦେଇ ପଟ୍ଟାଙ୍ଗି ପଞ୍ଚାୟତର ସିୟୁରା ଗ୍ରାମର ଜଙ୍ଗଲ ଆଡ଼କୁ ମୁହାଁଇ ଥିବା ପ୍ରକାଶ କରିଛନ୍ତି । କିନ୍ତୁ ସମସ୍ତ ହାତୀ ବ୍ରିଟିଶ ରାସ୍ତା ଉପରେ ଚାଲିଚାଲି ଯାଉଥିବାବେଳେ କୌଣସି କ୍ଷତି ପହଞ୍ଚାଇ ନ ଥିବା ଆମେ ସମସ୍ତେ ଭୟଭୀତରେ ଜୀବନ କାଟୁଛୁ ବୋଲି ପ୍ରକାଶ କରିଛନ୍ତି।

ସେହିପରି ହାତୀ ଆତଙ୍କ ଖବର ପାଇ କୋରାପୁଟ ଡିଏଫ୍‌ଓ ସିଦ୍ଧାର୍ଥ ଜୈନଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ ଅବଗତ ଅଛୁ ଏବଂ ଆମର ଦୁଇଟି ଟିମ୍‌ ବର୍ତ୍ତମାନ ଉପରୋକ୍ତ ଗ୍ରାମ ଅଭିମୁଖେ ଯାଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ହାତୀମାନଙ୍କର ଏହିପରି ଆତଙ୍କକୁ ନେଇ ବର୍ତ୍ତମାନ ବ୍ଲକ ସଦର ମହକୁମାର ପାହାଡ଼ ନିକଟବର୍ତ୍ତୀ ଗ୍ରାମ ଏବଂ ସାହିରେ ଭୟର ବାତାବରଣ ଖେଳିଯାଇଛି। ହାତୀ ଆତଙ୍କ ଯୋଗୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସୁଙ୍କି, ନୂଆଗାଁ ପରି ସୀମାନ୍ତ ଗାଁଗୁଡ଼ିକରେ ବିଦ୍ୟୁତ୍‌ କାଟିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share